ବ୍ରହ୍ମପୁର: ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ଅରୁଣ କୁମାର ସାହୁ ଏକ ଲାଞ୍ଚ ଗ୍ରହଣ ମାମଲାର ଓପିଟିସିଏଲ୍‌ର ପୂର୍ବତନ କିରାଣି ଯୁଗୋଳ କିଶୋର ପରିଡ଼ାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଯୁଗୋଳଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦେୟ ହେଲେ ଅଧିକ ୭ମାସ ସଶ୍ରମ କାରାଦଣ୍ଡ ପାଇଁ ରାୟ ଦିଆଯାଇଛି।

Advertisment

ସୂଚନା ମୁତାବକ, ଦୋଷୀ ସାବ୍ୟସ୍ତ ଯୁଗୋଳଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ହୋଇଥିବା ବେଳେ ସେ ଓପିଟିସିଏଲ୍‌ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କ ଇପିଏଫ୍‌ ସଂପର୍କିତ କାର୍ଯ୍ୟ ବୁଝୁଥିଲେ। ୨୦୧୮ ଫେବ୍ରୁଆରିରେ ଜୟରାମ ରାଉତ ନାମକ ଜଣେ ବ୍ୟକ୍ତି ବାପାଙ୍କ ଇପିଏଫ୍‌ ଟଙ୍କା ପାଇବା ପାଇଁ ଶ୍ରୀ ପରିଡ଼ାଙ୍କ ନିକଟକୁ ଯାଇଥିଲେ। ତାଙ୍କ ବାପା ଜଣେ ଲାଇନ୍‌ମ୍ୟାନ୍‌ ଭାବେ ଭଞ୍ଜନଗର ଓପିଟିସିଏଲ୍‌ ଡିଭିଜନ୍‌ରୁ ୨୦୦୪ମସିହାରେ ଅବସର ଗ୍ରହଣ କରିଥିଲେ। ସେ ୯୫ହଜାର ଟଙ୍କା ଇପିଏଫ୍‌ ପାଇବାର ଥିଲା। ସେହି ଟଙ୍କା ‌ପାଇବା ପାଇଁ ଜୟରାମ ଶ୍ରୀ ପରିଡ଼ାଙ୍କ ସହଯୋଗ ଲୋଡ଼ିବାରୁ, ସେ ଆବଶ୍ୟକ ନଥିପତ୍ର ଭୁବନେଶ୍ବର ମୁଖ୍ୟାଳୟରେ ଦାଖଲ କରିଥିଲେ। ଏହାପରେ ଜୟରାମଙ୍କ ବାପାଙ୍କ ବ୍ୟାଙ୍କ ଜମାଖାତାକୁ ୯୪,୨୭୯ଟଙ୍କା ଆସିଥିଲା। ତେବେ ଏହି ଟଙ୍କା ପାଇବାରେ ସାହାଯ୍ୟ କରିଥିବାରୁ ଶ୍ରୀ ପରିଡ଼ା ଜୟରାମଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ନଚେତ୍ ତାଙ୍କ ବାପାଙ୍କ ପେନସନ୍‌ ବନ୍ଦ କରିଦେବେ‌ ବୋଲି ଧମକ ଦେଇଥିଲେ। ଏତେ ଟଙ୍କା ଦେବାକୁ ଜୟରାମ ଅକ୍ଷମତା ପ୍ରକାଶ କରିବା ପରେ ୮ହଜାର ଟଙ୍କା ଦେବାକୁ ଶ୍ରୀ ପରିଡ଼ା କହିଥିବା ନେଇ ଜୟରାମ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ ଅଫିସରେ ଅଭିଯୋଗ କରିଥିଲେ।

ତାଙ୍କ ଅଭିଯୋଗକୁ ଭିତ୍ତି କରି ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା(କେସ୍‌ ନମ୍ବର-୬/୧୮) ରୁଜୁ କରାଯାଇ ଏହାର ତଦନ୍ତ କରାଯାଇଥିଲା। ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାର ବିଚାରଣା ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ କୋର୍ଟରେ ହୋଇଥିଲା। ୯ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ଆଜି ଜଜ୍‌ ଚୂଡ଼ାନ୍ତ ରାୟ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।