ସାର ଦୋକାନୀଙ୍କଠୁ ଦେଢ଼ଲକ୍ଷ ଟଙ୍କା ଲାଞ୍ଚ: ଭିଜିଲାନ୍ସ ଜାଲରେ ସହକାରୀ କୃଷି ଅଧିକାରୀ

ଭୁବନେଶ୍ବର/ବରଗଡ଼/ପାଇକମାଳ:  ସାର ଦୋକାନୀଙ୍କଠାରୁ ୧ଲକ୍ଷ ୫୦ହଜାର ଟଙ୍କା ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବରଗଡ଼ ଜିଲ୍ଲା ପାଇକମାଳ ସହକାରୀ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ। ଭିଜିଲାନ୍ସ ଲାଞ୍ଚ ବାବଦକୁ ଦେଢ଼ ଲକ୍ଷ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି। ଏନେଇ ସମ୍ବଲପୁର ଭିଜିଲାନ୍ସ ପିଏସ୍‌ କେସ ନଂ-୨୮ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନ‌ା ଅନୁଯାୟୀ, ବିଭିନ୍ନ ସମୟରେ ଲାଞ୍ଚ କାରବାର ନେଇ ପ୍ରଣୟଙ୍କ ନାମ‌ରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। କିଛିଦିନ ତଳେ ସେ ଜିଲ୍ଲାର ଚର୍ଦ୍ଦାପାଲି ପଞ୍ଚାୟତ ଅନ୍ତର୍ଗତ ଚଙ୍ଗରିଆ ଗ୍ରାମର ସାର ଡିଲର୍‌ ମିତ୍ରଭାନୁ ସାହୁଙ୍କୁ ଦେଢ଼ ଲକ୍ଷଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନଦେଲେ ତାଙ୍କ ଲାଇସେନ୍ସ ରଦ୍ଦ କରିଦେବ‌େ ବୋଲି ଧମକ ଦେଇଥିଲେ। ଡିଲର ଶ୍ରୀସାହୁ ଘଟଣା ସମ୍ପର୍କରେ ଭିଜିଲାନ୍ସକୁ ଜଣାଇଥିଲେ। ଯୋଜନା ମୁତାବକ ଆଜି ସକାଳେ ସେ ପାଇକମାଳ ଟିଭିଏସ୍‌ ସୋ’ରୁମ୍ ନିକଟରେ ଟଙ୍କା ନେଉଥିବା ବେ‌ଳେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଥିଲା।

ଏହାପରେ; ଏକସମୟରେ ଭିଜିଲାନ୍ସ ଶ୍ରୀ ମନ୍ତ୍ରୀଙ୍କ ଭୁବନେଶ୍ବର ସ୍ଥିତ ଶୈଳଶ୍ରୀ ବିହାରରେ ଥିବା ଭଡ଼ାଘର, କଟକ ତିଗିରିଆସ୍ଥିତ ପ‌ୈତୃକଘର ଏବଂ ବରଗଡ଼ ସ୍ଥିତ ଘରେ ୩ଟି ଟିମ୍‌ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଅନେକ ଗରୁତ୍ବପୂର୍ଣ୍ଣ କାଗଜପତ୍ର ଲାଗିଛି। ସେହିପରି, ବହୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଆହୁରି ଅଧିକ ସମ୍ପତ୍ତି ଥିବା ଅନୁମାନ କରାଯାଉଛି। ତେଣୁ, ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି।

ସମ୍ବନ୍ଧିତ ଖବର