ଖୋର୍ଦ୍ଧା: ୨୦୧୩ରେ ଏକ ମାମଲାରେ ଚାର୍ଜସିଟ୍ ଦାଖଲ କରିବା ଓ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଧରାପଡ଼ିଥିଲେ ଖୋର୍ଦ୍ଧା ଟାଉନ୍ ଥାନାର ତତ୍କାଳୀନ ଏଏସ୍ଆଇ ଲକ୍ଷ୍ମୀଧର ପଣ୍ଡା । ସୋମବାର ଏହି ମାମଲାର ବିଚାର କରି ଭୁବନେଶ୍ୱର ଦୁର୍ନୀତିନିବାରଣ କୋର୍ଟ ଦୁଇଟି ପୃଥକ ମାମଲାରେ ଲକ୍ଷ୍ମୀଧରଙ୍କୁ ୫ ବର୍ଷ ଜେଲ୍ ଓ ୧୦ହଜାର ଟଙ୍କା ଜରିମାନା ଦଣ୍ଡ ଘୋଷଣା କରିଛନ୍ତି ।
ସୂଚନାନୁସାରେ, ଖୋର୍ଦ୍ଧା ଟାଉନ୍ ଥାନାର ତତ୍କାଳୀନ ଏଏସ୍ଆଇ ତଥା ବର୍ତ୍ତମାନ ବାଣପୁର ଥାନାରେ କାର୍ଯ୍ୟରତ ଲକ୍ଷ୍ମୀଧର ପଣ୍ଡା ୨୬୦/୨୦୧୩ ମାମଲାର ଅନୁସନ୍ଧାନ ଅଧିକାରୀ ଥିଲେ । ଅଭିଯୋଗକାରୀ ତ୍ରିଲୋଚନ ରଣସିଂହଙ୍କ ଠାରୁ ମାମଲାର ଚାର୍ଜସିଟ୍ ଦାଖଲ କରିବା ଓ ମାମଲାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଲକ୍ଷ୍ମୀଧର ୧୦ହଜାର ଟଙ୍କା ଲାଂଚ ମାଗିଥିଲେ । ଏନେଇ ତ୍ରିଲୋଚନ ୧୨ ଅଗଷ୍ଟ ୨୦୧୩ରେ ଭୁବନେଶ୍ୱର ଭିଜିଲାନ୍ସ ଆରକ୍ଷୀ ଅଧୀକ୍ଷକଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଖୋର୍ଦ୍ଧା ଶକୁନ୍ତଳା ମାର୍କେଟ୍ କଂପ୍ଲେକ୍ସ ନିକଟରେ ତ୍ରିଲୋଚନଙ୍କ ଠାରୁ ଏହି ଟଙ୍କା ଲକ୍ଷ୍ମୀଧର ଗ୍ରହଣ କରିବା ବେଳେ ଭିଜିଲାନ୍ସ ଇନସପେକ୍ଟର ସୁଶୀଲ ଏକ୍କାଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ ଧରିଥିଲା । ଏହି ମାମଲାରେ ୯ଜଣ ସାକ୍ଷୀଙ୍କ ବୟାନ, ଉଭୟ ପକ୍ଷର ଦଲିଲ ଶୁଣିବା ପରେ ସ୍ୱତନ୍ତ୍ର ଦୁର୍ନୀତିନିବାରଣ ମାଜିଷ୍ଟ୍ରେଟ୍ ସତ୍ୟନାରାୟଣ ଷଡ଼ଙ୍ଗୀ ଲକ୍ଷ୍ମୀଧରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୩(୨)ରେ ୩ ବର୍ଷ ଜେଲ୍ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଓ ଦୁର୍ନୀତି ନିବାରଣ ଆଇନର ଧାରା ୭ରେ ୨ବର୍ଷ ଜେଲ୍ ଓ ୫ହଜାର ଟଙ୍କା ଜରିମାନା ଦଣ୍ଡ ଶୁଣାଇଛନ୍ତି । ଜରିମାନା ଅନାଦେୟରେ ଅତିରିକ୍ତ ୩ମାସ ଲେଖାଏଁ ମୋଟ ୬ ମାସ ଜେଲ୍ ଦଣ୍ଡରେ ଦଣ୍ଡିତ ହେବେ । ଏହି ମାମଲାକୁ ଦୁର୍ନୀତିନିବାରଣ ବିଭାଗ ସରକାରୀ ଓକିଲ ହେମନ୍ତ କୁମାର ସ୍ୱାଇଁ ପରିଚାଳନା କରୁଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/imprisonment.jpg)