ବଢ଼ୁଛି ଲାଞ୍ଚୁଆ ସ˚ଖ୍ୟା : ତୃତୀୟ ଶ୍ରେଣୀରେ ବେଶୀ ଦୁର୍ନୀତି

ବରଗଡ଼ : ଦେଶରେ ଦୁର୍ନୀତି ସବୁଠୁ ବଡ଼ ପ୍ରସ˚ଗ ଭାବେ ଉଭା ହୋଇଛି। ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଧୢରେ ଦୋଷ ଲଦାଲଦି ହୋଇଥାଏ। ରାଜନୀତିରେ ଦୁର୍ନୀତିକୁ ନେଇ ଦଳ-ଦଳ ମଧୢରେ ଦୋଷାରୋପ ଚାଲିଥାଏ। ଦୁର୍ନୀତି ନିବାରଣ ପାଇଁ ବିଭିନ୍ନ ଯୋଜନା ହୋଇଥିଲେ ହେଁ ଏଥିରେ ଲଗାମ ଲାଗି ନାହିଁ। ବର˚ ଦୁର୍ନୀତିଖୋର ଏବ˚ ଲାଞ୍ଚୁଆଙ୍କ ସ˚ଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ବରଗଡ଼ ଜିଲ୍ଲା ମଧୢ ଏଥିରୁ ବାଦ ପଡ଼ିନାହିଁ। ଜିଲ୍ଲାରେ ଲାଞ୍ଚୁଆଙ୍କ ସ˚ଖ୍ୟାରେ ବୃଦ୍ଧି ଘଟିଛି। ଭିଜିଲାନ୍ସ ବିଭାଗର ରେକର୍ଡ ହିଁ ଏଭଳି ସମ୍ବେଦନଶୀଳ ଚିତ୍ର ବୟାନ କରୁଛି।

ରେକର୍ଡ ଅନୁସାରେ, ୨୦୧୭-୧୮ରେ ଜିଲ୍ଲା ଭିଜିଲାନ୍ସ ବିଭାଗରେ ମୋଟ୍‌ ୧୫ଟି ମାମଲା ହୋଇଥିଲା। ୨ଜଣ ଲାଞ୍ଚ ନେଲା ବେଳେ ନଗଦ ଟଙ୍କା ସମେତ ଧରାପଡ଼ିଥିଲେ। ୧୧ଜଣ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିଲେ। ସେହିପରି ଆୟ ବହିର୍ଭୂତ ମାମଲାରେ ୨ଜଣ ଭିଜିଲାନ୍ସ ଫାଶରେ ପଡ଼ିଥିଲେ। ଚଳିତ ବର୍ଷ ଏହି ସ˚ଖ୍ୟା ବଢ଼ି ଯାଇଛି। ନଭେମ୍ବର ମାସ ନସରୁଣୁ ୧୯ଟି ମାମଲା ଭିଜିଲାନ୍ସ ବିଭାଗ ଖାତାରେ ଚଢ଼ିଛି। ଏଥର ଲାଞ୍ଚ ନେଲାବେଳେ ୩ଜଣଙ୍କୁ ଭିଜିଲାନ୍ସ ବିଭାଗ ଧରିଥିଲା। ବିଭିନ୍ନ ଦୁର୍ନୀତି ମାମଲାରେ ୧୩ ଜଣ ଧରାପଡ଼ିଛନ୍ତି। ସେହିପରି ୩ଜଣ ଆୟ ବହିର୍ଭୂତ ମାମଲାରେ ଧରାପଡ଼ିଛନ୍ତି। ବର୍ଷ ଶେଷ ବେଳକୁ ଏହି ପରିସ˚ଖ୍ୟାନ ଆହୁରି ବଢ଼ିବା ଆଶ˚କା ରହିଛି। ସୂଚନା ମୁତାବକ, କିଛିି ମାସ ତଳେ ଭିଜିଲାନ୍ସ ବିଭାଗ କ୍ଷେତ୍ରରେ ନୂଆ ନିୟମ ଲାଗୁ ହୋଇଛି। ପୂର୍ବରୁ ନିଜ ଇଚ୍ଛା ମୁତାବକ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିଲା। ସନ୍ଦିଗ୍ଧଙ୍କ ଘର ଉପରେ ଚଢ଼ଉ କରି ଯା˚ଚ କରି ପାରୁଥିଲା। କିନ୍ତୁ ନୁଆ ନିୟମାନୁସାରେ ଏଥିପାଇଁ ବିଭାଗକୁ ଅଦାଲତରୁ ଅନୁମତି ଆଣିବାକୁ ପଡ଼ୁଛି।

ସମ୍ବଲପୁର ଭିଜିଲାନ୍ସ କୋର୍ଟ ଅଧୀନରେ ବରଗଡ଼ କାମ କରୁଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ଆନ୍ଦୋଳନ ଚାଲିଛି। ସମ୍ବଲପୁରରେ କୋର୍ଟ କଚେରୀ ବନ୍ଦ ରହିଛି। ଫଳରେ ସେଠାରୁ ଅନୁମତି ନମିଳୁଥିବା ଯୋଗୁଁ ଏଠାକାର ଭିଜିଲାନ୍ସ ବିଭାଗ ପୂର୍ବଭଳି ଅଭିଯାନ ଚଳାଇପାରୁ ନାହିଁ। ନଚେତ ଆହୁରି ଅଧିକ ଲାଞ୍ଚୁଆ ଧରାପଡ଼ିଥାନ୍ତେ ବୋଲି କୁହାଯାଉଛି। ତେବେ ଅନ୍ୟ ଏକ ରୋଚକ ମାମଲା ରେକର୍ଡରୁ ଜଣାପଡ଼ିଛି। ତୃତୀୟ ଶ୍ରେଣୀ କର୍ମଚାରୀମାନେ ସବୁୁଠୁ ବେଶି ଲାଞ୍ଚୁଆ ବୋଲି ରେକର୍ଡ କହୁଛି। ୨୦୧୭-୧୮ରେ ଭିଜିଲାନ୍ସ ମାମଲାରେ ଜଣେ ଲେଖାଏଁ ପ୍ରଥମ ଏବ˚ ଦ୍ବିତୀୟ ଶ୍ରେଣୀ କର୍ମଚାରୀ ଫଶିଥିଲେ। ତେବେ ୧୩ଜଣ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ନାମରେ ଭିଜିଲାନ୍ସ ମାମଲା ରହିଥିଲା। ଚଳିତ ବର୍ଷ ମଧୢ ସମାନ କଥା। ମୋଟ୍‌ ୧୯ଟି ମାମଲା ଭିତରୁ ୨ଟି ଲେଖାଏଁ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ କର୍ମଚାରୀଙ୍କ ନାମରେ ରହିଛି। ୧୫ଟି ମାମଲା ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ବିରୋଧରେ ରହିଛି।

ସମ୍ବନ୍ଧିତ ଖବର