ଭୁବନେଶ୍ବର : ରାଜ୍ୟର ଆଉ ୧୮ ସ୍ବାସ୍ଥ୍ୟାନୁଷ୍ଠାନରେ ଖୋଲିବ ସ୍ତନ୍ୟପାନ ପରିଚାଳନା ୟୁନିଟ୍ ବା ଏଲ୍ଏମ୍ୟୁ। ଚଳିତ ଓ ଆସନ୍ତା ଆର୍ଥିକ ବର୍ଷରେ ଏସବୁ ୟୁନିଟ୍ ଖୋଲିବା ଲାଗି ଅନୁମୋଦନ ମିଳିଛି। କ୍ୟାପିଟାଲ ହସ୍ପିଟାଲରେ ବିସ୍ତୃତ ସ୍ତନ୍ୟପାନ ପରିଚାଳନା ୟୁନିଟ୍ ବା ସିଏଲ୍ଏମ୍ୟୁର ସଫଳତା ପରେ ରାଜ୍ୟର ଅନ୍ୟ ସ୍ଥାନରେ ଏହାକୁ ଖୋଲିବା ଲାଗି ନିଷ୍ପତ୍ତି ହୋଇଛି। ଜାତୀୟ ସ୍ବାସ୍ଥ୍ୟ ମିସନ୍ ବା ଏନ୍ଏଚ୍ଏମ୍ ଜରିଆରେ ଏହାକୁ ପ୍ରତିଷ୍ଠା କରାଯିବ। ଆସନ୍ତା ୨ବର୍ଷ ଭତିରେ ରାଜ୍ୟରେ ଏହି ସଂଖ୍ୟା ୨୧କୁ ବୃଦ୍ଧି ପାଇବ।
ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନ୍ଏଫ୍ଏଚ୍ଏସ୍-୫ରେ ରାଜ୍ୟରେ ୬ମାସରୁ କମ୍ ୭୨.୯ ପ୍ରତିଶତ ଶିଶୁ କେବଳ ସ୍ତନ୍ୟପାନ କରୁଛନ୍ତି। ଏଥିରେ ସହରାଞ୍ଚଳରେ ୬୮.୩ ଓ ଗ୍ରାମାଞ୍ଚଳରେ ୭୩.୭ ପ୍ରତିଶତ ରହିଛି। ସେହିପରି ୩ବର୍ଷରୁ କମ୍ ୬୮.୫ ପ୍ରତିଶତ ଶିଶୁ ସ୍ତନ୍ୟପାନ କରୁଥିବା କୁହାଯାଇଛି। ତହିଁରେ ସହରାଞ୍ଚଳରେ ୬୭.୯ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୬୮.୬ ପ୍ରତିଶତ ରହିଛନ୍ତି। ତେଣୁ ଅଧିକରୁ ଅଧିକ ମା’କ୍ଷୀରକୁ ପିଲାଙ୍କୁ ଦେବା ଲାଗି ଏହି ଦୁଇ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି। ପୂର୍ବରୁ କ୍ୟାପିଟାଲ ହସ୍ପିଟାଲ ସମେତ ଏମ୍କେସିଜି, ବ୍ରହ୍ମପୁର ଓ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜରେ ଏଭଳି ମିଲ୍କ ବ୍ୟାଙ୍କ ଖୋଲିବା ଲାଗି ନିଷ୍ପତ୍ତି ହୋଇଥିଲା। ଏସ୍ସିବିରେ ସିଏଲ୍ଏମ୍ୟୁ ଓ ଏମ୍କେସିଜିରେ ଏଲ୍ଏମ୍ୟୁ ଖୋଲିବ। ହେଲେ କେଉଁଠି ଜାଗା ସମସ୍ୟା ତ ଆଉ କେଉଁଠି ଅନ୍ୟ କାରଣ ପାଇଁ ଏସବୁର କାର୍ଯ୍ୟକ୍ଷମ ପ୍ରକ୍ରିୟା ବିଳମ୍ବିତ ହୋଇଛି। ତେଣୁ ଏହି ୨ ସ୍ଥାନରେ ଏହାକୁ ପ୍ରତିଷ୍ଠା କରିବା ଲାଗି ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ସିଏଲ୍ଏମ୍ୟୁରେ ଉଭୟ କ୍ଷୀରର ପାଶ୍ଚୋରାଇଜେସନ୍(ଏକପ୍ରକାର ଜୀବାଣୁମୁକ୍ତ ବ୍ୟବସ୍ଥା) ସହିତ କ୍ଷୀର ସଂଗ୍ରହ ବ୍ୟବସ୍ଥା ରହିଥାଏ। ଏଲଏମ୍ୟୁରେ କେବଳ କ୍ଷୀର ସଂଗ୍ରହର ବ୍ୟବସ୍ଥା ରହିଛି।
ରାଜ୍ୟରେ ନବଜାତକ ଶିଶୁଙ୍କ ମୃତ୍ୟୁ ଯଥେଷ୍ଟ ହ୍ରାସ ପାଇଛି। ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରିପୋର୍ଟରେ ଏଥିରେ ୩୯ ପଏଣ୍ଟ ହ୍ରାସ ପାଇଥିଲା। ଏବେ ୧ହଜାର ଜୀବନ୍ତ ଶିଶୁଙ୍କ ମଧ୍ୟରେ ୩୬ଜଣ ମୃତ୍ୟୁ ହେଉଛି। ଏହାକୁ ଆହୁରି ହ୍ରାସ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ବିଶେଷକରି ସମୟ ପୂର୍ବରୁ ଜନ୍ମଲାଭ କରୁଥିବା ଶିଶୁମାନଙ୍କଠାରେ ନିଜ ମା’କ୍ଷୀର ଖାଇବାରେ ସମସ୍ୟା ଉପୁଜିଥାଏ। ଯାହାଫଳରେ ସେମାନଙ୍କୁ ବାହାର ଖାଦ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଯାହାକି ସେମାନଙ୍କଠାରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରିଥାଏ। ତେଣୁ ଏହାକୁ ଦୂର କରିବା ଲାଗି ସିଏଲ୍ଏମ୍ୟୁ ଓ ଏଲ୍ଏମ୍ୟୁ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି। ଚଳିତ ଆର୍ଥିକ ବର୍ଷରେ ବାଲେଶ୍ବର, ମାଲକାନଗିରି, କଳାହାଣ୍ଡି, ବୁର୍ଲା, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ନବରଙ୍ଗପୁର ଓ କୋରାପୁଟରେ ପ୍ରତିଷ୍ଠା ଲକ୍ଷ୍ୟ ରହିଛି। ୨୦୨୩/୨୪ ଆର୍ଥିକ ବର୍ଷରେ ପୁରୀ, ବରଗଡ଼, ନୟାଗଡ଼, ଗଜପତି, ରାୟଗଡ଼ା, ନୂଆପଡ଼ା, ଢେଙ୍କାନାଳ, କେନ୍ଦୁଝର, ଯାଜପୁରରେ ଏଲ୍ଏମ୍ୟୁ ଖୋଲିବ।
ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ମତରେ କ୍ୟାପିଟାଲ ହସ୍ପିଟାଲ ସମେତ ଏସ୍ସିବିରେ ସିଏଲ୍ଏମ୍ୟୁ ବ୍ୟବସ୍ଥା ରହିବ। ଏଠାରେ ମା’ମାନେ ନିଜ ପିଲାଙ୍କୁ କ୍ଷୀର ଦେବା ସହିତ ବଳକା କ୍ଷୀରକୁ ପଶ୍ଚୋରାଇଜଡ୍ କରାଯାଇ ସଂରକ୍ଷିତ ରଖାଯିବ। ଯାହାଫଳରେ ଯେଉଁମାନେ କ୍ଷୀର ଖାଇବାକୁ ପାଉନାହାନ୍ତି ସେମାନେ ମଧ୍ୟ ପାଇପାରିବେ। ନବଜାତକ ମୃତ୍ୟୁ ହ୍ରାସ କରିବା ଦିଗରେ ଏଲ୍ଏମ୍ୟୁ ଓ ସିଏଲଏମ୍ୟୁ ସହାୟକ ହେବ। ଆଉ ୧୮ଟି ଏଲଏମ୍ୟୁ ଖୋଲିବା ପରେ ପ୍ରାୟ ରାଜ୍ୟବ୍ୟାପୀ ଏହି ସୁବିଧା ଉପଲବ୍ଧ ହୋଇପାରିବ ବୋଲି ସେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/milk-bank.jpg)