ଭୁବନେଶ୍ବର : ପାରାଦୀପ ବନ୍ଦରର କନଭେୟର୍ ବେଲ୍ଟ ମରାମତି ପାଇଁ ଲାଞ୍ଚ କାରବାର ଘଟଣାରେ ସିବିଆଇକୁ ଆଜି ନିରାଶ ହେବାକୁ ପଡ଼ିଛି। କୋର୍ଟ ଗିରଫ ଅଭିଯୁକ୍ତଙ୍କ ୨ଦିନିଆ ରିମାଣ୍ଡ ଆବେଦନକୁ ଖାରଜ କରିବା ସହିତ ଭଏସ୍ ଟେଷ୍ଟିଂ ଆବେଦନକୁ ମଧ୍ୟ ଅଗ୍ରାହ୍ୟ କରିଦେଇଛନ୍ତି। ଗିରଫ ଅଭିଯୁକ୍ତ ଚର୍ଚ୍ଚିତ ମିଶ୍ରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ଜୟଦୀପ ପାଲ୍ ସୂଚନା ଦେଇଛନ୍ତି, ସିବିଆଇ ଅଧିକାରୀ କୋର୍ଟରେ ଆବଶ୍ୟକୀୟ ପ୍ରମାଣପତ୍ର ଦାଖଲ କରିନଥିଲେ କି ଭଏସ୍ ଟେଷ୍ଟିଂ ପାଇଁ ଯେଉଁ ପ୍ରକ୍ରିୟାରେ ଆବେଦନ କରିବା କଥା, ସେ ସବୁକୁ ଉଲ୍ଲଂଘନ କରିଛନ୍ତି। ଯେଉଁଥିପାଇଁ କୋର୍ଟ ଭଏସ୍ ଟେଷ୍ଟିଂ ଆବେଦନକୁ ମନା କରିଛନ୍ତି। ଗତ ୨୩ତାରିଖରୁ ଏନେଇ କୋର୍ଟରେ ଶୁଣାଣି ସରିଥିବା ବେଳେ ଆଜି ଅର୍ଡର ପ୍ରକାଶ ପାଇଛି।
ଉଲ୍ଲେଖଯୋଗ୍ୟ, ପାରାଦୀପ ବନ୍ଦରର କନଭେୟର୍ ବେଲ୍ଟ ମରାମତି ପାଇଁ ବନ୍ଦରର ମୁଖ୍ୟ ମେକାନିକାଲ ଇଂଜିନିୟର ସରୋଜ ଦାସ ଓଏସ୍ଏଲ୍ଠାରୁ ୬୦ଲକ୍ଷ ଟଙ୍କ ଦାବି କରିଥିଲେ। ଓଏସ୍ଏଲ୍ର ନିର୍ଦ୍ଦେଶକ ତଥା ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ପୁଅ ଚର୍ଚ୍ଚିତ ୨୫ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବାରୁ ତାଙ୍କ ସମେତ ସିବିଆଇ ୭ଜଣଙ୍କୁ ଗିରଫ କରିଥିଲା। ପରେ ଏହି ଘଟଣାରେ ବିଲ୍ଡର ଶିଶିରଙ୍କୁ ଜାମିନ୍ ମିଳିଥିବା ବେଳେ ଅନ୍ୟ ୬ଅଭିଯୁକ୍ତ ଏବେ ବି ବିଚାର ବିଭାଗୀୟ ହାଜତରେ ରହିଛନ୍ତି। ଗତ ୧୦ ଅଗଷ୍ଟରେ ଚର୍ଚ୍ଚିତଙ୍କ ଜାମିନ୍ ଖାରଜ ହୋଇଥିଲା।