ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅର୍ନ୍ତଗତ ଗୋପାଳପୁର ଗ୍ରାମର ନୀଳଝରି ନାଏକ ଓ ଅନ୍ୟ ୬ ଜଣ ମହିଳାଙ୍କ ମୃତ ସ୍ବାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ଦେବାକୁ ୯ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜୁନିୟର୍ ଆସିଷ୍ଟାଣ୍ଟ ଏମ. ଦିବ୍ୟଜ୍ୟୋତି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ସୂଚନାନୁସାରେ ଗୋପାଳପୁର ଗ୍ରାମର ନୀଳଝରି ନାଏକ, ପଦ୍ମିନୀ ନାଏକ, ଭାନୁମତି ମାଝୀ, ସୁମନୀ ଗଉଡ଼, ଦଇମତି ଗଉଡ଼, ରାଧାମଣି ନାଏକ ଓ ଲାବଣ୍ୟ ନାଏକ ପ୍ରମୁଖ ନିଜ ମୃତ ସ୍ବାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବେଦନ କରିଥିଲେ।

Advertisment

ମାତ୍ର ସେମାନଙ୍କୁ ସାର୍ଟିଫିକେଟ୍ ପାଇଁ ବାରମ୍ବାର ହଇରାଣ ହରକତ କରାଯାଉଥିଲା। ଏହି ସାର୍ଟିଫିକେଟ ପ୍ରଦାନ ନିମନ୍ତେ ଜୁନିୟର୍ ଆସିଷ୍ଟାଣ୍ଡ ଏମ୍. ଦିବ୍ୟଜ୍ୟୋତି ୧୮ ହଜାର ଟଙ୍କା ଦାବି କରିଥିଲେ। ପ୍ରତି ସାର୍ଟିଫିକେଟ ପିଛା ୩ ହଜାର ଟଙ୍କା ଧାର୍ଯ୍ୟ କରିଥିଲେ। ଫଳରେ ଏ ନେଇ ମହିଳାମାନେ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଯୋଜନା ମୁତାବକ ନୀଳଝରି ନାଏକ ପ୍ରଥମ ପର୍ଯ୍ୟାୟରେ ୯ ହଜାର ଟଙ୍କା ନେଇ ଏମ. ଦିବ୍ୟଜ୍ୟୋତିଙ୍କୁ ପ୍ରଦାନ କରିଥିଲେ। ଏହି ସମୟରେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ପହଞ୍ଚି ତାଙ୍କୁ ଧରିବା ସହ ରସାୟନ ବୋଳା ଟଙ୍କା ଉଦ୍ଧାର କରିଥିଲେ। ଏନେଇ କୋରାପୁଟ ଭିଜିଲାନ୍ସ କେସ ନଂ. ୨୮/୨୦୨୨ ୭ ପିସି ଆମେଣ୍ଡମେଣ୍ଟ ଆକ୍ଟ ୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ।