ପୁରୀ : ବର୍ଷବର୍ଷ ଧରି ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମଦିନରେ ଅର୍ଥାତ୍‌ ହେରାପଞ୍ଚମୀରେ ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କ ଏହି ଗୋପନଯାତ୍ରା ଓ ରଥଭଙ୍ଗା ନୀତି ସଂପନ୍ନ ହୋଇ ଆସୁଥିଲା। କିନ୍ତୁ, ଚଳିତଥର ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ପରମ୍ପରାକୁ ଭାଙ୍ଗି ୫ ଦିନ ବଦଳରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ୬ ଦିନରେ ହେରାପଞ୍ଚମୀ ନୀତି ସଂପନ୍ନ ହୋଇଛି। ଆଜି ଭୋର୍‌ ପ୍ରାୟ ୫ଟା ୨୫ରେ ମା’ଙ୍କ ଏହି ନୀତି ସଂପନ୍ନ ହୋଇଛି। ସେପଟେ ନୀତି ବିଳମ୍ବ ଯୋଗୁ ଆଜି ବି ମହାପ୍ରଭୁ ଅନିଦ୍ରା ରହିଛନ୍ତି। ବିନା ପହୁଡ଼ରେ ମହାପ୍ରଭୁଙ୍କ ଆଜିର ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଛି।

Advertisment

ରୁକ୍ମିଣୀ ହରଣ ଏକାଦଶୀରେ ବିବାହ ପରେ ମହାପ୍ରଭୁ ଚତୁର୍ଥୀ(ଚତୁର୍ଦ୍ଦଶୀ ତିଥି)ରେ ସ୍ନାନବେଦିକୁ ବିଜେ କରିଥିଲେ। ସ୍ନାନବେଦିରେ ଅତ୍ୟଧିକ ସ୍ନାନପରେ ଜ୍ୱରରେ ପଡ଼ି ଅଣସର ଘରେ ଗୋପନ ଉପଚାରରେ ରହିଲେ। ଭଲ ହୋଇ ଅଣସର ଘରୁ ବାହାରିଛନ୍ତି କି ନାହିଁ, ମା’ ଲକ୍ଷ୍ମୀ ସାଆନ୍ତାଣୀ(ରୁକ୍ମିଣୀ)ଙ୍କ ଅଜାଣତରେ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ଯାତ୍ରା କରିଛନ୍ତି। ରତ୍ନବେଦି ଛାଡ଼ି ଜନ୍ମବେଦିକୁ ବୁଲି ଆସିଛନ୍ତି। ସେପଟେ ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କ ଅଙ୍ଗବାସରୁ ବିବାହ ଗଇଣ୍ଠାଳ ବି ଫିଟିନି। ନବବିବାହିତା ଲକ୍ଷ୍ମୀ ଠାକୁରାଣୀ ବିରହ ବେଦନା ସହ୍ୟ କରି ନ ପାରି ମା’ ବିମଳାଙ୍କ ପରାମର୍ଶ କ୍ରମେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନଯାତ୍ରା କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଅଭିମାନୀ ଲକ୍ଷ୍ମୀ ଅପମାନ ଓ ରାଗରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବା ସହ ନିରାଡ଼ମ୍ବର ଶୋଭାଯାତ୍ରାରେ ପୁନର୍ବାର ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି।

ଠାକୁରାଣୀଙ୍କ ଗସ୍ତ ପୂର୍ବରୁ ମହାପ୍ରଭୁଙ୍କ ବନକଲାଗି (ଶ୍ରୀମୁଖ ଶୃଙ୍ଗାର) ହୋଇଥିଲା। ଶ୍ରୀମନ୍ଦିର ଦକ୍ଷିଣି ଘରେ ବିଜେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ବି ପାଳିଆ ମହାଜନେ ମାଜଣା କରିଥିଲେ। ଏହାପରେ ମା’ଙ୍କ ବନକଲାଗି ସହ ପାଟ ଶାଢ଼ି, ଅଳଙ୍କାର ଲାଗିହୋଇ ସେବକଙ୍କ ଦ୍ୱାରା ପନ୍ତିଭୋଗ ନୀତି ବଢ଼ିଥିଲା। ଭୋଗପରେ ବିମାନରେ ମା’ ଲକ୍ଷ୍ମୀ ଠାକୁରାଣୀ ଘଣ୍ଟ, ଛତା ପଟୁଆରରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କରିଥିଲେ। ହେରାପଞ୍ଚମୀ ନୀତି ନନ୍ଦିଘୋଷ ରଥ ପାଖରୁ ଆରମ୍ଭ ହୋଇଥିଲା। ରଥ ତଳେ ମା’ଙ୍କ ନୀତି ସଂପନ୍ନ ହୋଇଥିଲା।