ସୋର: ପେଟ୍ରୋଲ୍ ପମ୍ପ୍ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଲୁଟ୍ ହୋଇଛି। ଏପରି ଏକ ଘଟଣା ଘଟିଛି ସୋର ଅଞ୍ଚଳରେ। ସୋର ଥାନା ଅନ୍ତର୍ଗତ ନୂଆଗାଁ ଛକ ନିକଟ ଜାତୀୟ ରାଜପଥ ପାର୍ଶ୍ବରେ ଏକ ରିଲାଏନ୍ସ ପେଟ୍ରୋଲ୍ ପମ୍ପ୍ ଅଛି। ଗତକାଲି ରାତିରେ ଏକ ବାଇକ୍ ଯୋଗେ ୩ ଜଣ ଯୁବକ ତେଲ ପକାଇବା ପାଇଁ ଆସିଥିଲେ। ତେଲ ପକାଇବା ପରେ ପେଟ୍ରୋଲ୍ ପମ୍ପ୍ କର୍ମଚାରୀଙ୍କ ସହ ସେମାନଙ୍କ ବଚସା ହୋଇଥିଲା। ଫଳରେ ଦୁର୍ବୃତ୍ତମାନେ ଅନ୍ୟ ୨ ଜଣଙ୍କୁ ଫୋନ୍ କରି ଡାକିଥିଲେ। ସେମାନେ ଆସିବା ପରେ ଘଟଣା ଉଗ୍ରରୂପ ଧାରଣ କରିଥିଲା। ଦୁର୍ବୃତ୍ତମାନେ ପେଟ୍ରୋଲ୍ ପମ୍ପ୍ରେ ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ଛୁରିରେ ଆକ୍ରମଣ କରିଥିଲେ।
ଏହି ଆକ୍ରମଣରେ ୫ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଆୟୁଷ୍ମାନ ମହାନ୍ତି, ମ୍ୟାନେଜର ଅଜିତ କୁମାର ଦାସ, ପ୍ରୀତିଶ ରଂଜନ ବେହେରା ଏବଂ ଅନ୍ୟ ୨ ଜଣ ଅଛନ୍ତି। ଏହା ସହିତ ଦୁବୃର୍ତ୍ତମାନେ ବୋମା ପକାଇ ପେଟ୍ରୋଲ୍ ପମ୍ପ୍କୁ ଉଡ଼ାଇବା ଧମକ ଦେଇ କର୍ମଚାରୀଙ୍କ ନିକଟରେ ଥିବା ୪୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଖବର ପାଇ ସୋର ପୁଲିସ ଏବଂ ହାଇଓ୍ବେ ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ। ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/58.jpg)
