ପୁଲିସକୁ ଲାଂଚ ଦେଇ ଫସିଲେ

ସୋହେଲା : ଧରାପଡ଼ିଥିବା କଫ୍‌ ସିରପ୍‌ ବେପାରୀଙ୍କୁ ଛାଡ଼ି ଦେବା ପାଇଁ ସୋହେଲା ଥାନା ଆଇଆଇସି ନିର୍ମଳ ମହାପାତ୍ରଙ୍କୁ ୪୦ହଜାର ଟଙ୍କା ଲାଂଚ ଦେବା ସମୟରେ ଅଭିଯୁକ୍ତର ସଂପର୍କୀୟ ଭାଇ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଛି। ଗୁରୁବାର ସକାଳେ ପୁଲିସ ପାଟ୍ରୋଲିଂ କରୁଥିବାବେଳେ ସୋହେଲାରୁ ଲୁହୁରାଚଟୀ ଆଡକୁ ଦ୍ରୁତଗତିରେ ଯାଉଥିବା ଏକ ନମ୍ବରବିହୀନ ଦାମୀ ମହିନ୍ଦ୍ରା ଏକ୍ସୟୁଭି-୫୦୦ କାରକୁ ସନ୍ଦେହରେ ଅଟକାଇ ଯାଂଚ କରିଥିଲା। ସେଥିରୁ ୩୦୦ ବୋତଲ ଏସ୍‌କଫ କଫ୍‌ ସିରପ୍‌ ବାହାରିଥିଲା । ପୁଲିସ କଫ୍‌ ସିରପ୍‌ ସମେତ କାର ଜବତ କରି ଚୂଡାମଣିଙ୍କୁ ଥାନାକୁ ଆଣିଥିଲା। ଚୂଡାମଣିର କାକାପୁଅ ଭାଇ ରାମକୃଷ୍ଣ ସେଠ ଥାନାକୁ ଆସି ଆଇଆଇସି ନିର୍ମଳ ମହାପାତ୍ରଙ୍କୁ ଭେଟି ଚୂଡ଼ାମଣି ଓ କାର୍‌କୁ ଛାଡ଼ିଦେବାକୁ ଏକଲକ୍ଷ ଟଙ୍କା ଯାଚିଥିଲେ। ବରଗଡ଼ ଏସପି ମୁକେଶ ଭାମୁ ଘଟଣା ଜାଣିବା ପରେ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କୁ ଜଣାଇଥିଲେ। ରାମକୃଷ୍ଣ ଅପରାହ୍ନ ପ୍ରାୟ ୩ଟାରେ ଆଇଆଇସିଙ୍କ ସରକାରୀ ବାସଭବନକୁ ଯାଇ ପୂର୍ବ କଥା ମୁତାବକ ଏକଲକ୍ଷ ଟଙ୍କାରୁ ନଗଦ ୪୦ହଜାର ଟଙ୍କା ଦେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

ସମ୍ବନ୍ଧିତ ଖବର