ମୋ ସରକାରକୁ ଫୁ : ପୁଣି ମାତିଲେଣି ଦୁର୍ନୀତିଗ୍ରସ୍ତ

ଜଙ୍ଗଲ ଓ ରାଜସ୍ବ ବିଭାଗରେ ବଡ଼ କେଳେଙ୍କାରୀ

ଭିଜିଲାନ୍ସ ଜାଲରେ ବଡ଼ବଡ଼ିଆ ଅଧିକାରୀ
ଦୁର୍ନୀତିରେ ଧରାପଡ଼ି ବି ଉଚ୍ଚପଦବିରେ?

ଭୁବନେଶ୍ୱର : ଭଦ୍ରକ ଜିଲ୍ଲା ଚାନ୍ଦବାଲିର ରାଜସ୍ବ ନିରୀକ୍ଷକ ସୁବ୍ରତ କୁମାର ମଲ୍ଲିକ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ। ଜମି କିସମ ପରିବର୍ତନ ଘଟଣାରେ ବାଲିଅନ୍ତାରେ କାର୍ଯ୍ୟ କରୁଥିବା କରିତକର୍ମା ତହସିଲଦାର ରଶ୍ମୀରେଖା ପ୍ରଧାନଙ୍କୁ ବି ଭିଜିଲାନ୍ସ ଧରିଲା। କିଛି ଦିନ ପରେ ସେ ପୁଣି ନିଯୁକ୍ତି ପାଇଗଲେ। ନିକଟରେ ମୟୂରଭଂଜ ଜିଲ୍ଲାର ଅନ୍ୟତମ ପ୍ରଭାବଶାଳୀ ତହସିଲଦାର ଅନିଶା ଦାସଙ୍କୁ ବି ସରକାର ନିଲମ୍ବିତ କରିଛନ୍ତି। ତାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଚାଲିଛି। କେବଳ ସେତିକି ନୁହେଁ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ବତନ୍ତ୍ର ଶାସନ ସଚିବ ତଥା ଅର୍ଥନୈତିକ ଉପଦେଷ୍ଟା ଅଜୟ କୁମାର ଦାସଙ୍କୁ ଭିଜିଲାନ୍ସ ଗିରଫ କରିଛି। ତିନିଟି କୋଠା, ୪ଟି ଫ୍ଲାଟ୍, ୯ଟି ପ୍ଲଟ୍, ୨ଟି ଚାରି ଚକିଆ ଗାଡ଼ି କେଜିଏରୁ ଅଧିକ ସୁନା ଏମିତି ଅନେକ ସଂପତ୍ତି ତାଙ୍କ ଠାରେ ଠାବ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ସେହିଭଳି ବଲାଙ୍ଗୀର ପାଟଣାଗଡ ଡିଭିଜନରେ କାର୍ଯ୍ୟରତ କେନ୍ଦୁଲିଫ୍ ଡିଏଫ୍ଓ ପ୍ରଣବ କୁମାର ମହାନ୍ତି ଓ ଡେପୁଟି ରେଞ୍ଜ ଅଫିସର ଚିତ୍ତରଂଜନ ଦେହୁରୀଙ୍କୁ ଭିଜିଲାନ୍ସ ଧରିଛି। କେନ୍ଦୁପତ୍ର ଫଡ଼ି ମରାମତି ବାବଦ ଅର୍ଥ ପ୍ରଦାନ ଲାଗି ସେମାନେ ଲକ୍ଷାଧିକ ଟଙ୍କା ମାଗୁଥିଲେ। ଚିଲିକା ଵାଇଲ୍ଡ ଲାଇଫ୍ ଡିଭିଜନ ଡିଏଫ୍ଓ ଆଲୋକ ରଂଜନ ହୋତା ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି। ପୁରୀ ଵାଇଲ୍ଡ ଲାଇଫ୍ ଡିଭିଜନ ସହକାରୀ ବନସଂରକ୍ଷକ ପ୍ରଶାନ୍ତ କୁମାର ସ୍ବାଇଁ ଏବଂ ଭଦ୍ରକ ଚାନ୍ଦବାଲି ଵାଇଲ୍ଡ ଲାଇଫ୍ ଡିଭିଜନ ସହକାରୀ ବନ ସଂରକ୍ଷକ ବିରାଜ ମୋହନ ମହାନ୍ତି ବି। ଭିଜିଲାନସ ଚଢଉ ତାଲିକାରେ କୃଷି, ସମବାୟ, ଅବକାରୀ, ମତ୍ସ୍ୟ ଓ ପଶୁପାଳନ ଓ ସର୍ବୋପରି ପୁଲିସ ବିଭାଗର ବହୁ ଅଧିକାରୀଙ୍କ ନାମ ବି ରହିଛି।

ନିକଟରେ ଭିଜିଲାନ୍ସ ଦ୍ବାରା କରାଯାଇଥିବା ଏସବୁ ଧରପଗଡ ସରକାରଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ସଂପର୍କରେ ସୂଚୀତ କରୁଥିଲେ ହେଁ ରାଜସ୍ବ ଓ ଜଙ୍ଗଲ ବିଭାଗରେ ଭୟଙ୍କର ଦୁର୍ନୀତି ଚାଲିଛି, ଏକଥାର ମଧ୍ୟ ପର୍ଦାଫାଶ କରୁଛି।

କେଉଁ ପରିସ୍ଥିତିରେ ଏସବୁ ବିଭାଗରେ ଦୁର୍ନୀତି ବହୁଗୁଣିତ ହୋଇଛି? ଯଦି ଭିଜିଲାନ୍ସ ଜାଣିପାରୁଛି, ବିଭାଗର ସଚିବମାନେ ଏ ସଂପର୍କରେ ଟେର୍ ପାଉନାହାନ୍ତି କେମିତି? ‘ମୋ ସରକାର’ କୁ ଅକାମୀ କରିଦେଲେ କି? ବିଭାଗର ଉପରସ୍ତରରେ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ନିଯୁକ୍ତି ପାଇଛନ୍ତି କି? ଏମିତି ମାଳ ମାଳ ପ୍ରଶ୍ନ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଥିବା ବେଳେ ଯେଉଁ ଅଧିକାରୀମାନେ ଥରେ ଦୁର୍ନୀତି ନିବାରଣ ବିଭାଗ ଜାଲରେ ପଡ଼ିଛନ୍ତି, ସେମାନଙ୍କୁ କିଭଳି ଓ କାହିଁକି ପୁଣି ଥରେ ଗୁରୁତ୍ବପୂର୍ଣ୍ଣ ବିଭାଗରେ ରଖାଯାଉଛି ତାହା କେହି ବୁଝିପାରୁନାହାନ୍ତି। ଏସବୁ ନିଯୁକ୍ତି ହିଁ ସଂପୃକ୍ତ ବିଭାଗମାନଙ୍କରେ ଦୁର୍ନୀତି ପାଇଁ ବାଟ ଖୋଲୁଛି ବୋଲି ପୂର୍ବତନ ପ୍ରଶାସକମାନେ ମତ ରଖୁଛନ୍ତି।

ଗୋଟିଏ ସମୟରେ ଯେଉଁ ଆଭିମୁଖ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘରେ ଘରେ ପରିଚିତ ହୋଇଥିଲେ ଓ ଦୁର୍ନୀତି ସାମ୍ନାରେ ଆଇଏଏସ୍ ବି ବାଦ୍ ପଡିନଥିଲେ, ଏବେ କିଛି ଅଧିକାରୀ ସରକାରଙ୍କ ସୁନାମରେ କଳଙ୍କ ବୋଳିବା ଲାଗି ପାଗ ଭିଡିଛନ୍ତି। ଏମିତି ମାତିଛନ୍ତି ଯେ ସେମାନଙ୍କ ବୋଲହାକ ନ କଲେ ମାନିସକ ନିର୍ଯାତନା ଓ ହଇରାଣ ହରକତ କରିବା ଲାଗି ମଧ୍ୟ ପଛାଉ ନାହାନ୍ତି। ସବୁଠାରୁ ବଡ଼ କଥା ହେଉଛି, କିଛି ଦୁର୍ନୀତିଗ୍ରସ୍ତ ନିଜ ଅଧସ୍ତନଙ୍କୁ ଦୁର୍ନୀତି ଜାଲରେ ଛନ୍ଦି ଦେବେ ବୋଲି ମଧ୍ୟ ଧମକ ଦେବାକୁ ପଛାଉ ନାହାନ୍ତି।

ତାଲିକା ଦେଖିଲେ ଜଙ୍ଗଲ ଓ ପରିବେଶ ବିଭାଗର ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଥିବା ଏମିତି କିଛି ଅଧିକାରୀ ଅଛନ୍ତି, ଯେଉଁମାନଙ୍କ ନାମରେ ପୂର୍ବରୁ ଭିଜିଲାନ୍ସ ମାମଲା ରୁଜୁ କରିଛି। ସେମାନେ କଣ ସୁଧୁରିଗଲେ? ଭିଜିଲାନ୍ସ ଏ ସାର୍ଟିଫିକେଟ୍ ବିଭାଗକୁ ଦେବା ପରେ ସେମାନଙ୍କୁ ନିଯୁକ୍ତି ଦିଆଯାଇଛି? କିଛି ଅଧିକାରୀଙ୍କୁ ସରକାର ଦୁର୍ନୀତି ରଣରୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଥିବା ବେଳେ ଏମାନଙ୍କ ନିଯୁକ୍ତିରେ କାହିଁକି ଦୋ-ମୁହାଁ ନୀତି ଅବଲମ୍ବନ କରାଯାଉଛି, ତାହା ବୁଝାପଡୁନାହିଁ। ଜଙ୍ଗଲ ବିଭାଗରେ ବନ୍ୟଜନ୍ତୁ କେବଳ ଅସୁରକ୍ଷିତ ହୋଇଛନ୍ତି ତା ନୁହେଁ, ସବୁ କ୍ଷେତ୍ରରେ କେଳେଙ୍କାରୀ ବଢ଼ିଗଲାଣି।

ସମାନ୍ତରାଳ ଭାବେ ରାଜସ୍ବ ବିଭାଗରେ ବି ଅନୁରୂପ ସ୍ଥିତି ହୋଇଛି। ମୁଖ୍ୟମନ୍ତ୍ରୀ ନିଜେ କହିଥିଲେ ଯେ ସାଧାରଣ ଲୋକଟିଏ ସରକାରୀ କାର୍ଯ୍ୟାଳୟକୁ ଗଲେ, ତାକୁ ନ୍ୟାୟ ମିଳିବ। ହେଲେ ଏହି ଅଧିକାରୀମାନେ କଣ କଲେ? ଏମାନଙ୍କ ସଂପର୍କରେ ସରକାରଙ୍କୁ ଆଗତୁରା ରିପୋର୍ଟ ଦେଇନଥିବା ବାବୁମାନଙ୍କ କ୍ଷେତ୍ରରେ ସରକାର କାହିଁକି ଚୁପ୍ ରହିଛନ୍ତି? ପଟ୍ଟା ପ୍ରଦାନରେ ସରକାରଙ୍କ କଣ୍ଟକୁ କେହି ମାନୁନାହାନ୍ତି। ଜମି କିସମ ପରିବର୍ତ୍ତନ ଠାରୁ ଆରମ୍ଭ କରି ବାଲିଖାଦାନ ପର୍ଯ୍ୟନ୍ତ ଏହି ବିଭାଗରେ ଏବେ ଦୁର୍ନୀତିର ଅଭିଯୋଗ ଲମ୍ବିବାରେ ଲାଗିଲାଣି। ଗଣମାଧ୍ୟମରେ ପ୍ରକାଶ ପାଉଥିବା ମାଳ ମାଳ ରିପୋର୍ଟ ଉପରେ କିନ୍ତୁ ସରକାରୀ ଆଭିମୁଖ୍ୟ ଏଯାଏ ସ୍ପଷ୍ଟ ନୁହେଁ।

ଉଲ୍ଲେଖଥାଉକି, ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରି ମୋ ସରକାର ଓ ୫ଟି କାର୍ଯ୍ୟକ୍ରମରେ ପାଖାପାଖି ୪୦ରୁ ଅଧିକ ବରିଷ୍ଠ ପଦାଧିକାରୀଙ୍କୁ ଚାକିରିରୁ ବିଦା କରିସାରିଲାଣି। ପ୍ରତିବର୍ଷ ଦୁର୍ନୀତି ବିରୋଧରେ ସଚେତନତା ଅଭିଯୋଗ କରୁଛନ୍ତି ରାଜ୍ୟ ଭିଜିଲାନ୍ସ ବିଭାଗ। ସବୁ ଅଧିକାରୀ ଶପଥ ନେଉଛନ୍ତି ଯେ ଦୁର୍ନୀତି ବିରୋଧରେ ସେମାନେ ଲଢିବେ। ହେଲେ ବରିଷ୍ଠ ଅଧିକାରୀ, ଯେଉଁମାନେ କି ଏ କ୍ଷେତ୍ରରେ ଆଦର୍ଶ ହେବା କଥା, ଦେଖାଯାଉଛି ସେହିମାନେ ହିଁ ଦୁର୍ନୀତି ଭିତରେ ଲଟରପଟର ହେଉଛନ୍ତି। ରାଜ୍ୟ ଭିଜିଲାନ୍ସ ବିଭାଗର ଗତ କିଛି ଦିନର ଧରପଗଡ ସଂପର୍କିତ ତଥ୍ୟରୁ ଏ ବିପଜ୍ଜନକ ଚିତ୍ର ସାମ୍ନାକୁ ଆସୁଛି। ଏହା କେଉଁଠି ନା କେଉଁଠି ସୂଚାଇ ଦେଉଛି, ଶୀର୍ଷସ୍ତର ପର୍ଯ୍ୟନ୍ତ କିଛି ଠିକ୍ ଠାକ୍ ଚାଲିନାହିଁ। ଦୁର୍ନୀତି ପୁଣି ଥରେ ତୃଣମୂଳ ପର୍ଯ୍ୟନ୍ତ ଭେଦିଲାଣି। ରାଜ୍ୟ ସରକାରଙ୍କ ଶପଥ କିମ୍ବା ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଏ କ୍ଷେତ୍ରରେ ଆଦୌ ପ୍ରଭାବ ପକାଉନାହିଁ।

ସମ୍ବନ୍ଧିତ ଖବର