ବର୍ଦ୍ଧିତ ଦରମା ପାଇଁ ଲାଞ୍ଚ: ପୂର୍ବତନ ଆକାଉଣ୍ଟାଣ୍ଟଙ୍କୁ ୩ ବର୍ଷ ଜେଲ୍

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ପୂର୍ବତନ ଆକାଉଣ୍ଟାଣ୍ଟ (ଠିକା ନିଯୁକ୍ତି) ମନୋରଂଜନ ବେହେରା ଜଣେ ଶିକ୍ଷକଙ୍କଠୁ ଲାଞ୍ଚ ନେବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ‌ରେ ଦଣ୍ଡିତ କରିଛନ୍ତି ବାରିପଦାର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ପ୍ରସନ୍ନ କୁମାର ପଣ୍ଡା। ଏଥିସହ ୧୫ ହଜାର ଟଙ୍କା ଜରିମାନା ଓ ଏହି ଅର୍ଥ ଅନାଦେୟ ଅଧିକ ୫ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି। ସୂଚନାଯୋଗ୍ୟ; ଜିଲ୍ଲାର ୯୪ ଜଣ ଗଣଶିକ୍ଷକଙ୍କର ୨୦୧୭ରେ ଦରମା ବୃଦ୍ଧି କରିଥିଲେ ସରକାର।

୨୦୧୮ରେ ଏହା ଲାଗୁ ହେବା ନିମନ୍ତେ ନିର୍ଦ୍ଦେଶ ଥିବା ବେଳେ ଆବଶ୍ୟକ କାଗଜପତ୍ର ଦ‌ାଖଲ ପାଇଁ କୁହାଯାଇଥିଲା। ଆକାଉଣ୍ଟାଣ୍ଟ ଶ୍ରୀ ବେହେରା, ଗଣଶିକ୍ଷକ ସଂଘର ନେତା ଲକ୍ଷ୍ମଣ କିସାନ ମୁର୍ମୁଙ୍କୁ କାଗଜପତ୍ର ପ୍ରସ୍ତୁତ କରିବାକୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶେଷରେ ୧୫ ହଜାର ଟଙ୍କା ଦେବାକୁ ସ୍ଥିର ହୋଇଥିଲା। ତେବେ ଏନେଇ ଶ୍ରୀ ମୁର୍ମୁ ବାଲେଶ୍ବର ଭିଜିଲାନ୍‌ସ ଏସ୍‌ପିଙ୍କୁ ଜଣାଇଥିଲେ। ୨୦୧୯ ଜାନୁଆରୀ ୪ ତାରିଖରେ ଶ୍ରୀ ବେହେରା ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାରିପଦା ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲା। ଏହି ମାମଲାରେ ମୋଟ୍ ୭ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭିଜିଲାନ୍ସ ପିପି ଶାନ୍ତନୁ କୁମାର ଦାସ ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର