‘ତାଲାବନ୍ଦ’ ସମୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କରୋନା ମୁକାବିଲା ଲାଗି କଠୋର ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରରେ ୨୨ ତାରିଖଠାରୁ ୨୯ ତାରିଖ ଯାଏଁ  ‘ତାଲା ବନ୍ଦ’ ବା ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ଏଥିସହ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନ ପଡ଼ିଲେ ଘରୁ ବାହାରିବାକୁ ବାରଣ କରିଛନ୍ତି ରାଜ୍ୟ ସରକାର। ଏଥିସହ ୭ଜଣ କିମ୍ବା ତା’ଠାରୁ ଅଧିକ ଲୋକ ଏକତ୍ରିତ ହେବା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର।

ଆଜି ଅପରାହ୍ନ ୩ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ‘ତାଲାବନ୍ଦ’ କଥା ଘୋଷଣା କରିବା ସହ  ରାଜ୍ୟବାସୀଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ସରକାରଙ୍କ ଏହି ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ପୁଲିସକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଦ୍ୱୈତନଗରୀର ପୁଲିସ କମିସନର, ଜିଲ୍ଲାପାଳ, ଏସ୍‌ପି, ଉପ-ଜିଲ୍ଲାପାଳ, ତହସିଲଦାର, ବିଡିଓ, ମୁନିସ୍‌ପାଲ, କମିସନର ଓ ଏକଜିକ୍ୟୁଟିଭ ଅଫିସରଙ୍କୁ ସରକାରୀ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବାକୁ ଦାୟିତ୍ୱ ଦିଆଯାଇଛି। ଏଥିସହ ଏହି ଅଧିକାରୀଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପୁଲିସ ମଧ୍ୟ ଉଲ୍ଲଂଘନକାରୀଙ୍କ  ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଆଇପିସିର ଧାରା ୧୮୮ ଅଧିନରେ ଉଲଂଘନକାରୀଙ୍କୁ ଦଣ୍ଡିତ କରାଯିବ। ଏହି ଧାରାରେ ଜେଲ୍‌ ଓ ଜରିମାନାର ବ୍ୟବସ୍ଥା ରହିଛି। ସରକାରୀ ଆଦେଶ ଅବମାନନା ଲାଗି ଆଇପିସିର ଏହି ଧାରାରେ ପ୍ରାବଧାନ ରହିଛି।

ସମ୍ବନ୍ଧିତ ଖବର