ରାଜନଗର: ଏକତରଫା ପ୍ରେମ କରୁଥିବା ଜଣେ ଯୁବକର ଉନ୍ମତ୍ତକାଣ୍ଡ ରାଜନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଆଜି ଯୁବତୀଙ୍କ ଘର ଆଗରେ ପହଞ୍ଚି ଯୁବକ ଜଣକ ଗାଳିଗୁଲଜ ଓ ଉତ୍ପାତ କରୁଥିଲା ବେଳେ ସ୍ଥାନୀୟ ଲୋକମାନେ ତାକୁ କାବୁ କରି ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ରାଜନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଉଦ୍ଧାର କରିଛି।
ଅଭିଯୋଗ ମୁତାବକ, ଗତ ୫ ତାରିଖ ସନ୍ଧ୍ୟାରେ ସାତଭାୟା ଥଇଥାନସ୍ଥଳୀର ନିହାର ସ୍ବାଇଁ ଏକତରଫା ପ୍ରେମ କରୁଥିବା ଜଣେ ଯୁବତୀଙ୍କୁ ତାଙ୍କ ଘର ନିକଟରେ ଏକୁଟିଆ ପାଇ ତା’ ସହ ଯିବାକୁ ବାଧ୍ୟ କରିଥିଲା। ସେ ତାଙ୍କୁ ଭଲ ପାଉଛି ଓ ବାହା ହେବ ବୋଲି କହିଥିଲା। ଯୁବତୀଜଣକ ରାଜି ନ ହେବାରୁ ଟଣାଓଟରା କରିଥିଲା। ଯୁବତୀଙ୍କ ଚିତ୍କାର ଶୁଣି ପରିବାର ଲୋକ ସେଠାରେ ପହଞ୍ଚି ଯିବାରୁ ସେମାନଙ୍କୁ ନିହାର ଆକ୍ରମଣ କରିଥିଲା। ତାକୁ ବାହା ନ ହେଲେ ଅନ୍ୟ କେଉଁଠି ବାହାଘର କରାଇ ଦେବନାହିଁ ଓ ମାରିଦେବ ବୋଲି ଧମକ ଦେଇଥିଲା।
ପରିବାର ଲୋକ ଯୁବକର ବାଇକ୍ ଛଡ଼ାଇ ରଖିବା ସହିତ ଘଟଣା ସମ୍ପର୍କରେ ଥାନାରେ ଏତଲା ଦେଇଥିଲେ। ଏହା ସତ୍ତ୍ବେ ଆଜି ମଧ୍ୟାହ୍ନ ୧୨ଟାରେ ନିହାର ପୁଣିଥରେ ଯୁବତୀଙ୍କ ଘର ଆଗରେ ପହଞ୍ଚି ଗାଳିଗୁଲଜ କରିବା ସହ ପରିବାର ଲୋକଙ୍କୁ ଧମକ ଦେଇଥିଲା। ଯୁବତୀଙ୍କ ପରିବାର ଓ ପଡ଼ୋଶୀମାନେ ଯୁବକକୁ କାବୁ କରି ଏକ ଖୁଣ୍ଟରେ ବାନ୍ଧି ପିଟିଥିଲେ। ଖବର ପାଇ ରାଜନଗର ଥାନା ଆଇଆଇସି ନରେଶ କୁମାର ସାହୁ ସେଠାରେ ପହଞ୍ଚି ନିହାରକୁ ଉଦ୍ଧାର କରିଥିଲେ। ଅଭିଯୁକ୍ତ ନିହାରକୁ ପୁଲିସ ଗିରଫ କରି ପ୍ରାଥମିକ ଚିକିତ୍ସା ପାଇଁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ପରେ ତାକୁ କୋର୍ଟଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି।
ସୂଚନାଯୋଗ୍ୟ ଯେ ତିନିବର୍ଷ ତଳେ ଅନୁରୂପ ଭାବେ ଯୁବତୀଙ୍କ ଘର ଆଗରେ ଉତ୍ପାତ କରୁଥିବା ଉକ୍ତ ଯୁବକ ବିରୋଧରେ ଥାନାରେ ଅଭିଯୋଗ କରାଯାଇଥିଲା। ଏହାର ଆପୋସ ସମାଧାନ ପରେ ସେ କେରଳ ଚାଲି ଯାଇଥିଲା। ପାଞ୍ଚ ଦିନ ତଳେ ସେଠାରୁ ଫେରି ପୁଣି ଏଭଳି କାଣ୍ଡ ଘଟାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/09/7O8kCihKZGzbstPh9OSG.jpg)