ମୃତ୍ୟୁ ପ୍ରମାଣପତ୍ର କରିବା ପାଇଁ ଲାଞ୍ଚ: ଭିଜିଲାନ୍ସ ଜାଲରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କିରାଣି

ଖୋର୍ଦ୍ଧା: ମୃତ୍ୟୁ ପ୍ରମାଣପତ୍ର କରାଇଦେବାକୁ କହି ଜଣେ ବ୍ୟକ୍ତିଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାଇଟାଲ୍ ଷ୍ଟାଟିଷ୍ଟିକ୍ସ କିରାଣି ଅନୁପ କୁମାର ଶତପଥୀ। ସୂଚନା ଅନୁଯାୟୀ, ମଳିପଡ଼ା ଚମ୍ପାଝରର ସୁନୀଲ କୁମାର ତ୍ରିପାଠୀଙ୍କ ଜେଜେ ବାପା ଓ ଜେଜେ ମା’ଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବେଦନ କରିଥିଲେ। ତାଙ୍କ ଜେଜେ ବାପା ଓ ଜେଜେ ମା’ଙ୍କ ନାମରେ ଥିବା ଏକ ଜମିକୁ ବିକ୍ରି କରିବା ପାଇଁ ମୃତ୍ୟୁ ପ୍ରମାଣପତ୍ର ଆବଶ୍ୟକତା ପଡ଼ିଥିଲା। ତେବେ, ପ୍ରମାଣପତ୍ର ମିଳିବାରେ ବିଳମ୍ବ ହେବାରୁ ସେ ଦାୟିତ୍ବରେ ଥିବା ଭାଇଟାଲ୍ ଷ୍ଟାଟିଷ୍ଟିକ୍ସ କିରାଣି ଅନୁପ କୁମାର ଶତପଥୀଙ୍କ ସହ ଯୋଗାଯୋଗ କରିଥିଲେ।

ଅନୁପ ମୃତ୍ୟୁ ପ୍ରମାଣପତ୍ର କରାଇଦେବା ପାଇଁ ତାଙ୍କୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସୁନୀଲ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଏନେଇ ଭିଜିଲାନ୍ସ ଗତକାଲି କେସ୍‌ ନମ୍ବର-୨୧/୨୦୨୨ରେ ଏକ ମାମଲା ରୁଜୁ କରିଥିଲା। ପୂର୍ବ ଯୋଜନା ମୁତାବକ, ଭିଜିଲାନ୍ସ ବିଭାଗ ଦ୍ବାରା ରସାୟନିକ ପ୍ରଲେପ ଦିଆଯାଇଥିବା ଟଙ୍କାକୁ ନେଇ ସୁନୀଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ସୁନୀଲଙ୍କଠାରୁ ଏହି ଟଙ୍କା ଗ୍ରହଣ କରିବା ମାତ୍ରେ ଭିଜିଲାନ୍ସ ଅଧିକାରୀ ଅନୁପଙ୍କୁ ଧରିଥିଲେ। ଲାଞ୍ଚ ନେଇଥିବା ନୋଟ୍‌କୁ ପରୀକ୍ଷା କରିବା ପରେ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଛି। ଏଥିସହିତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳର ଯାଞ୍ଚ କରିବାକୁ ଅନୁପଙ୍କ ଟାଙ୍ଗିଆପଡ଼ାସ୍ଥିତ ବାସଭବନ ଓ ତାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଛି।

ସମ୍ବନ୍ଧିତ ଖବର