ଆସୁଛି ଅଲିଭ ରିଡ୍‌ଲେ କଇଁଛଙ୍କ ପ୍ରଜନନ ଋତୁ : ସୁରକ୍ଷା ପାଇଁ ୬୬ ପାଟ୍ରୋଲିଂ କ୍ୟାମ୍ପ, ନ‌ଭେମ୍ବର ୧ରୁ ୩୧ ଯାଏ ମାଛଧରା ନିଷେଧ

୧୦ ହଜାର ୬୬୬ ମତ୍ସ୍ୟଜୀବୀ ପରିବାରଙ୍କୁ ମିଳିବ ସହାୟତା

ଭୁବନେଶ୍ୱର : ଆଗକୁ ଅଲିଭ ରିଡ୍‌ଲେ କଇଁଛଙ୍କ ପ୍ରଜନନ ଋତୁ। ତାହାକୁ ଦୃଷ୍ଟିରେ ରଖି ପ୍ରଶାସନିକସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୬୬ଟି ପାଟ୍ରୋଲିଂ କ୍ୟାମ୍ପ କରାଯିବା ସହ ନଭେମ୍ବର ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ମାଛଧରା ନିଷେଧ ହୋଇଛି। ଏଥିସହ ୧୦ ହଜାର ୬୬୬ ପରିବାରକୁ ସହାୟତା ପ୍ରଦାନ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଷମତା ସମ୍ପନ୍ନ କମିଟି ‌ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଡ. ଶର୍ମା କହିଛନ୍ତି ଯେ ଅଲିଭ ରିଡ୍‌ଲେଙ୍କ ବଂଶ ବୃଦ୍ଧି, ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଚଳିତବର୍ଷ ଏହି ଧାରା ବଜାୟ ରଖିବାକୁ ହେବ। ସ୍ଥାନୀୟ ବାସିନ୍ଦା ଓ ସ୍ବେଚ୍ଛାସେବୀ ସଙ୍ଗଠନଙ୍କୁ ସକ୍ରିୟଭାବେ ସାମିଲ କରି ଏହି କାର୍ଯ୍ୟକ୍ରମକୁ ଏକ ଜନ-ଅଭିଯାନରେ ପରିଣତ କରିବାକୁ ପଡ଼ିବ। ଓଡ଼ିଶା ଉପକୂଳରେ ଅଲିଭ୍‌ ରିଡ୍‌ଲେ ସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସମୁଦ୍ର କଇଁଛଙ୍କ ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ‌ସାଟେଲାଇଟ୍‌ ମାଧ୍ୟମରେ ସେମାନଙ୍କ ଗତିବିଧି ସମ୍ବନ୍ଧିତ ତଥ୍ୟ ସଂଗ୍ରହ କରିବାକୁ ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନର ବିଶେଷଜ୍ଞ କେ ଶିବକୁମାରଙ୍କୁ ପରାମର୍ଶ ଦେଇଥିଲେ।

ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନ ବନ ସଂରକ୍ଷକ(ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ ଯୋଗଦେଇ କହିଲେ ୨୦୧୯-୨୦ ଆର୍ଥିକ ବର୍ଷରେ ବିଭିନ୍ନ ବିଭାଗଙ୍କ ପ୍ର‌ଚେଷ୍ଟା ଯୋଗୁଁ ସୁରକ୍ଷା ବଳୟକୁ କଡ଼ାକଡ଼ି କରାଯିବାରୁ ପ୍ରାୟ ୭.୩୦ ଲକ୍ଷ କଇଁଛ ଅଣ୍ଡା ଦେଇଥିଲେ। ୨୦୧୮-୧୯ରେ ଏହି ସଂଖ୍ୟା ୪.୫୧ ଲକ୍ଷ ଥିଲା। ବିଭିନ୍ନ କାରଣରୁ ୨୦୧୫-୧୬ରେ ୬୯୮୮ କଇଁଛ ମୃତ୍ୟୁ ବରଣ କରିଥିଲେ। ତେବେ ୨୦୧୮-୧୯ରେ ଏହି ସଂଖ୍ୟା‌ ୩୫୧୮କୁ ଖସି ଆସିଥିଲା। ଚଳିତ ପ୍ରଜନନ ଋତୁ ନିମନ୍ତେ ନଭେମ୍ବର ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଧାମରା, ଦେବୀ ଓ ଋଷିକୂଲ୍ୟା ମୁହାଣ ନିକଟ ସମୁଦ୍ର ଉପକୂଳରୁ ୨୦ କିମି ପର୍ଯ୍ୟନ୍ତ ନିର୍ଦ୍ଧାରିତ ଅଞ୍ଚଳରେ ମାଛମରା ନିଷେଧ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯନ୍ତ୍ର ଚାଳିତ ଡଙ୍ଗା, ଟ୍ରଲର ବା ଯାନ୍ତ୍ରିକ କୌଶଳରେ ମାଛମରା ନିଷେଧ ହେବ। ବିନା ମୋଟର ବୋଡ୍‌ରେ ପାରମ୍ପରିକ ଢଙ୍ଗରେ ମାଛ ମାରୁଥିବା‌ ମତ୍ସ୍ୟଜୀବୀଙ୍କୁ ଅଯଥାରେ ଅସୁବିଧାରେ ନ ପକାଇବା ପାଇଁ ଡ. ଶର୍ମା ନିର୍ଦେଶ ଦେଇଛନ୍ତି।

ମାଛମରା ନିଷେଧ ଯୋଗୁଁ ପ୍ରଭାବିତ ହେବାକୁ ଥିବା ପ୍ରାୟ ୧୦ ହଜାର ୬୬୬ ମତ୍ସ୍ୟଜୀବୀ ପରିବାରଙ୍କୁ ୭୫୦୦ ଟଙ୍କା ଲେଖାଏଁ ସହାୟତା ଦେବା ପାଇଁ ସ୍ଥିର ହୋଇଛି। ଏଥିସହ ଚଳିତବର୍ଷ ୬୧ଟି ଅନ୍‌-ସୋର ଓ ୫ଟି ଅଫ୍‌ ସୋର ପାଟ୍ରୋଲିଂ କ୍ୟାମ୍ପ କରାଯିବ। ଏପିଆର, ପୁଲିସ, କୋଷ୍ଟଗାର୍ଡ ପାଟ୍ରୋଲିଂ ସିପ୍‌ ଓ ସାମୁଦ୍ରିକ ଥାନାଗୁଡ଼ିକ ମଧ୍ୟରେ ସୂଚନା ଆଦାନପ୍ରଦାନ ପ୍ରକ୍ରିୟାକୁ ଅଧିକ ନିୟମିତ ଓ ଲକ୍ଷ୍ୟଭେଦୀ କରାଯିବ। ସ୍ଥାନୀୟ ପ୍ରତିନିଧି, ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ପ୍ରକୃତି ପ୍ରେମୀ ବ୍ୟକ୍ତିବିଶେଷଙ୍କୁ ଏଥିରେ ସାମିଲ କରି ଉପକୂଳରେ ଓଲିଭ୍‌ ରିଡ୍‌ଲେ ଅଣ୍ଡାର ସୁରକ୍ଷା ସହ ଛୁଆ ଫୁଟିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ସମୁଦ୍ରରେ ଛାଡ଼ିବା ପର୍ଯ୍ୟନ୍ତ କାର୍ଯ୍ୟ ଚାଲିବ। ଜଙ୍ଗଲ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଗୃହ ଓ ତଟ ସୁରକ୍ଷା ବାହିନୀ ଆଦି ବିଭାଗ ପରସ୍ପର ମଧ୍ୟରେ କ୍ଷେତ୍ରସ୍ତରୀୟ ସମନ୍ବୟ ରଖି କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି। ଡିଆରଡିଓ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର, ଉପକୂଳବର୍ତ୍ତୀ ୩ଟି ବନ୍ଦର କର୍ତୃପକ୍ଷ ସଂରକ୍ଷଣ ନିୟମକୁ କଡ଼ାକଡ଼ି ପାଳନ କରିବା ସହ ରାତି ସମୟରେ ତୀବ୍ର ଆଲୋକରଶ୍ମି ଅବନତ କରିବା ପାଇଁ ନିର୍ଦେଶ ଦିଆଯାଇଛି। ତୀବ୍ର ଆଲୋକରଶ୍ମି ଅଲିଭ୍‌ ରିଡ୍‌ଲେଙ୍କ ଉପରେ କୁପ୍ରଭାବ ପକାଇବାର ସମ୍ଭାବନା ଥିବାରୁ ଏହାର ନିୟନ୍ତ୍ରଣ କରିବାକୁ କୁହାଯାଇଥିଲା।

ବୈଠକରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, ପିସିସିଏଫ୍‌ ସନ୍ଦୀପ୍‌ ତ୍ରିପାଠୀ, ପ୍ରାଣୀ ସମ୍ପଦ ବିଭାଗ ସଚିବ ଆର୍‌ ରଘୁପ୍ରସାଦ, ଅଲିଭ୍‌ ରିଡ୍‌ଲେ ବିଶେଷଜ୍ଞ ପ୍ରିୟମ୍ବଦା ମହାନ୍ତି ହେଜ୍‌ମାଦୀ, ବନ୍ୟଜନ୍ତୁ ସଂରକ୍ଷକ ଅତିରିକ୍ତ ଶାସନ ସଚିବ ଶଶି ପଲ୍‌ଙ୍କ ସମେତ ଡିଆର୍‌ଡିଓ, ଆଇଟିଆର୍‌, ଧାମରା, ଗୋପାଳପୁର ଓ ପାରାଦୀପ ବନ୍ଦରର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର