ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନ ପରେ ୬ଟି ଉପନିର୍ବାଚନ ହୋଇସାରିଲାଣି। ପ୍ରଥମ ଉପନିର୍ବାଚନ ବିଜେପୁରରେ ଓ ଷଷ୍ଠ ଉପନିର୍ବାଚନ ଧାମନଗରରେ ହୋଇଛି। ବିଜେପୁରରୁ ଆରମ୍ଭ ହୋଇଥିବା ବିଜେଡିର ବିଜୟଧାରାରେ ଧାମନଗରରେ ବ୍ରେକ୍ ଲାଗିଛି। ଏହା ସତ୍ୟ ଯେ ଏହି ହାର୍‌ଜିତ୍ ରାଜ୍ୟ ରାଜନୀତିରେ ସଂଖ୍ୟା ଦୃଷ୍ଟିରୁ କିଛି ପ୍ରଭାବ ପକାଇବ ନାହିଁ। ଧାମନଗର ବିଜେପି ହାତରେ ଥିଲା ଓ ବିଜେପିର ହୋଇ ରହିଲା। କିନ୍ତୁ ଶାସକ ବିଜେଡିର ପରାଜୟକୁ ରାଜନୈତିକ ମହଲ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବିଜେଡିର ଆଭ୍ୟନ୍ତରୀଣ ମହଲରେ ଏହି ଫଳାଫଳ ଆଲୋଡ଼ନ ସୃଷ୍ଟି କରିଛି। ଦଳ ଏବେ ପରାଜୟର କାରଣ ନେଇ ମାନସ ମନ୍ଥନ ଆରମ୍ଭ କରିଛି।

Advertisment

୨୦୧୯ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜର ହିଞ୍ଜିଳି ଆସନ ସହ ବିଜେପୁରରୁ ନିର୍ବାଚନ ଲଢ଼ିଥିଲେ। ଉଭୟ ଆସନ ଜିତିଲା ପରେ ବିଜେପୁର ଛାଡ଼ି ଦେଇଥିଲେ। ସେହି ବର୍ଷ ଅକ୍ଟୋବରରେ ସେଠାରେ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ରେକର୍ଡ ପରିମାଣର ଭୋଟ୍ ବ୍ୟବଧାନରେ ବିଜୟ ହାସଲ କଲେ।

ବର୍ଷକ ପରେ ଅର୍ଥାତ ୨୦୨୦ ନଭେମ୍ବରରେ ଏକା ସଙ୍ଗେ ଦୁଇଟି ଉପନିର୍ବାଚନ ହେଲା। ତିର୍ତ୍ତୋଲର ବିଜେଡି ବିଧାୟକ ବିଷ୍ଣୁ ଦାସ ଓ ବାଲେଶ୍ବରର ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ ଯୋଗୁ ଉଭୟ ଆସନରେ ଉପନିର୍ବାଚନ ହେଲା। ତିର୍ତ୍ତୋଲ ଆସନରେ ସ୍ବର୍ଗତ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ବିଜେଡିରୁ ପ୍ରାର୍ଥୀ ହେଲେ ଓ ବିଜୟ ଲାଭ କଲେ। କିନ୍ତୁ ଚର୍ଚ୍ଚାରେ ରହିଥିଲା ବାଲେଶ୍ବର ସଦର ଆସନ। ସ୍ବର୍ଗତ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ତାଙ୍କ ସପକ୍ଷରେ ଅନୁକମ୍ପା ଭୋଟ୍ ଥିଲା। ତାହା ସତ୍ତ୍ବେ ବିଜେଡି ସେହି ଆସନଟିକୁ ବିଜେପି ହାତରୁ ଛଡ଼ାଇ ଆଣିଲା। ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୧୩ ହଜାରରୁ ଅଧିକ ଭୋଟ୍‌ରେ ବିଜୟ ଲାଭ କଲେ।

publive-image

୨୦୨୧ ଅକ୍ଟୋବରରେ ହେଲା ପିପିଲି ଉପନିର୍ବାଚନ। ପିପିଲିର ତତ୍‌କାଳୀନ ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ଯୋଗୁ ଏହି ଆସନରେ ଉପନିର୍ବାଚନ ହୋଇଥିଲା। ସ୍ବର୍ଗତ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପଙ୍କୁ ବିଜେଡି ପ୍ରାର୍ଥୀ କଲା ଓ ସେ ୨୦ ହଜାରରୁ ଅଧିକ ଭୋଟ୍‌ରେ ବିଜୟ ଲାଭ କରି ବାପାଙ୍କ ଗଡ଼ ରକ୍ଷା କରିଥିଲେ।

୨୦୨୨ ଜୁନ୍ ମାସରେ ବ୍ରଜରାଜନଗରରେ ଉପନିର୍ବାଚନ ହେଲା। ତତ୍‌କାଳୀନ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ଯୋଗୁ ଏହି ଆସନଟି ଖାଲି ପଡ଼ିଥିଲା। ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ବିଜେଡିରୁ ପ୍ରାର୍ଥୀ ହେଲେ ଓ ସେ ୬୦ ହଜାରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଥିଲେ।

ଏହି ୫ଟି ଯାକ ଉପନିର୍ବାଚନରେ ବିଜେଡିର ଭୋଟ୍ ବ୍ୟବଧାନ ସାଧାରଣ ନିର୍ବାଚନ ଠାରୁ ଅଧିକ ରହିଥିଲା। ପୁଣି ଗୋଟିଏ ଆସନ ବିଜେପି ଠାରୁ ଛଡ଼ାଇ ଆଣି ବିଜେଡି ତା’ର ବିଜୟ ଧାରା ଜାରି ରଖିଥିଲା। ତେବେ ଧାମନଗର ଉପନିର୍ବାଚନ ସବୁ ଅଙ୍କକୁ ଗଡ଼ବଡ଼ କରିଦେଇଛି। ଗୋଟିଏ ପଟେ ବିଦ୍ରୋହୀ ପ୍ରାର୍ଥୀଙ୍କ ଆବିର୍ଭାବ ବିଜେଡିର ପରାଜୟର ପ୍ରମୁଖ କାରଣ ବୋଲି ରାଜନୈତିକ ମହଲରେ ଆକଳନ କରାଯାଉଛି। ତାହା ସହ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ସ୍ବର୍ଗତ ବିଷ୍ଣୁ ସେଠୀ ୪୬୨୫ ଖଣ୍ଡ ଭୋଟ୍‌ରେ ବିଜୟ ଲାଭ କରିଥିଲା ବେଳେ ଏବେ ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ୯୮୦୨ ଭୋଟ୍ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି।

ଧାମନଗର ଫଳାଫଳ ପରେ ଏବେ ସମସ୍ତଙ୍କ ନଜର ପଦ୍ମପୁର ଉପନିର୍ବାଚନ ଉପରେ। ଆଉ ମାସକ ପରେ ଅର୍ଥାତ ଡିସେମ୍ବର ୫ ତାରିଖରେ ଏହି ଉପନିର୍ବାଚନ। ଗୋଟିଏ ପଟେ ଧାମନଗର ବିଜୟକୁ ନେଇ ବିଜେପି ଶିବିର ଉତ୍ସାହିତ ଅଛି। ଆଜି ଦଳର ବରିଷ୍ଠ ନେତାମାନେ ବିଜୟ ଉତ୍ସବ ପାଳନ କରିବା ସହ ପଦ୍ମପୁର ପାଇଁ ସଜବାଜ ଆରମ୍ଭ କରିଦେଇଛନ୍ତି। ଅନ୍ୟ ପଟେ ଧାମନଗର ଭୁଲ୍ ଯେପରି ପଦ୍ମପୁରରେ ପୁନରାବୃତ୍ତି ନ ହୁଏ, ସେଥି ପାଇଁ ବିଜେଡି ବି ବେଶ୍ ସତର୍କତାର ସହ ରଣନୀତି ପ୍ରସ୍ତୁତ କରିବ। ପ୍ରାର୍ଥୀ ଚୟନ ଏବେ ଦଳ ପାଇଁ ସବୁଠାରୁ ବଡ଼ କାମ ହେବ। ପଦ୍ମପୁରରେ ଗତ ଦୁଇଟି ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ୨୦୧୪ରେ ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂହ ବରିହାଙ୍କୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୪୫୧୩ ଭୋଟ୍‌ରେ ପରାସ୍ତ କରିଥିଲେ। ୨୦୧୯ରେ ଶ୍ରୀ ବରିହାଙ୍କ ଠାରୁ ବିଜେପି ପ୍ରାର୍ଥୀ ଶ୍ରୀ ପୁରୋହିତ ୫୭୩୪ ଭୋଟ୍ରେ ହାରିଯାଇଥିଲେ।

କେଉଁ ମସିହାରେ ଧାମନଗର ନିର୍ବାଚନରେ କିଏ କେତେ ଭୋଟ୍‌ ପାଇଥିଲେ

publive-image