ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଇପଡ଼ା ପଞ୍ଚାୟତ ଅଧୀନ ଅର୍ଜୁନପୁର ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଲାଞ୍ଚ କାରବାର କରି ବହୁ ଗରିବ ନିରୀହ ହିତାଧିକାରୀଙ୍କୁ ବାଦ ଦେଇ ସ୍ୱଚ୍ଛଳ ବ୍ୟକ୍ତିଙ୍କ ଠାରୁ ହାତଗୁଞ୍ଜା ନେଇ  ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରିଥିବା ନେଇ  ଗ୍ରାମବାସୀ ଗୁରୁବାର ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଫେରାଦ ହୋଇଥିବା ଜଣାଯାଇଛି।
Advertisment
ଅଭିଯୋଗ ମୁତାବକ ରଣପୁର ବ୍ଲକ ଅନ୍ତର୍ଗତ ରାଇପଡା ପଞ୍ଚାୟତ ଅଧୀନ ଅର୍ଜୁନପୁର ଗାଁର ଲିପା ନାୟକ ପରିବାର ପୂର୍ବରୁ ଦୁଇ ଥର ଆବାସ ଯୋଜନାରେ ଘର ହାତେଇନେବାରେ ସଫଳ ହୋଇଥିଲେହେଁ ଗତ ବର୍ଷ ପୁନର୍ବାର ଆବେଦନ କରିଥିଲେ। କିନ୍ତୁ ତାଙ୍କ ନାମ ଉକ୍ତ ଯୋଜନା ତାଲିକାରୁ ବାଦ ପଡ଼ିଥିବା ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୁଆଡେ ପଞ୍ଚାୟତକୁ ଜଣାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପଞ୍ଚାୟତ ଅଧିକାରୀ ନାୟକ ପରିବାର ଠାରୁ ମୋଟା ରକମର ଲାଞ୍ଚ ନେଇ ଅନ୍ୟ ଜାଗାର ପଟ୍ଟା ଉଠାଇ କାଗଜପତ୍ର କରିଥିଲେ। ଏପରିକି ଉକ୍ତ ପରିବାରକୁ ଆବାସ ଖଣ୍ଡିଏ ପ୍ରଦାନ କରିଥିଲାବେଳେ ଗତ ସେପ୍ଟେମ୍ବର ୮ତାରିଖ ରେ ଶ୍ରୀମତୀ ନାୟକଙ୍କ ବ୍ୟାଙ୍କ ଜମାଖାତାରେ ୪୦ ହଜାର ଟଙ୍କା ଛଡ଼ାଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
publive-image
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଭଳି ତଞ୍ଚକତା କରି କିପରି ଉକ୍ତ ପରିବାରକୁ ବାରମ୍ବାର ଦିଆଗଲା। ଏହାର ବିଧିବଦ୍ଧ ତଦନ୍ତ କରି ଲାଞ୍ଚୁଆ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ନେଇ ବିଡ଼ିଓ ସୁଧୀର କୁମାର  ନାୟକଙ୍କୁ ଗ୍ରାମବାସୀ ଭେଟି ଏକ ଲିଖିତ ଅଭିଯୋଗ କରିଛନ୍ତି। ଏପରିକି ଦୁର୍ନୀତିଗ୍ରସ୍ତ ପଞ୍ଚାୟତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାନଗଲେ ରାଜ ରାସ୍ତାକୁ ଓହ୍ଲାଇବାକୁ ଗ୍ରାମବାସୀ ତଥା ବିଜେପି ଜିଲ୍ଲା ସଭାପତି ତାପସ ମାର୍ଥା ଧମକ ଦେଇଛନ୍ତି।
ତେବେ ଏହାର ପ୍ରାଥମିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡ଼ିଓ ଶ୍ରୀ ନାୟକ କହିଛନ୍ତି।  ଅନୁରୂପ ଭାବେ ସମଗ୍ର ବ୍ଲକର ୩୭ଟି ପଞ୍ଚାୟତରେ ଏଭଳି କାରବାର ଚାଲିଥିବାବେଳେ ବହୁ ନିରୀହ ଲୋକେ ବଳି ପଡୁଥିବା ନେଇ ଅଭିଯୋଗ ହୋଇଆସୁଥିଲେହେଁ ପ୍ରଶାସନିକ ଓ ରାଜନେତାଙ୍କ ହସ୍ତକ୍ଷେପ ଯୋଗୁ ସମସ୍ୟା ବଢ଼ିବାରେ ଲାଗିଛି ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି। ଏଥିରେ ଗ୍ରାମବାସୀ ଜଗବନ୍ଧୁ ଜେନା, ଚିତ୍ତରଞ୍ଜନ ଦାସ, ଶାନ୍ତନୁ ପ୍ରଧାନ, ରତ୍ନାକର ପରିଡା, କେଦାର ଦାସ, ବନମାଳୀ ଭଟ୍ଟ, ସୁଶାନ୍ତ ଦାସ, ରତ୍ନାକର ଦାସ, ସୁବାଷ ଦାସ ଓ ପ୍ରଫୁଲ୍ଲ ଦାସ ପ୍ରମୁଖ ଲିଖିତ ଅଭିଯୋଗ ସହ ବିଡ଼ିଓଙ୍କୁ ଫେରାଦ ହୋଇଥିଲେ।