କୋରେଇ : କରୋନା ସଂକ୍ରମଣ ରୋକିବା ପାଇଁ ସଚେତନତା ସାଂଗକୁ ପରୀକ୍ଷା ଏବଂ ଚିକିତ୍ସାକୁ ଗୁରୁତ୍ବ ଦିଆଯାଉଛି। ତେବେ ଯାଜପୁର ଜିଲ୍ଲାର କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ସ୍ବାବ୍ ପରୀକ୍ଷାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଡାକ୍ତରଖାନା କର୍ତ୍ତୃପକ୍ଷ ଅର୍ଦ୍ଧାଧିକ କିଟ୍କୁ ମହଜୁଦ୍ ରଖି ଲୋକଙ୍କଠାରୁ ଅର୍ଥ ବଦଳରେ ପରୀକ୍ଷା କରାଉଥିବା ଭଳି ଗୁରୁତର ଅଭିଯୋଗ ଆସିଛି।
କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ପ୍ରାୟ ୧୫ଟି ପଞ୍ଚାୟତର ଲୋକେ ନିର୍ଭର କରନ୍ତି। ପ୍ରତିଦିନ ଏଠାକୁ ଶହଶହ ଲୋକ କରୋନା ପରୀକ୍ଷା ପାଇଁ ଆସୁଛନ୍ତି। ହେଲେ ଜିଲ୍ଲାରୁ ଏଠାକୁ କମ୍ କିଟ୍ ଆସୁଥିବା ଦର୍ଶାଇ ଡାକ୍ତରଖାନା କର୍ତ୍ତୃପକ୍ଷ ଅଧିକାଂଶ ଲୋକଙ୍କୁ ଫେରାଇ ଦେଉଛନ୍ତି। କମ୍ କିଟ୍ ଆସୁଥିବା ପ୍ରଚାର କରାଯାଉଥିବାରୁ ଆଖପାଖ ଅଞ୍ଚଳର ଜ୍ବର ଓ ଥଣ୍ଡା ପୀଡ଼ିତଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହୁଛି। ଏହାର ସୁଯୋଗରେ କେତେକ ଅସାଧୁ ବ୍ୟକ୍ତି ଇଟାଧାଡ଼ି କରି ତା' ଉପରେ ଆଧାର କାର୍ଡକୁ ରଖି ଦେଉଛନ୍ତି। ସକାଳ ୭ଟା ମଧ୍ୟରେ ଶତାଧିକ ଆଧାର କାର୍ଡର ଲମ୍ବାଧାଡ଼ି ଲାଗିଯାଉଛି। କିଟ୍ ଅଭାବ ଓ ଆଧାରକାର୍ଡର ଲମ୍ବା ଧାଡ଼ି ପାଇଁ ବହୁ ଲୋକ ଫେରିଯିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ବଳକା କରି ରଖାଯାଉଥିବା କିଟ୍ରେ କେତେକ କର୍ମଚାରୀ ଲାଞ୍ଚ କାରବାର କରି ଲୋକଙ୍କ ଘରେ ପରୀକ୍ଷା କରାଇ ଦେଉଛନ୍ତି। ଏହି ପରୀକ୍ଷାର ରିପୋର୍ଟକୁ ସେଦିନର ତାଲିକାରେ ସଂରକ୍ଷିତ ଥିବା ସ୍ଥାନରେ ଲେଖି ଦିଆଯାଉଛି।
କୋରେଇ ବ୍ଲକ୍ରେ ଏବେ କରୋନାର ଦ୍ବିତୀୟ ଲହରରେ ବହୁଲୋକ ସଂକ୍ରମିତ ହେଉଛନ୍ତି। ଏପରିକି ମାସକରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବିନା ପରୀକ୍ଷା ବହୁ ପ୍ରବାସୀ କୋରେଇରେ ପ୍ରବେଶ କରିଛନ୍ତି। ଏଭଳି ସ୍ଥିତିରେ ସ୍ବାବ୍ ପରୀକ୍ଷା ତ୍ବରାନ୍ବିତ କରିବାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଉଥିବା ବେଳେ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ମଧ୍ୟାହ୍ନ ପର୍ଯ୍ୟନ୍ତ କର୍ମଚାରୀ ଆସୁନଥିବାରୁ ପ୍ରବଳ ଖରାରେ ଲୋକମାନେ କରୋନା ପରୀକ୍ଷା ପାଇଁ ଆସି ହନ୍ତସନ୍ତ ହେଉଛନ୍ତି। ଆଜି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅପେକ୍ଷା କରି ବସିରହିଥିବା ଲୋକମାନଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଏହା ମଧ୍ୟ ଅନିୟମିତତାର ଏକ ଅଂଶବିଶେଷ ବୋଲି କୁହାଯାଉଛି।
ସେହିପରି କିଛିଦିନ ହେଲା ଏଠାକୁ ୯୦ଟି କିଟ୍ ଆସୁଥିବା ବେଳେ ମାତ୍ର ୫୦ ଜଣଙ୍କ ତାଲିକା କରାଯାଇ ଅନ୍ୟମାନଙ୍କୁ ଫେରାଇ ଦିଆଯାଉଛି। ଖୋଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ମଧ୍ୟ ଲୋକଙ୍କୁ କମ୍ କିଟ୍ ଆସୁଛି ବୋଲି କହୁଛନ୍ତି। ଦଲାଲମାନଙ୍କ ମାଧ୍ୟମରେ ୩ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଆଦାୟ କରି ବଳକା କିଟ୍ରେ ଲୋକମାନଙ୍କ ଘରେ ସ୍ବାବ୍ ପରୀକ୍ଷା କରାଯାଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ. ତାପସ କୁମାର ବେହେରାଙ୍କୁ ପଚାରିବାରୁ ଅଭିଯୋଗକୁ ଖଣ୍ଡନ କରିଥିଲେ ମଧ୍ୟ ପ୍ରତିଦିନ ଆସୁଥିବା କିଟ୍ରୁ ଗୁରୁତର ରୋଗୀ କିମ୍ବା ଜରୁରୀକାଳୀନ ସ୍ଥିତି ପାଇଁ କିଛି ବଳକା ରଖାଯାଉଥିବା ସ୍ବୀକାର କରିଥିଲେ। ହେଲେ ୯୦ ଜଣଙ୍କ ପାଇଁ କିଟ୍ ଆସିଥିବାବେଳେ ପ୍ରାୟ ୫୦ ଜଣଙ୍କର ପରୀକ୍ଷା କରାଯାଇ ପ୍ରତିଦିନ ୪୦ଟି କିଟ୍ରେ କାହାର ଜରୁରୀକାଳୀନ ପରୀକ୍ଷା କରାଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।