ବିଜୁ ପକ୍କାଘର ପାଇଁ ଲାଞ୍ଚ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌

ବାଲେଶ୍ବର : ବିଜୁ ପକ୍କା ଘର ଯୋଜନାରେ ଜଣେ ହିତାଧିକାରୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ବର ରେମୁଣା ବ୍ଲକ ଦୁର୍ଗାଦେବୀ ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆରଏସ୍‌) ହେମନ୍ତ କୁମାର ପଢ଼ିଆରୀ। ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ରେମୁଣାସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ କରିଛି।

ବାଲେଶ୍ବର ଭିଜିଲାନ୍ସ ଏସ୍‌ପି ସନ୍ତୋଷ ମିଶ୍ରଙ୍କ ସୂଚନା ମୁତାବକ, ହିତାଧିକାରୀଙ୍କଠାରୁ ଜିଆରଏସ୍‌ ଶ୍ରୀ ପଢ଼ିଆରୀ ଲାଞ୍ଚ ନେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଥିଲା। ତେଣୁ ହେମନ୍ତଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିଲା ଭିଜିଲାନ୍ସ। ଆଜି ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ ନାମକ ଜଣେ ଆବାସ ହିତାଧିକାରୀଙ୍କଠାରୁ ଲାଞ୍ଚ ନେବା ପାଇଁ ଶ୍ରୀ ପଢ଼ିଆରୀ ତାଙ୍କ ୱେଲଡିଂ ଦୋକାନକୁ ଯାଇଥିଲେ। ଖବର ପାଇବା ପରେ ଡିଏସ୍‌ପି ଏସ୍‌କେ ସାମନ୍ତରାୟ, ଇନ୍ସପେକ୍ଟର ଡିକେ ନାୟକ, ସିକନ୍ଦର ହେମ୍ବ୍ରମ୍ବ ପ୍ରମୁଖ ସେଠାରେ ଚଢ଼ଉ କରି ତାଙ୍କୁ ଗିରଫ କରିବା ସହ ଟଙ୍କା ଜବତ କରିଥିଲେ। ପରେ ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇ ଜେରା କରାଯାଇଥିଲା। ଏ ନେଇ କେସ୍ ନଂ-୨ରେ ମାମଲା ରୁଜୁ ହୋଇଛି। ଆସନ୍ତାକାଲି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଏସ୍‌ପି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର