ଦଶରଥପୁର : ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ବେଆଇନ ଭାବେ ଜଳୁଛି ଇଟାଭାଟି। ଗ୍ରୀଷ୍ମତାପକୁ ଏହା ଆହୁରି ବଢ଼ାଇ ଚାଲିଛି। ନିକଟବର୍ତ୍ତୀ ଜନବସତିର ଲୋକମାନେ ଇଟାଭାଟି ନିଆଁ ଧାସରେ କଲବଲ ହେଉଛନ୍ତି। ଦଶରଥପୁର ତହସିଲ ଅଞ୍ଚଳରେ ବୈତରଣୀ ନଦୀ ପଠା କଟିକଟାଠାରୁ ରାମବାଗ ସିଦ୍ଧେଶ୍ୱର ପର୍ଯ୍ୟନ୍ତ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ବେଆଇନ ଇଟାଭାଟି ଜଳୁଛି। ଦତ୍ତପୁର ଗ୍ରାମରେ ମଧ୍ୟ ବେଆଇନ ଇଟାଭାଟି ଚାଲିଛି। ଭାଟି ମାଲିକମାନେ ଲକ୍ଷଲକ୍ଷ ଇଟା ପୋଡ଼ି ବିକ୍ରିକରି ମାଲାମାଲ ହେଉଛନ୍ତି। ମାଟି ଇଟା ତିଆରିକୁ ବେଆଇନ ଘୋଷଣା କରାଯାଇଥିଲେ ବି ଏହାର ଚାହିଦା ଅଧିକ ଥିବାରୁ ଏହି ବେଆଇନ କାରବାର ବେଧଡ଼କ ଭାବେ ଚାଲିଛି।

Advertisment

ଗ୍ରୀଷ୍ମ ସମୟରେ ଇଟା ପୋଡ଼ାଯାଉଥିବାରୁ ପରିବେଶ ପ୍ରଦୂଷିତ ହେଉଛି। ବାୟୁମଣ୍ଡଳ ସଂପୂର୍ଣ୍ଣ ଉତ୍ତପ୍ତ ରହୁଛି। ବଡ଼କଥା ହେଉଛି ବ୍ୟବସାୟୀମାନେ ବୈତରଣୀ ନଦୀବନ୍ଧ କଡ଼ରୁ ମାଟି ଖୋଳି ନେବାକୁ ପଛାଉ ନାହାନ୍ତି। ଏହାଦ୍ବାରା ନଦୀବନ୍ଧ ଦୁର୍ବଳ ହେଉଥିଲେ ବି କାହାର ଚିନ୍ତା ନାହିଁ। ଦଶରଥପୁର ବ୍ଲକ ଅତି ବନ୍ୟାପ୍ରବଣ ଅଞ୍ଚଳ ହୋଇଥିଲେ ବି ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା ସାଜିଛନ୍ତି।

ଜଳସମ୍ପଦ ବିଭାଗ ପକ୍ଷରୁ ବନ୍ଧ ମରାମତି ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ଏଣେ ଇଟା ପାଇଁ ବନ୍ଧକଡ଼ରୁ ମାଟି ଖୋଳାଚାଲିଛି। କୌଣସି ନଦୀପଠାର ୫୦୦ ମିଟର ମଧ୍ୟରେ ଇଟାଭାଟି ହୋଇପାରିବ ନାହିଁ ବୋଲି ନ୍ୟାୟାଳୟର ନିର୍ଦେଶ ରହିଥିଲେ ବି ଏହାକୁ ପାଳନ କରିବାରେ ପ୍ରଶାସନ ବିଫଳ ହୋଇଛି।