ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍‌ର ବଣସିଂହ ପଞ୍ଚାୟତ ନିକଟ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ଅବବାହିକାରେ ରହିଛି କଇଁଛ ପ୍ରଜନନ ସ୍ଥାନ। ମହାନଦୀ ସମେତ ଅନ୍ୟାନ୍ୟ ନଦୀରୁ ୬ଟି ପ୍ରଜାତିର କଇଁଛ ଏହି ସ୍ଥାନକୁ ସୁରକ୍ଷିତ ମନେ କରି ଅଣ୍ଡାଦେବାକୁ ଆସିଥା’ନ୍ତି। ତେବେ ବ୍ୟାପକ ଚୋରା ବାଲିଚାଲାଣ, ମାଛ ମାରିବା ପାଇଁ ଡିନାମାଇଟ୍‌ ବିସ୍ଫୋରଣ, ପ୍ରଦୂଷିତ ଜଳ ସହ ଅଣ୍ଡା ଚୋରି ହୋଇ ଯାଉଥିବାରୁ ମଧୁର ଜଳ କଇଁଛଙ୍କ ଏହି ପ୍ରଜନନ କେନ୍ଦ୍ର ଉଜୁଡ଼ିଯାଉଛି। ଗତ ୩ ବର୍ଷ ହେଲା ଏଠାକୁ କଇଁଛ ଅଣ୍ଡା ଦେବାକୁ ଆସିବା କମିଯାଇଛି।

Advertisment

ବଣସିଂହ ପଞ୍ଚାୟତର ବ୍ରାହ୍ମଣୀ ନଦୀତଟର ଉତ୍ତର ପାର୍ଶ୍ବର ବୁଢ଼ୀବିଲି, ଭଇରପୁର, ବୋଲୁଅ, ରାଙ୍କିଆ ଏବଂ ଦକ୍ଷିଣ ପାର୍ଶ୍ବରେ ଭୂଇଁପୁର, ଶଙ୍କରପୁର, ବଣସିଂହ, ନୂଆପଡ଼ା ଆଦି ଅଞ୍ଚଳକୁ ମଧୁରଜଳ କଇଁଛମାନେ ପ୍ରଜନନ କେନ୍ଦ୍ର ଭାବେ ବାଛିଛନ୍ତି। ସଂପୃକ୍ତ ଅଞ୍ଚଳର ପ୍ରାୟ ୨କିମି ବାଲିଶଯ୍ୟା ଭିତରେ କଇଁଛମାନେ ଅଣ୍ଡା ଦେଇଥା’ନ୍ତି। ସାଧାରଣତଃ ବାଲିସ୍ତରଠାରୁ ଏହି ଅଞ୍ଚଳଗୁଡ଼ିକ ଉଚ୍ଚ ହୋଇ କୁଦ ପରି ରହିଥାଏ। ଉପରୋକ୍ତ ଅଞ୍ଚଳର ବାଲିଶଯ୍ୟା ଶୁଖିଲା ରହିବା ସହ ସେଠାରେ ସରୁ ବାଲି ରହିଥାଏ। ପାଣିଠାରୁ ଏହି କୁଦଟି ସାମାନ୍ୟ ଦୂରରେ ଥିବାରୁ ଏହାକୁ ସୁରକ୍ଷିତ ମନେକରି କଇଁଛମାନେ ଅଣ୍ଡାଦେବାକୁ ଆସନ୍ତି। ନଭେମ୍ବରରୁ ଫେବ୍ରୁଆରି ଶେଷ ପର୍ଯ୍ୟନ୍ତ ଦେଉଳି, ପଙ୍କୁଆ, କାମୁଡ଼ା, କୁଶାଙ୍ଗି, ଚାଭେରି, ମୟୂରଚୁଳିଆ ଆଦି ୬ ପ୍ରଜାତିର କଇଁଛ ଏଠାକୁ ଅଣ୍ଡାଦେବାକୁ ଆସିଥା’ନ୍ତି। ‘ଦେଉଳି କଇଁଛ’ର ଓଜନ ପ୍ରାୟ ୧୫ କେଜି ପର୍ଯ୍ୟନ୍ତ ହୋଇଥିବା ବେଳେ ସେମାନେ ଥରକେ ୨୦ ଟି ପର୍ଯ୍ୟନ୍ତ ଅଣ୍ଡା ଦେଇଥା’ନ୍ତି।

ବାଲି ଉତ୍ତୋଳନ, ଡିନାମାଇଟ୍‌ ବିସ୍ଫୋରଣ ହୋଇଛି କାଳ
ନଦୀରେ ମିଶୁଛି କାରଖାନାର ପ୍ରଦୂଷିତ ବର୍ଜ୍ୟ ଜଳ  

‘ପଙ୍କୁଆ’ ପ୍ରଜାତିର କଇଁଛ ରାଙ୍କିଆ ନାଳ ଏବଂ ବଡ଼ଜୋରା ନାଳ ଆସି ବ୍ରାହ୍ମଣୀରେ ମିଶିବା ସ୍ଥାନରେ ଅଣ୍ଡା ଦେଇଥା’ନ୍ତି।। ସେମାନଙ୍କ ଓଜନ ପ୍ରାୟ ୭/୮ କେଜି ରହିଥିବା ବେଳେ ଥରକେ ୨୦ ଟି ଅଣ୍ଡା ଦେଇଥା’ନ୍ତି। ‘କାମୁଡ଼ା’ ପ୍ରଜାତିର କଇଁଛ ଖୁବ୍‌ ରାଗି ଏବଂ ଧରିବାକୁ ଚେଷ୍ଟା କଲେ କାମୁଡ଼ି ଦିଅନ୍ତି। ଏହି କଇଁଛ ଏକକାଳୀନ ୮୦ ଟି ପର୍ଯ୍ୟନ୍ତ ଅଣ୍ଡା ଦେଇଥା’ନ୍ତି। ଓଜନ ପ୍ରାୟ ୩୨ କେଜି। ଏହାର ଶରୀର କୋମଳ ହୋଇଥିବାରୁ ଏହାକୁ ଖାଦ୍ୟ ଭାବେ ଲୋକେ ଅଧିକ ପସନ୍ଦ କରିଥା’ନ୍ତି। ଏହି ପ୍ରଜାତିର କଇଁଛ ଓ ଅଣ୍ଡାଗୁଡ଼ିକ ବଡ଼ ହୋଇଥିବାରୁ ଏଗୁଡ଼ିକ ଅଧିକ ଚୋରି ହୋଇଥାଏ। କୁଶାଙ୍ଗି  ଓ ଚାଭେରି ପ୍ରଜାତିର କଇଁଛମାନେ ମଧ୍ୟ ୮୦ ଟି ପର୍ଯ୍ୟନ୍ତ ଅଣ୍ଡା ଦେଇଥା’ନ୍ତି। ଏମାନଙ୍କର ମଧ୍ୟ କୋମଳ ଶରୀର, ଓଜନ ପ୍ରାୟ ୧୫ରୁ ୨୦ କେଜି ପର୍ଯ୍ୟନ୍ତ ରହିଥାଏ। ‘ମୟୂରଚୁଳିଆ’ କଇଁଛ ପିଠିରେ ମୟୂର ଚନ୍ଦ୍ରିକା ପରି ଚିହ୍ନ ରହିଥାଏ।  ସେମାନଙ୍କ ଓଜନ ପ୍ରାୟ ୧୨ କେଜି ପର୍ଯ୍ୟନ୍ତ ରହିଥାଏ। ଏହି ପ୍ରଜାତିର କଇଁଛର ପ୍ରଜନନ ପ୍ରକ୍ରିୟା ଅତ୍ୟନ୍ତ ବିଚିତ୍ର। ଅଣ୍ଡାରୁ ଛୁଆ ହେବା ଲାଗି ପ୍ରାୟ ୧ ବର୍ଷ ସମୟ ଲାଗିଯାଇଥାଏ।

ବ୍ରାହ୍ମଣୀ ନଦୀ ଅବବାହିକାସ୍ଥିତ ଏହି ପ୍ରଜନନ କେନ୍ଦ୍ରଗୁଡ଼ିକୁ ପୂର୍ବରୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା। ଏଥିପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଥିଲା। ସ୍ଥାନୀୟ ଯୁବକ ଏବଂ ପରିବେଶବିତ୍‌ମାନଙ୍କ ସହଯୋଗରେ ବନ ବିଭାଗ ପକ୍ଷରୁ ଏଠି ବ୍ୟାପକ କାର୍ଯ୍ୟକ୍ରମ କରାଯାଇ କଇଁଛ ସୁରକ୍ଷା ପାଇଁ ପ୍ରଚାର ପ୍ରସାର କରାଯାଉଥିଲା। ୨୦୨୨ ମସିହା ପରଠାରୁ ଏଥିରେ ସହଯୋଗ କରୁଥିବା ନିର୍ଦ୍ଦିଷ୍ଟ ସଂସ୍ଥାମାନଙ୍କୁ ଦୂରେଇ ଦେଇ ବନ ବିଭାଗ ଏହାର ସୁରକ୍ଷା ଦାୟିତ୍ୱ ନେଇଛନ୍ତି। ହେଲେ ଠିକ୍‌ ଭାବେ ସଚେତନ କରାଯାଉ ନାହିଁ। ପ୍ରଜନନ କେନ୍ଦ୍ର ନିକଟବର୍ତ୍ତୀ ଅଞ୍ଚଳରୁ ବ୍ୟାପକ ବାଲି ଉତ୍ତୋଳନ କରାଯାଉଛି। ମାଛ ମାରିବା ଲାଗି ଡିନାମାଇଟ୍‌ ଫୁଟାଯାଇ ଶବ୍ଦ ପ୍ରଦୂଷଣ ହେଉଛି। ନଦୀରେ ବିଭିନ୍ନ କାରଖାନାର ପ୍ରଦୂଷିତ ବର୍ଜ୍ୟ ଜଳ ଛଡ଼ାଯିବା, ଅଧିକ ମାତ୍ରାରେ ରେଙ୍ଗାଳି ପାଣି ଛାଡ଼ିବା ବେଳେ ପ୍ରଜନନ କେନ୍ଦ୍ରରେ ପଶିବା ଏବଂ ରକ୍ଷଣାବେକ୍ଷଣ ଅଭାବରୁ ଏହି ଅଞ୍ଚଳଗୁଡ଼ିକ ସଂପ୍ରତି କଇଁଛମାନଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ୁଛି। କଇଁଛମାନଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ବିଶେଷକରି ଏହି ଅବବାହିକାରେ ନିଆଁ ଜାଳି ଭୋଜିଭାତ କରାଯିବା ସହ କୋଳାହଳ ହେଉଛି। ଯାହାଫଳରେ ଏହି ପ୍ରଜନନ କେନ୍ଦ୍ର ନଷ୍ଟ ହେବା ସହ କଇଁଛମାନେ ମଧ୍ୟ ବିଲୁପ୍ତ ହୋଇଯିବେ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି। ପରିବେଶବିତ୍‌ ରାଜେନ୍ଦ୍ର ପାଣିଗ୍ରାହୀ କୁହନ୍ତି, ବଣସିଂହ ମାଳବନ୍ଧ ରାସ୍ତା ପାର୍ଶ୍ବରେ ଥିବା ନଦୀର ବାଲୁକାଶଯ୍ୟାକୁ ପୂର୍ବରୁ କଇଁଛ ଆସୁଥିଲେ। ଏବେ ସେମାନଙ୍କ ସଂଖ୍ୟା କମିଯାଇଛି। ସୁରକ୍ଷା ଦିଗରେ ଏବେଠାରୁ ଚିନ୍ତା କରା ନଗଲେ, ଆଗାମୀ ଦିନରେ ସେମାନଙ୍କ ବଂଶ ବୁଡ଼ିଯିବ ବୋଲି ସେ କହିଛନ୍ତି।