ରାଉରକେଲା: ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ନାଲି ଇଟା କାରଖାନା ଚାଲିଛି। ପ୍ରଦୂଷଣ ବିଭାଗର ଛାଟ ପରେ ହାତ ଗଣତି କେତୋଟି ମାଟି ଇଟାଭାଟିକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦ କରାଯାଇଛି। ହେଲେ ଏବେ ସୁଦ୍ଧା ଜିଲ୍ଲାରେ ଶହ ଶହ ମାଟି ଇଟା ଭାଟି ବେଆଇନ ଭାବେ ଚାଲିଛି। ଇଟାଭାଟି ମାଲିକମାନେ ଭିତିରି ସଲାସୁତୁରା କରି ସରକାରଙ୍କ ନିର୍ଦ୍ଦେଶନାମାକୁ ଫୁଃ କରି ଦେଇଛନ୍ତି। ପାନପୋଷ ଉପଖଣ୍ଡ ଲାଠିକଟା, ନୂଆଗାଁ, ବିଶ୍ରା ସମେତ ସୁନ୍ଦରଗଡ ଜିଲ୍ଲାର ଅନେକ ବ୍ଲକରେ ଏକାଧିକ ମାଟିଇଟା ନିର୍ମାଣ କରାଯାଉଛି। ଫଳରେ ମୂର୍ତ୍ତିକା କ୍ଷୟ ହେବା ସହ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି। ବିଶ୍ରା, ଲାଠିକଟା, ନୂଆଗାଁ, କୁଆରମୁଣ୍ଡା ଆଦି ଅନେକ ବ୍ଲକରେ ୪୦ରୁ ଅଧିକ ମାଟି ଇଟାଭାଟି ଚାଲିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

Advertisment

ଇଟାଭାଟି ମାଳିକମାନେ ମୂ୍ର୍ତିକା କ୍ଷୟ ମୁଖ୍ୟ ନାୟକ ପାଲଟିଛନ୍ତି। ମାଟି ଇଟା ବିକ୍ରି କରି ସାଧାରଣ ଲୋକଙ୍କୁ ଶୋଷଣ କରିଚାଲିଛନ୍ତି। ବିଶ୍ରା ବ୍ଲକର ପୁରୁଣା ବିଶ୍ରା, ଗୁଡଗୁଡଜୋର, ଲାଠିକଟାର ସୁଇଡିହି, କୁଆରମୁଣ୍ଡା ବ୍ଳକ ଅନ୍ତର୍ଗତ ରାଏବୋଗା,ସମେତ ଅନ୍ୟାନ୍ୟ ଜାଗାରେ ବେଆଇନ ଇଟାଭାଟିଗୁଡ଼ିକୁ ଚାଲୁଥିଲେ ହେଁ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଛନ୍ତି। ମାଲିକମାନେ ଏସବୁ ମାଟି ଇଟାକୁ ଟ୍ରକ, ଟାକ୍ଟର, ଡମ୍ପରଯୋଗେ ବିଭି୍ନ୍ନ ସ୍ଥାନକୁ ପଠାଉଛନ୍ତି। ବର୍ତ୍ତମାନ ଖଣ୍ଡେ ଇଟାକୁ ୯ରୁ ୧୦ ଟଙ୍କା ହିସାବରେ ବିକ୍ରି କରାଯାଉଛି। ପୁରୁଣା ବିଶ୍ରା ଓ ଗୁଡ‌ଗୁଡଜୋର ଅଞ୍ଚଳରେ ଦୀର୍ଘ ବର୍ଷରୁ ଇଟାଭାଟି ମାଲିକମାନେ ସକ୍ରିୟ ହୋଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ନୂଆଗାଁ ବ୍ଲକର କନ୍ଦରକେଲା ଗ୍ରାମର ମଧ୍ୟ ଇଟାଭାଟି ଦୀର୍ଘ ବର୍ଷରୁ ବେଆଇନ ଭାବେ ଚାଲୁଛି। ପ୍ରଦୂଷଣକୁ ନେଇ ସ୍ଥାନୀୟ ଲୋକ ଅନେକ ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଫଳ ଶୂନ।

କେବଳ ଏତିକି ନୁହେଁ ନୂଆଗାଁ ବ୍ଲକ ହାତୀବାରି ଥାନାରୁ ମାତ୍ର ୫ କି.ମି. ଦୂର ଝାଡ଼ଖଣ୍ଡ ଓଡଗାଁରେ ଅନେକ ମାଟିଇଟା ତିଆରି ହେଉଛି। ଏହିସବୁ ଇଟାଗୁଡ଼ିକ ନୂଆଗାଁ ବ୍ଲକ ସମେତ ସୁନ୍ଦରଗଡ ବିଭିନ୍ନ ଜାଗାରେ ପଠାଯାଉଛି। ଏସବୁ ବେଆଇନ କାର୍ଯ୍ୟର ତଦାରଖ କରିବାକୁ ବ୍ଲକରେ ତହସିଲ ଅଫିସ ରହିଛି। ସ୍ଥାନୀୟ ଅଞ୍ଚଳରେ ଏସବୁ ‌ବେଆଇନ କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇବା ପରିବର୍ତ୍ତେ କାଁ ଭାଁ ଯାଞ୍ଚ କରି ଛାଡି ଦେଉଛନ୍ତି। ଜିଲ୍ଲାର ଗୋଟିଏ କି ଦୁଇଟି ବ୍ଲକ ନୁହେଁ ପ୍ରାୟ ଅଧିକାଂଶ ବ୍ଲକ ଅଧିନରେ ଥିବା ତହସିଲ ଅଫିସର କର୍ମଚାରୀମାନେ ସରକାରଙ୍କ ନିର୍ଦ୍ଦେଶନାମାକୁ ପାଳନ କରୁନାହାନ୍ତି। ଯାହାର ଫଳ ଭୋଗୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଉଲ୍ଲେଖଯୋଗ୍ୟ, ଗତ ପ୍ରାୟ ୫ ବର୍ଷ ତଳେ ସୁନ୍ଦରଗଡ ଜିଲ୍ଲାରେ ମାଟି ଇଟା ଭାଟିଗୁଡ଼ିକୁ ବନ୍ଦ କରିବାକୁ ଉଭୟ ପ୍ରଦୂଷଣ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଅଣ୍ଟା ଭିଡିଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରଦୂଷଣ ବିଭାଗର ଜିଲ୍ଲାର ପ୍ରାୟ ୬୦ରୁ ଅଧିକ ମାଟି ଇଟାଭାଟିଗୁଡ଼ିକ ଚିହ୍ନଟ କରିଥିଲେ। ବେଆଇନ ଭାବେ ଚାଲିଥିବା ଏସବୁ ଇଟାଭାଟିକୁ ସିଲ୍‌ କରିବାକୁ ଜିଲ୍ଲାପାଳକୁ ବିସ୍ତୃତ ରିପୋର୍ଟ ପଠାଇଥିଲେ। କାର୍ଯ୍ୟାନୁଷ୍ଠାନ ଭୟରେ କିଛି ଇଟାଭାଟି ମାଲିକ କୋର୍ଟରେ ଆଶ୍ରୟ ନେଇଥିଲେ। ଆଉ କିଛି ଇଟାଭାଟିକୁ ପ୍ରଦୂଷଣ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ତହସିଲଦାର ସିଲ୍‌ କରିଥିଲେ। ବେଆଇନ ଇଟାଭାଟିଗୁଡ଼ିକୁ ଚିହ୍ନଟ କରି ବନ୍ଦ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।