ଧଉଳି: ଶନିବାର ପୂର୍ବାହ୍ନରେ ସ୍ଥାନୀୟ ରଘୁନାଥନଗର ଲେନ୍-୨ ଅଞ୍ଚଳରେ ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ରୁନ୍ଧି ହୋଇ ୨ ବଙ୍ଗୀୟ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ନବନିର୍ମିତ ଟାଙ୍କି ଭିତରେ ଲଗା ଯାଇଥିବା ସଟରିଂ ପଟା ଖୋଲୁଥିବା ବେଳେ ଏହି ଅଘଟଣ ଘଟିଛି। ମୃତକଦ୍ବୟ ହେଲେ ପଶ୍ଚିମବଙ୍ଗ ବିର୍ହମ ଜିଲ୍ଲା ପାଇଖେତ ଥାନା ନୟାଗ୍ରାମର ସେକ୍ ସଫିକୁଲ୍ (୩୦) ଓ ତାଙ୍କ ପୁତୁରା ସେକ୍ ଗୋଲ୍ସନଲ। ଉପଯୁକ୍ତ କ୍ଷତିପୂରଣ ଦାବିରେ ଆଜି ସନ୍ଧ୍ୟାରେ ଶ୍ରମିକଙ୍କ ସମ୍ପର୍କୀୟମାନେ ଧଉଳି ଥାନାରେ ପହଞ୍ଚି ହୋ-ହଲ୍ଲା କରିଥିଲେ। ଉଭୟ ଘର ମାଲିକ ଓ ଠିକା ସଂସ୍ଥା ପକ୍ଷରୁ ମୃତକମାନଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରାଯାଇଛି। ପୁଲିସ ବୁଝାସୁଝା କରିଥିଲେ ବି ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଘର ମାଲିକ ଥାନାକୁ ଆସି କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ନଦେବା ଯାଏ, ସେମାନେ ହଟିବେ ନାହିଁ ବୋଲି କହିଛନ୍ତି।
ସୂଚନାନୁସାରେ ଗତ ପ୍ରାୟ ୨ ସପ୍ତାହ ପୂର୍ବେ ଘର ମାଲିକଙ୍କ ଘର ଓ ପାଇଖାନା ଟାଙ୍କିର ଛାତ ଢଳେଇ ପଡ଼ିଥିଲା। ଆଜି ପୂର୍ବାହ୍ନରେ ଘର ଓ ପାଇଖାନା ଟାଙ୍କିରେ ଲାଗିଥିବା ସଟରିଂ ପଟା ଖୋଲାଯିବାର ଥିଲା। ଟାଙ୍କିରୁ ପଟା ବାହାର କରିବାକୁ ସଫିକୁଲ ଓ ଗୋଲ୍ସନଲଙ୍କ ସହିତ ଆଉ ୨ ଶ୍ରମିକ ଲାଗିଥିଲେ। ଗୋଲ୍ସନଲ ପ୍ରଥମେ ଟାଙ୍କି ଭିତରକୁ ପଶିଥିଲେ ଏବଂ ତାଙ୍କ ପଛେପଛେ ତାଙ୍କ ଦାଦା ସଫିକୁଲ୍ ଭିତରକୁ ଯାଇଥିଲେ। ସେମାନେ ଭିତରେ ପଟା ବାହାର କରୁଥିବା ବେଳେ ଅନ୍ୟ ଦୁଇ ଶ୍ରମିକ ଉପରେ ଥାଇ ପଟା ସଂଗ୍ରହ କରୁଥିଲେ। କିଛି ସମୟ ପରେ ଭିତରୁ ଉଭୟ ଦାଦା, ପୁତୁରାଙ୍କ ପାଟି ଶୁଭିନଥିଲା।
ସେମାନେ ଶ୍ବାସରୁଦ୍ଧ ହୋଇ ଭିତରେ ସଂଜ୍ଞାହୀନ ହୋଇପଡ଼ିଥିଲେ। ସନ୍ଦେହ ହେବାରୁ ଉପରେ ଥିବା ୨ ଶ୍ରମିକ ସେମାନଙ୍କୁ ଡାକ ପକାଇଥିଲେ। ମାତ୍ର ଉତ୍ତର ମିଳିନଥିଲା। ତେଣୁ ସେମାନେ ବିକଳ ହୋଇ ସ୍ଥାନୀୟ ଲୋକଙ୍କୁ ଡାକ ପକାଇଥିଲେ। ସେମାନଙ୍କ ପାଟି ଶୁଣି ଲୋକମାନେ ଧାଇଁ ଆସିଥିଲେ ବି ଭିତରକୁ ପଶିବାକୁ କାହାର ସାହସ ନଥିଲା। ଖବର ପାଇ ଧଉଳି ଥାନା ପୁଲିସ ଓ କଳ୍ପନା ଅଗ୍ନିଶମ କେନ୍ଦ୍ରର ଯବାନମାନେ ସେଠାରେ ପହଞ୍ଚିଥିଲେ। ସେମାନେ ଟାଙ୍କି ଭିତରୁ ଦୁଇ ଶ୍ରମିକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ପଠାଇଥିଲେ। ମାତ୍ର ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା ଏବଂ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା। ହସ୍ପିଟାଲରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିବା ଖବର ପାଇ ବିଭିନ୍ନ ଶ୍ରମିକ ସଂଗଠନ ସେଠାରେ ପହଞ୍ଚିଥିଲେ। ପୁଲିସଠାରୁ ଖବର ପାଇ ମୃତକମାନଙ୍କ ସମ୍ପର୍କୀୟମାନେ ସନ୍ଧ୍ୟାରେ ଥାନାରେ ପହଞ୍ଚିଥିଲେ।