ଦଧିନଉତିରେ ଫାଟ, ବିପଦରେ ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ଦିରର ଦଧିନଉତିରେ ଫାଟ ହୋଇଥିବା ଜଣାପଡ଼ିଛି। ତେବେ ଏହି ଫାଟ  ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ) ଅବହେଳା ହେତୁ ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି। ତେଣୁ ଏନେଇ ଦେବୋତ୍ତର କମିସନ୍‌ର ଏଏସ୍‌ଆଇ ଡିଜିଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ଉଲ୍ଲେଖ ରହିଛି କି, ମୁଖ୍ୟମନ୍ଦିର ଦଧିନଉତିରେ ଏକାଧିକ ଫାଟ ଦେଖାଦେଇଛି। ଫଳରେ ମନ୍ଦିର ବିପଦ ଶଙ୍କୁଳ ଅବସ୍ଥାରେ ରହିଛି।

ମନ୍ଦିର କାନ୍ଥରେ ଥିବା ମୂର୍ତ୍ତି, କାରୁକାର୍ଯ୍ୟ ମଧ୍ୟ ଧୀରେଧୀରେ ନଷ୍ଟ ହୋଇଗଲାଣି। ଏହାର ମରାମତି ନିହାତି ଆବଶ୍ୟକ ରହିଛି। ଯଦି ସମୟ ପୂର୍ବରୁ ମରାମତି ନହୁଏ ତେବେ ମନ୍ଦିରରୁ କୌଣସି ସମୟରେ ପଥର ଖସିବାର ଆଶଙ୍କା ରହୁଛି। କେବଳ ଏତିକି ନୁହେଁ, ମୁଖ୍ୟମନ୍ଦିରର ବିଭିନ୍ନ ସ୍ଥାନରୁ ପାଣି ଗଳୁଛି। ବେଢ଼ାରେ ଜଗମୋହନ, ପାର୍ବତୀ ମନ୍ଦିର, ଗଣେଶ ମନ୍ଦିର, ରୋଷଘର, ଭୋଗମଣ୍ଡପ, ବିଶ୍ୱକର୍ମା ମନ୍ଦିର, ଭୁବନେଶ୍ୱରୀ ମନ୍ଦିର, ଏକାମ୍ରେଶ୍ୱର ମନ୍ଦିର, ଉଗ୍ରେଶ୍ୱର ମନ୍ଦିରରୁ ମଧ୍ୟ ସାମାନ୍ୟ ବର୍ଷାରେ ପାଣି ଗଳୁଥିବା ଜଣାପଡ଼ିଛି।

ତେବେ ପାଖାପାଖି ଚାରିବର୍ଷ ହେବ ଏଏସ୍‌ଆଇ ମନ୍ଦିରର ସାମାନ୍ୟତମ ରକ୍ଷାଣବେକ୍ଷଣ କାମ କରି ନାହିଁ। ଫଳରେ ଏପରି ଅବସ୍ଥା ହୋଇଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର