ପୁରୀ : ଜଗା ଦର୍ଶନ ପାଇଁ ଲାଞ୍ଚ। ଶ୍ରୀମନ୍ଦିର ତିନି ଦ୍ବାର ବନ୍ଦର ଫାଇଦା ଉଠାଉଛନ୍ତି ଏଠାରେ ନିୟୋଜିତ ସୁରକ୍ଷା କର୍ମୀ। ଟଙ୍କା ଦେଲେ ମୁକୁଳା ପଡ଼ୁଛି ଶ୍ରୀମନ୍ଦିର ଚାରିଦ୍ବାର। ସେ ଯେ କେହି ହୁଅନ୍ତୁ, ଅବାଧରେ ଦର୍ଶନ ପାଇଁ ଯାଇପାରୁଛନ୍ତି। ଆଜି ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଭକ୍ତଙ୍କୁ ପଶ୍ଚିମଦ୍ବାରରେ ଛାଡ଼ିବାକୁ ଜଣେ ଯାତ୍ରୀ ଗୁମାସ୍ତାଙ୍କଠାରୁ ଲାଞ୍ଚ ନେଇ ସିପାହି ଧରା ପଡ଼ିଛନ୍ତି। ସିପାହି ଜଣକ ହେଲେ କୋରାପୁଟ ତୃତୀୟ ଆଇଆର୍ବିର ଶୁଭାଶିଷ ଦାସ। ଘଟଣା ଜଣାପଡ଼ିବା ପରେ ତତ୍କ୍ଷଣାତ୍ ଶୁଭାଶିଷଙ୍କୁ ପୁରୀ ଏସ୍ପି ଡା. କେ. ବିଶାଳ ସିଂହ ନିଲମ୍ବିତ କରିଛନ୍ତି। ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥାନରେ ଏଭଳି ଅଭାବନୀୟ ଦୃଶ୍ୟ ସମସ୍ତଙ୍କୁ ଅନ୍ଦୋଳିତ କରିଛି।
ମିଳିଥିବା ସୂଚନା ମୁତାବକ, ଜନୈକ ଯାତ୍ରୀ ଗୁମାସ୍ତା ଶନିବାରଦିନ ପଶ୍ଚିମଦ୍ବାର ଦେଇ କିଛି ପଶ୍ଚିମବଙ୍ଗ ଭକ୍ତଙ୍କୁ ଦର୍ଶନ ପାଇଁ ନେଇଥିଲେ। ଏହି ଦ୍ବାରରେ ଡ୍ୟୁଟିରେ ଥିବା ଶୁଭାଶିଷ ଟଙ୍କା ନେଇ ଯାତ୍ରୀମାନଙ୍କୁ ଭିତରକୁ ଛାଡ଼ିଥିଲେ। ଏହାର ଭିଡିଓ ଭାଇରାଲ୍ ହେବା ପରେ ଏସ୍ପି ଡ. ସିଂହ ଶୁଭାଶିଷଙ୍କୁ ନିଲମ୍ବିତ କରିବା ସହ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଶୀଲ ମିଶ୍ରଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିଶ୍ର କହିଛନ୍ତି, ସଂପୃକ୍ତ ସିପାହି କେତେ ଟଙ୍କା ନେଉଥିଲେ, ତାହା ଜଣାପଡ଼ିଛି। ଘଟଣାର ତଦନ୍ତ ଜାରି ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।