ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଦେଇଛି କଂଗ୍ରେସ। ଏହାକୁ ନେଇ ଆଜି ଦିନତମାମ ବିଧାନସଭା ଗୃହ ସରଗରମ ରହିଥିଲା। ମୁଖ୍ୟମନ୍ତ୍ରୀ ଗୃହର ନେତା ହୋଇ ଗୃହର ମର୍ଯ୍ୟାଦାହାନୀ କରିଛନ୍ତି ବୋଲି ବିରୋଧୀ ଗର୍ଜନ କରିଥିଲେ। ବିଜେପି ବି ବିରୋଧୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ଅଭିଯୋଗ ଆଣିଥିଲା। ସ୍ଥିତି ଏମିତି ହୋଇଥିଲା ଯେ ବାଚସ୍ପତି ବାରମ୍ବାର ଗୃହକୁ ମୁଲତବୀ ରଖିଥିଲେ। ଆଜି ଶୂନ୍ୟକାଳରେ ବାଚସ୍ପତି ପ୍ରଥମେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗକୁ ବିବୃତି ଦେବାକୁ ଡାକିଲେ। ଅଗ୍ନିବୀରମାନଙ୍କ ନିମନ୍ତେ ଚାକିରିରେ ସଂରକ୍ଷଣ ସମ୍ପର୍କରେ ମନ୍ତ୍ରୀ ଘୋଷଣା କରିଥିଲେ। ଏହା ପରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ସ୍ବାଧିକାର ଭଙ୍ଗ ନୋଟିସ୍ ଉପରେ କହିବାକୁ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ଡାକିଲେ। ସେ କହିଲେ, ବିଧାନସଭା ଅଧିବେଶନ ଚାଲିଥିଲା ବେଳେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ ଅଗ୍ନିବୀରମାନଙ୍କୁ ଚାକିରିରେ ସଂରକ୍ଷଣ ଦେବାକୁ ଘୋଷଣା କଲେ। ମୁଖ୍ୟମନ୍ତ୍ରୀ କାଲି ଯେଉଁ ଘୋଷଣା କଲେ, ତାହାରି ଆଧାରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଆଜି ଗୃହରେ ସେହି ସୂଚନା ଦେଲେ। ମୁଖ୍ୟମନ୍ତ୍ରୀ ଗୃହରେ ଘୋଷଣା ନ କରି କାହିଁକି ଲୋକସେବା ଭବନରେ ଘୋଷଣା କଲେ? ମୁଖ୍ୟମନ୍ତ୍ରୀ ଗୃହକୁ ବିଶ୍ବାସକୁ ନେଲେନି। ସେ ଗୃହର ନେତା। କିନ୍ତୁ ଗୃହର ମର୍ଯ୍ୟାଦା ଭଙ୍ଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗୃହର ମୁଖ୍ୟ ହେବା ପାଇଁ ଯୋଗ୍ୟ ନୁହନ୍ତି। ସେ ଇସ୍ତଫା ଦିଅନ୍ତୁ।

Advertisment

ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ଶ୍ରୀ ବାହିନୀପତି କହିଥିଲେ, ଆପଣ ବିଧାନସଭା ଇତିହାସରେ କଳାଦିବସ ସୃଷ୍ଟି କରିଛନ୍ତି। ଯେଉଁ ଦଳ ପକ୍ଷରୁ ସ୍ବାଧିକାର ଭଙ୍ଗ ନୋଟିସ୍ ଦିଆଯାଏ, ତାଙ୍କୁ କହିବାକୁ ସୁଯୋଗ ଦିଆଯାଏ। କିନ୍ତୁ ଆପଣ ନୂଆ ପରମ୍ପରା ସୃଷ୍ଟି କଲେ। ପ୍ରଥମେ ମନ୍ତ୍ରୀଙ୍କୁ କହିବା ପାଇଁ ଡାକିଲେ। ଏହା ଦୁର୍ଭାଗ୍ୟଜନକ।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଲେ, ଯେଉଁମାନେ ମୁଖ୍ୟମନ୍ତ୍ରୀ ହୁଅନ୍ତି ସେମାନେ ଗୃହକୁ ବିଶ୍ବାସକୁ ନିଅନ୍ତି। ଅଧିବେଶନ ଚାଲିଥିଲା ବେଳେ ଗୃହରେ ଘୋଷଣା କରିବା କଥା। ଏହା ନକରି ସେ ଗୃହ ତଥା ସମ୍ବିଧାନର ଅପମାନ କରିଛନ୍ତି। ବିଜେଡି ବିଧାୟକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଲେ, ଏବେ ଗୃହ ଚାଲିଥିବାରୁ ମୁଖ୍ୟମନ୍ତ୍ରୀ ଗୃହକୁ ବିଶ୍ବାସକୁ ନେବା କଥା। ସବୁ ଘୋଷଣା ଗୃହରେ କରିବା କଥା। ସରକାର ଭୁଲ୍ କରିଛନ୍ତି, ଆମେ ଚେତାଇ ଦେଉଛୁ। ମୁଖ୍ୟମନ୍ତ୍ରୀ ଗୃହକୁ ଆସି କ୍ଷମା ଭିକ୍ଷା କରନ୍ତୁ। ସ୍ବାଧିକାର ଭଙ୍ଗ ନୋଟିସ୍ ଉପରେ ବାଚସ୍ପତି ରୁଲିଂ ଦିଅନ୍ତୁ। ବିଜେଡି ବିଧାୟକ ଗଣେଶ୍ବର ବେହରା କହିଲେ, ଗୃହ ପ୍ରତି ମର୍ଯ୍ୟାଦା ପ୍ରଦର୍ଶନ କରିବା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଶା କରାଯାଏ। କିନ୍ତୁ ବାଡ଼ ଯଦି ଫସଲ ଖାଏ, ତେବେ ଆମେ କାହାକୁ କହିବା? ମୁଖ୍ୟମନ୍ତ୍ରୀ ଗୃହର ନେତା ଭାବେ ବିଧି ପରମ୍ପରାକୁ ମାନିବା ତାଙ୍କର ପ୍ରଧାନ କର୍ତ୍ତବ୍ୟ କିନ୍ତୁ ସେ ତାହା କରି ନାହାନ୍ତି।

ଗୃହର ମର୍ଯ୍ୟାଦା ଭାଙ୍ଗିଛନ୍ତି ମୁଖ୍ୟମନ୍ତ୍ରୀ: କଂଗ୍ରେସ
ମୁଖ୍ୟମନ୍ତ୍ରୀ ଗୃହକୁ ବିଶ୍ବାସକୁ ନେଇନାହାନ୍ତି: ବିଜେଡି
କଂଗ୍ରେସ ସଭ୍ୟ ବି ସ୍ବାଧିକାର ଭଙ୍ଗ କରିଛନ୍ତି: ବିଜେପି
ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିଗଲେ ତାରା

ବିଜେପି ସଭ୍ୟ ଇରାଶିଷ ଆଚାର୍ଯ୍ୟ କହିଲେ, ବରିଷ୍ଠ ବିଧାୟକ ଯେପରି ସ୍ବାଧିକାର ଭଙ୍ଗ ଆଣିଛନ୍ତି ତାହା କେବଳ ସରକାରଙ୍କ ପ୍ରତି ବିରୋଧାଚରଣ ଅଟେ। ଗୃହର ନିୟମ ଅନୁଯାୟୀ ସଭ୍ୟ ଯାହା କହିବେ ବାଚସ୍ପତିଙ୍କ ଅନୁମତି ନେଇ କହିବେ। କିନ୍ତୁ ଗୃହର ବରିଷ୍ଠ ସଭ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ଆଣିବେ ବୋଲି ଗୃହ ବାହାରେ କହିଛନ୍ତି। ଏହା ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହା କ’ଣ ଗୃହର ଅବମାନନା ନୁହେଁ କି? ଏହା ଗୃହର ମର୍ଯ୍ୟାଦାହାନୀ କରୁନି କି? ତେଣୁ ଆମେ ମଧ୍ୟ ବରିଷ୍ଠ ସଭ୍ୟଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଦେଉଛୁ। କଂଗ୍ରେସ ସଭ୍ୟମାନେ ଏହାର ପ୍ରତିବାଦ କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସିଥିବା ସ୍ବାଧିକାର ଭଙ୍ଗ ନୋଟିସ୍କୁ ସ୍ବାଧିକାର କମିଟିକୁ ପଠାଇବାକୁ ଦାବି କରିଥିଲେ। ଏହା ଉପରେ ବିଚାର କରିବେ ବୋଲି ବାଚସ୍ପତି କହିଥିଲେ। କିନ୍ତୁ କଂଗ୍ରେସ ସଭ୍ୟମାନେ ଶୁଣି ନଥିଲେ। ମଧ୍ୟାହ୍ନ ୧୨ଟାରେ ବାଚସ୍ପତି ଦୁଇଟି ପର୍ଯ୍ୟାୟରେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଥିଲେ।

୪ଟା ବେଳେ ପ୍ରଥମେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବଜେଟ୍ ଆଲୋଚନାରେ ଭାଗ ନେଇ ଅଭିଭାଷଣ ପ୍ରଦାନ କରିଥିଲେ। ତାଙ୍କ ଭାଷଣ ପରେ ପୁଣି କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ। ସ୍ବାଧିକାର ଭଙ୍ଗ ନୋଟିସ୍‌କୁ ବାଚସ୍ପତି ତୁରନ୍ତ ସ୍ବାଧିକାର କମିଟିକୁ ପଠାଇବାକୁ ଦାବି କରିଥିଲେ। କଂଗ୍ରେସ ସଭ୍ୟ ତାରା ବାହିନୀପତି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିଯାଇ ଚିତ୍କାର କରିଥିଲେ। ବାଚସ୍ପତିଙ୍କ ମାଇକ ଟାଣିବା ସହ କାଗଜ ଫିଙ୍ଗିଥିଲେ। ସେମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ବାଚସ୍ପତି ଯେତେ ଅନୁରୋଧ କରିଥିଲେ ବି ସେମାନେ ଶୁଣି ନଥିଲେ। ମନ୍ତ୍ରୀ ରବିନାରାୟଣ ନାଏକ କହିଥିଲେ, କଂଗ୍ରେସର ଯେଉଁମାନେ ନାଟକବାଜି କରୁଛନ୍ତି ବିରୋଧୀ ଦଳ ନେତା କହିଲା ବେଳେ କାହିଁକି ଚୁପ୍ ବସିଥିଲେ। ବିଜେପି ସଭ୍ୟ ଇରାଶିଷ ଆଚାର୍ଯ୍ୟ କହିଥିଲେ, ଗୃହରେ କୌଣସି ସଦସ୍ୟ ବାଚସ୍ପତିଙ୍କୁ ରୁଲିଂ ଦେବାକୁ ବାଧ୍ୟ କରିପାରିବେ ନାହିଁ। ଏହା ପରେ ବାଚସ୍ପତି ଗୃହକୁ ଅଧ ଘଣ୍ଟା ମୁଲତବୀ ରଖିଥିଲେ। ପରେ ଆଉ ୧୦ ମିନିଟ୍ ମୁଲତବୀ ରଖିଥିଲେ। ତାହା ପରେ ମଧ୍ୟ ସମାନ ସ୍ଥିତି ଲାଗି ରହିଲା। କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟ ଭାଗରେ ନାରାବାଜି କଲେ। ବିଜେଡି ସଭ୍ୟମାନେ ନିଜ ନିଜ ଆସନରେ ବସିଥିବାରୁ ସେମାନଙ୍କୁ ମଧ୍ୟ କଂଗ୍ରେସ ସଭ୍ୟ ଟାର୍ଗେଟ୍ କରିଥିଲେ। ‘ବିଜେଡି-ବିଜେପି ମିଶିଗଲେ, ଓଡ଼ିଶାକୁ ଖାଇଗଲେ...’ ନାରାବାଜିରେ ଗୃହ କମ୍ପିଥିଲା। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଥିଲେ, ବିରୋଧୀଙ୍କ ପ୍ରତି ବାଚସ୍ପତି କଠୋର ଆଭିମୁଖ୍ୟ ନେଉଛନ୍ତି। କଂଗ୍ରେସର କଣ୍ଠରୋଧ କରାଯାଉଛି। ସମସ୍ତଙ୍କୁ ନେଇ ଗୃହ ଚାଲୁନି। ତେଣୁ ଆମେ କକ୍ଷତ୍ୟାଗ କରୁଛୁ। ଏହା ପରେ କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ।