ସୁନ୍ଦରଗଡ଼: ଏକ ଲାଞ୍ଚ ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବାଲିଶଙ୍କରା ବ୍ଲକ୍ କିଞ୍ଜିରକେଲା ପଞ୍ଚାୟତର ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ମିଞ୍ଜ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋର୍ଟ  ତାଙ୍କୁ ୨ ବର୍ଷ ଜେଲ ଓ ୨ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟେ ଜେଲଦଣ୍ଡ ଅଧିକ ୨ ମାସ ବୃଦ୍ଧି ହେବ ବୋଲି ରାୟରେ ଉଲ୍ଲେଖ ରହିଛି। ୨୦୧୧ ନଭେମ୍ବର ୨୭ରେ ଅଭିଯୋଗକାରୀ କିଞ୍ଜିରକେଲା ଓଡ଼ିଆପଡ଼ାର ହେମନ୍ତ ଦଣ୍ଡସେନାଙ୍କ ମା’ଙ୍କ ନାମରେ ଇନ୍ଦିରା ଆବାସ କାର୍ଯ୍ୟାଦେଶ ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଇ ପୂର୍ବତନ ସରପଞ୍ଚ ଶ୍ରୀ ମିଞ୍ଜ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସୁନ୍ଦରଗଡ଼ର ପୂର୍ବତନ ଭିଜିଲାନ୍ସ ଡିଏସ୍‌ପି ସାମୁଏଲ ପ୍ରଧାନ ତଦନ୍ତ କରି ଚୂଡାନ୍ତ ରିପୋର୍ଟ ଦାଖଲ କରିଥିଲେ। ମାମଲାକୁ ସ୍ବତନ୍ତ୍ର ଭିଜିଲାନ୍ସ ପିପି ଶ୍ୟାମସୁନ୍ଦର ମିଶ୍ର ପରିଚାଳନା କରିଥିଲେ।