ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ର ଇବ୍‌, ବ୍ରାହ୍ମଣୀ, କୋଏଲ୍‌ ଓ ଶଙ୍ଖନଦୀର ବିଭିନ୍ନ ବାଲିଘାଟରୁ ବେଆଇନ ଭାବେ ଦିନ ଦ୍ବିପ୍ରହରରେ ହଜାରହଜାର ଘନଫୁଟ ବାଲି ଉଠାଇ ଚୋରାଚାଲାଣ କରାଯାଉଥିବା ଅଭିଯୋଗ ରହିଥିଲା। ବେଫିକର ମାଫିଆ ଲିଜ୍ ବାଲିଘାଟ ଭଳି ଖୋଲାଖୋଲି ଜେସିବି, ହାଇୱା, ପୋକଲିନ୍ ଲଗାଇ ବାଲି ଉଠାଇ ଚାଲିଥିଲେ। ଏ ସଂକ୍ରାନ୍ତରେ ‘ସମ୍ବାଦ’ରେ ଲଗାତର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ଓ ଖଣି ବିଭାଗ ତତ୍ପରତା ପ୍ରକାଶ କରିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥୀ ସରାବୁଙ୍କ ନେତୃତ୍ବରେ ଖଣିବିଭାଗ, ତହସିଲ ଓ ପୁଲିସର ମିଳିତ ଟିମ୍ ୫ ତାରିଖରୁ ଇବ୍‌ନଦୀର ବିଭିନ୍ନ ବାଲିଘାଟରେ ଚଢ଼ଉ କରି ୩ଟି ହାଇୱା (ଓଡି୨୩କେ-୧୧୫୯, ଓଡି ୧୫ଜେ-୯୦୫୦, ଓଡି୧୫ଏଚ୍-୦୨୦୧ ଏବଂ ଗୋଟିଏ ଜେସିବି (ଏସପି୨୦-୫୬୮୯୯) ଜବତ କରିଛି। ୩ଟି ହାଇୱାକୁ ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ବିଭାଗ ୧ ଲକ୍ଷ ୩୪ ହଜାର ଟଙ୍କା ଜରିମାନା କରିଛି। ଅନ୍ୟପଟେ ଖଣିବିଭାଗ ଚୋରାବାଲିର ଆକଳନ କରି ଜରିମାନା କରିବ। ଖଣି ଅଧିକାରୀ ଅଜୟ କୁମାର ଗିରି ଭଷ୍ମା ଥାନାରେ ପହଞ୍ଚି ଅଟକ ଗାଡ଼ିର ଆକଳନ କରୁଛନ୍ତି। ଆଗକୁ ମଧ୍ୟ ଚଢ଼ାଉ ଜାରି ରହିବ ଓ ବେଆଇନ ବାଲିଚାଲାଣ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ସରାବୁ, ଏଏସ୍‌ପି ମହେନ୍ଦ୍ରନାଥ ମୁର୍ମୁ କହିଛନ୍ତି। 

Advertisment

ସେହିପରି ଚୋରାବାଲି ଚାଲାଣ ରୋକିବାକୁ ପୂରା ଦମ୍‌ ଲଗାଇଛି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌। ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକ, ଖଣି ଉପନିର୍ଦ୍ଦେଶକ ବିମ୍ବାଧର ସେଠୀ, ରାଉରକେଲା ତହସିଲଦାର ନିବେଦିତା ପ୍ରଧାନ, ପାନ‌ପୋଷ ଏସ୍‌ଡିପିଓ ଅମ୍ବିତ ମହାନ୍ତି, ରାଉରକେଲା ଅତିରିକ୍ତ ତହସିଲଦାର ସୁଦକ୍ଷ ପଟେଲ ଓ ଅମୂଲ୍ୟ ରତନ ସାହୁ ସ୍କ୍ବାଡ୍‌ରେ ସାମିଲ ହୋଇ ଗତକାଲି ରାତିରେ ତୁମକେଲା, ବିଜୁବନ୍ଧ, ତରକେରା ଓ ଅଟାଘାଟ ବାଲିଘାଟରେ ଚଢ଼ଉ କରିଥିଲେ। ରାତି ଅଧରେ ଟିମ୍‌କୁ ଦେଖି ଛାନିଆ ହୋଇ ଯାଇଥିଲେ ବାଲି ଉତ୍ତୋଳନ ଓ ଲୋଡିଂ କରୁଥିବା ଲୋକ। ସ୍କ୍ବାଡ୍‌ରେ ସାମିଲ ସେକ୍ଟର-୧୫, ରଘୁନାଥପାଲି ଓ ଲାଠିକଟା ପୁଲିସ ବେଆଇନ ଭାବେ ବାଲି ଚାଲାଣ କରୁଥିବା ୪ଟି ଟିପରକୁ ଜବତ କରିଥିଲେ। ଗୋଟିଏ ଟିପରର ଟିପି (ଟ୍ରାନ୍‌ଜିଟ୍‌ ପାସ୍‌) ଥିବାରୁ ଛାଡ଼ି ଦେଇଥିଲେ। ଅନ୍ୟ ୩ଟି ଟିପର୍‌କୁ ଜବତ କରି ଲାଠିକଟା ପୁଲିସକୁ ହସ୍ତାନ୍ତର କରିଥିଲେ। ଜବତ ଗାଡ଼ି ଓଆର୍‌୧୪ଆର୍‌-୬୭୮୬ରେ ୭.୭୯୨ ଘନଫୁଟ, ଓଆର୍‌୧୪ପି-୦୪୬୫ରେ ୮.୭୭୬ ଘନଫୁଟ, ଓଆର୍‌୧୪ ଡବ୍ଲ୍ୟୁ-୨୭୮୪ରେ ୮.୬୧୨ ଘନଫୁଟ ବାଲି ଜବତ ହୋଇଛି। ଯାଞ୍ଚରୁ ନକଲି ଟିପି ବନାଯାଉଥିବା ଅଧିକାରୀମାନେ ଦେଖିବାକୁ ପାଇଥିଲେ। ବାଲିଘାଟରୁ ଟ୍ରାକ୍ଟରରେ କୋଇଡ଼ା ଓ ବଣାଇ ପର୍ଯ୍ୟନ୍ତ ଟିପି ବନୁଥିଲା। ଏଭଳି ନକଲି ଟିପିରେ ମାଫିଆମାନେ ବିଭିନ୍ନ ବାଲିଘାଟରୁ ଶହଶହ ଗାଡ଼ି ବାଲି ଚାଲାଣ କରୁଛନ୍ତି। ଯାହାର ଟେର୍‌ ପାଉନଥିଲା ସ୍ଥାନୀୟ ପୁଲିସ। ପାନପୋଷ ସବ୍‌ଡିଭିଜନ୍‌ରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗଠନ ହେବା ପରେ କୁଆରମୁଣ୍ଡା, ନୂଆଗାଁ, ବିଶ୍ରା ଓ ଲାଠିକଟା ବାଲିଘାଟରେ ବେଆଇନ ବାଲି ଉତ୍ତୋଳନ କରୁଥିବା ମାଫିଆଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।