ପାରାଦୀପ ପୋର୍ଟ କନ୍‌ଭେୟର ବେଲ୍ଟରେ ଲାଞ୍ଚ କାରବାର ମାମଲା: ଶିଶିରଙ୍କୁ ଜାମିନ, ଜେଲ୍‌ ଗଲେ ୬ ଅଭିଯୁକ୍ତ

ସିବିଆଇ ରିମାଣ୍ଡ ଆବେଦନକୁ ଖାରଜ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ପାରାଦୀପ ପୋର୍ଟ କନଭେୟର ବେଲ୍ଟ ମରାମତି ପାଇଁ ଲାଞ୍ଚ କାରବାର ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ୭ ଅଭିଯୁକ୍ତଙ୍କୁ ଆଜି ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ୪ ଦିନିଆ ରିମାଣ୍ଡର ଅବଧି ଶେଷ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହଜାର କରାଯାଇଥିଲା। ତେବେ ଦ୍ବିତୀୟ ଥର ପାଇଁ ଅଭିଯୁକ୍ତଙ୍କୁ ୯ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିବା ବେଳେ ସ୍ବତନ୍ତ୍ର ସିବିଆଇ କୋର୍ଟ ଏହାକୁ ଖାରଜ କରିଛନ୍ତି। ସେହିପରି ଗିରଫ ହୋଇଥିବା ଓଏସ୍‌ଏଲ୍‌ର ନିର୍ଦେଶକ ଚର୍ଚ୍ଚିତ ମିଶ୍ର, ଡିଜିଏମ ଅପରେସନ ସୂର୍ଯ୍ୟନାରାୟଣ ସାହୁ, କେସିଟି ଗ୍ରୁପ ମ୍ୟାନେଜର ଶଙ୍ଖ ଶୁଭ୍ର ମିତ୍ର, ଦେବପ୍ରିୟ ମହାନ୍ତି, ପାରାଦୀପ ପୋର୍ଟ ମୁଖ୍ୟ ଯନ୍ତ୍ରୀ ସରୋଜ କୁମାର ଦାସ ଏବଂ ମଧ୍ୟସ୍ଥତା କରୁଥିବା ସୁମନ୍ତ ରାଉତଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ। ଜାମିନ ଖାରଜ ପରେ ସେମାନଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଯାଇଛି। ଅନ୍ୟପଟେ ବିଲ୍ଡର ଶିଶିର ଦାସକୁ ଜାମିନ ଦେଇଛନ୍ତି କୋର୍ଟ।

ପ୍ରକାଶ ଥାଉ କି, କଟକର ଏକ ଘରୋଇ ସଂସ୍ଥା ପୋର୍ଟରେ କାର୍ଗୋ ଅନ୍‌ଲୋଡ ସମୟରେ କନ୍‌ଭେୟର ବେଲ୍ଟ କ୍ଷତିଗ୍ରସ୍ତ ହୋଇଥିଲା। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାରୁ ପୋର୍ଟର ମୁ୍ଖ୍ୟ ମେକାନିକାଲ୍‌ ଇଂଜିନିୟର ସରୋଜ ଦାସ ଲାଞ୍ଚ କାରବାର କରିଥିଲେ। ଲାଞ୍ଚ କାରବାର କଥା ସିବିଆଇ ହାତରେ ପଡ଼ିବା ପରେ ଗତ ୪ତାରିଖ ରାତିରେ ସିବିଆଇର ୬ଟି ଟିମ୍‌ ପାରାଦୀପ ପୋର୍ଟ ସମେତ କଟକ, ଭୁବନେଶ୍ବର ଆଦି ବିଭିନ୍ନ ସ୍ଥାନରେ ଚଢ଼ଉ କରି ୮୪ଲକ୍ଷ ଟଙ୍କା ଜବତ କରିବା ସହ ୭ଜଣଙ୍କୁ ଗିରଫ କରିଥିଲା। ଗିରଫ ପରେ ଗତ ୫ ତାରିଖ ଦିନ ଅଭିଯୁକ୍ତଙ୍କୁ ୪ଦିନିଆ ରିମାଣ୍ଡରେ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ନେଇଥିଲା। ସେଠାରେ ଜେରା ପରେ ଆଜି ଅଭିଯୁକ୍ତଙ୍କୁ ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା।

ସମ୍ବନ୍ଧିତ ଖବର