ଭୁବନେଶ୍ବର : ଜନ୍ମ/ମୃତ୍ୟୁ ପଞ୍ଜୀକରଣରେ ସ୍ବଚ୍ଛତା ଆଣିବା ଲାଗି ରାଜ୍ୟ ସରକାର ଅନ୍‌ଲାଇନ୍ ବ୍ୟବସ୍ଥା କରିଛନ୍ତି। ରାଜ୍ୟବ୍ୟାପୀ ଜନ୍ମ/ମୃତ୍ୟୁ ସାର୍ଟିଫିକେଟ୍‌ ପାଇଁ ୪୩୦ଟି ୟୁନିଟ୍‌ କାମ କରୁଛି। ରାଜ୍ୟବ୍ୟାପୀ ଅନ୍‌ଲାଇନ୍ ବ୍ୟବସ୍ଥା ସତ୍ତ୍ବେ ଲାଞ୍ଚ କାରବାର ଥମୁନାହିଁ। ଦୁଇଦିନ ତଳେ କୋରାପୁଟ ଜିଲ୍ଲାରେ ଜଣେ କିରାଣି ମୃତ୍ୟୁ ସାର୍ଟିଫିକେଟ୍ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରା ପଡ଼ିଛନ୍ତି। ଏହା କେବଳ ଗୋଟିଏ ଘଟଣା ନୁହେଁ, ଏହା ପୂର୍ବରୁ ବି ଅନେକ କର୍ମଚାରୀ ଲାଞ୍ଚ ନେଇ ନିଲମ୍ବିତ ହୋଇଛନ୍ତି। ତଥାପି ବ୍ୟବସ୍ଥାରେ ସୁଧାର ଆସୁନାହିଁ।

Advertisment

ପୁରୁଣା ମୃତ୍ୟୁର ପଞ୍ଜୀକରଣ ପାଇଁ ବଢ଼ୁଛି ଲାଞ୍ଚ କାରବାର
ଜନ୍ମ/ମୃତ୍ୟୁ କାର୍ଯ୍ୟାଳୟରେ ଖାଲି ପଡ଼ିଛି ୭୭% ପଦବି

ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିକଟରେ ଜନ୍ମ/ମୃତ୍ୟୁ ସାର୍ଟିଫିକେଟ୍‌ ପାଇଁ ଲାଞ୍ଚ ମାଗିବା ଅଭିଯୋଗରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩/୪ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏହି ସମସ୍ତ ନିଲମ୍ବିତ କର୍ମଚାରୀ ଦୀର୍ଘଦିନ ତଳର ମୃତ୍ୟୁ ସାର୍ଟିଫିକେଟ୍ ପ୍ରଦାନ କରିବା ଲାଗି ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଜମିବାଡ଼ି ବିକ୍ରି କିମ୍ବା ଆଇନଗତ କାର୍ଯ୍ୟ ଉଦ୍ଦେଶ୍ୟରେ ଲୋକମାନେ ଅନେକ ପୁରୁଣା ମୃତ୍ୟୁର ସାର୍ଟିଫିକେଟ୍‌ ପାଇଁ ଆବେଦନ କରୁଛନ୍ତି। ହେଲେ ଏହାର ସୁଯୋଗ ନେଉଛନ୍ତି ପଞ୍ଜୀକରଣ କାର୍ଯ୍ୟାଳୟର କର୍ମଚାରୀ। ହେଲେ ଏଭଳି କାରବାରକୁ କିଭଳି ଏହାକୁ ନିୟନ୍ତ୍ରଣ କରାଯିବ ତାହାର ସମାଧାନ ସ୍ବାସ୍ଥ୍ୟ ବିଭାଗ ପାଖରେ ନାହିଁ।

publive-image deccanchronicle.com

ଅପରପକ୍ଷରେ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟର କର୍ମଚାରୀ ଲାଞ୍ଚ କାରବାରରେ ସଂପୃକ୍ତ ରହିବାକୁ ପରୋ‌କ୍ଷରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ କାର୍ଯ୍ୟାଳୟକୁ ଦାୟୀ କରୁଛନ୍ତି ବିଭାଗୀୟ ଅଧିକାରୀ। ଅଧିକାରୀଙ୍କ କହିବା କଥା, ରାଜ୍ୟର ଅନେକ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଅଭାବ ରହିଛି। ଏଭଳି କ୍ଷେତ୍ରରେ ପଞ୍ଜୀକରଣ ପାଇଁ ସ୍ବାସ୍ଥ୍ୟକର୍ମୀ/ସୁପରଭାଇଜରଙ୍କୁ ନିଯୁକ୍ତ କରିବା ଲାଗି ସିଡିଏମ୍‌ଓମାନଙ୍କୁ ନିର୍ଦେଶ ଦିଆଯାଇଛି। ହେଲେ ସିଡିଏମ୍‌ଓମାନେ ଏଭଳି ଲୋକମାନଙ୍କୁ ନିୟୋଜିତ କରୁଛନ୍ତି ଯେଉଁମାନେ ଲାଞ୍ଚ କାରବାରରେ ସଂପୃକ୍ତ ରହୁଛନ୍ତି। ଯଦି ସିଡିଏମ୍‌ଓମାନେ ସ୍ବାସ୍ଥ୍ୟକର୍ମୀ/ସୁପରଭାଇଜରଙ୍କୁ ନିୟୋଜିତ କରନ୍ତେ ତାହାଲେ ଲାଞ୍ଚ କାରବାର ଅନେକାଂଶରେ ହ୍ରାସ ପାଆନ୍ତା ବୋଲି ଅଧିକାରୀ ଦାବି କରୁଛନ୍ତି। ଲାଞ୍ଚ ମାଗିବା ଭଳି ଘଟଣାକୁ ଏଡ଼ାଇବା ପାଇଁ ବିଭିନ୍ନ ବିଭାଗ ନିଜର ହେଲ୍‌ପଲାଇନ୍ ନମ୍ବର ଜାରି କରୁଛନ୍ତି। ଯଦିଓ ଜନ୍ମ/ମୃତ୍ୟୁ କାର୍ଯ୍ୟାଳୟର ହେଲ୍‌ପଲାଇନ୍ ନମ୍ବର ରହିଛି, ହେଲେ ଏହା ତ୍ରୁଟି ସୁଧାରିବା ପାଇଁ କାର୍ଯ୍ୟ କରୁଛି। ଦୁର୍ନୀତି ରୋକିବା ପାଇଁ ନୁହେଁ। ତେଣୁ ହେଲ୍‌ପ ଲାଇନ୍ ନମ୍ବର ଜାରି କରାଗଲେ ହୁଏତ ଏଥିରେ କିଛିଟା ସୁଧାର ଆସିପାରିଥାନ୍ତା ବୋଲି ଅନେକ ମତ ଦେଉଛନ୍ତି।

publive-image

ଚଳିତବର୍ଷ ଜାନୁଆରି ୧ତାରିଖରୁ ରାଜ୍ୟବ୍ୟାପୀ ଅନ୍‌ଲାଇନ୍‌ ଜରିଆରେ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କରାଯାଉଛି। ଏହା ପୂର୍ବରୁ ଏହି ବ୍ୟବସ୍ଥା ଉଭୟ ସ୍ବାସ୍ଥ୍ୟ ବିଭାଗ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ରହିଥିଲା। ଏବେ ସଂପୂର୍ଣ୍ଣଭାବେ ସ୍ବାସ୍ଥ୍ୟ ବିଭାଗ ଜନ୍ମ/ମୃତ୍ୟୁର ପଞ୍ଜୀକରଣ କରୁଛି। ରାଜ୍ୟରେ ଏଥିପାଇଁ ୪୩୦ଟି ୟୁନିଟ୍‌ ରହିଛି। ହସ୍ପିଟାଲରେ ଜନ୍ମ କିମ୍ବା ପ୍ରାଣ ହରାଉଥିବା ବ୍ୟକ୍ତି ଅଥବା ଘରେ ପ୍ରାଣ ହରାଉଥିବା ବ୍ୟକ୍ତି ଯଦି ୨୧ଦିନ ଭିତରେ ନିଜର ପଞ୍ଜୀକରଣ କରନ୍ତି ତାହାଲେ ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଯେଉଁମାନଙ୍କର କମ୍ପ୍ୟୁଟର ଜ୍ଞାନ ନାହିଁ ସେମାନେ ଜନସେବା କେନ୍ଦ୍ରକୁ ଯାଇ ନିଜର ପଞ୍ଜୀକରଣ କରିବାକୁ କୁହାଯାଇଛି। ହେଲେ ଏହି ସାର୍ଟିଫିକେଟ୍ ପ୍ରଦାନ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି କର୍ମଚାରୀଙ୍କ ବ୍ୟାପକ ଅଭାବ ରହିଛି। ୪୩୦ ୟୁନିଟ୍‌ ପାଇଁ ୩୯୩ଜଣ ଭିଏସ୍‌ କ୍ଲର୍କଙ୍କ ଆବଶ୍ୟକତା ଥିବା ବେଳେ ମାତ୍ର ୮୮ଜଣ କାର୍ଯ୍ୟ କରୁଛନ୍ତି। ୩୦୫ ବା ୭୭ ପ୍ରତିଶତ କର୍ମଚାରୀ ପଦବି ଖାଲି ପଡ଼ିଛି। ଏହାସହ ଏସ୍‌ଟି ଆସିଷ୍ଟାଣ୍ଟ, ଏସ୍‌ଟି ଇନଭେଷ୍ଟିଗେଟର ପଦବି ମଧ୍ୟ ଖାଲି ପଡ଼ିଛି।

ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଯେଉଁମାନେ ଜନ୍ମ/ମୃତ୍ୟୁର ୨୧ଦିନ ଭିତରେ ଆବେଦନ କରୁଛନ୍ତି ସେମାନଙ୍କୁ ୭ଦିନ ଭି‌ତରେ ସାର୍ଟିଫିକେଟ୍ ଦିଆଯାଉଛି। ପୁରୁଣା ଜନ୍ମ/ମୃତ୍ୟୁ ପାଇଁ ସମସ୍ତ କାଗଜପତ୍ର ଠିକ୍ ଥିଲେ ସାର୍ଟିଫିକେଟ୍ ଦିଆଯାଉଛି। ମାତ୍ର ପଞ୍ଜୀକରଣ କାର୍ଯ୍ୟାଳୟରେ ଅନେକ ପଦବି ଖାଲି ରହିଛି। ସେଥିପାଇଁ ଅନ୍ୟ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଏହାସହ ପଦବି ପୂରଣ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ବିଚାର କରୁଛନ୍ତି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।