ବ୍ରହ୍ମପୁର ମଣ୍ଡଳ କାରାଗାରରେ ସ୍ଥାପନ ହେବ ଇଟାଭାଟି, ରୋଜଗାର ପାଇବେ କଏଦୀ

ବ୍ୟାଙ୍କ ଆକାଉଣ୍ଟ୍‌ରେ ଜମା ହେବ ପାରିଶ୍ରମିକ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ସମ୍ବେଦନଶୀଳ ଜେଲ୍‌ ହେଉଛି ବ୍ରହ୍ମପୁର ମଣ୍ଡଳ କାରାଗାର। ଏଠାରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଠାରୁ ଆରମ୍ଭ କରି ବହୁ ମାଓ ଅଭିଯୁକ୍ତ, ହାର୍ଡ଼କୋର୍ ଅପରାଧୀ ବନ୍ଦୀ ଭାବେ ରହିଛନ୍ତି। ଗତ କିଛିମାସ ହେଲା ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗ୍‌ଷ୍ଟର୍‌ ସୟଦ୍‌ ଉସମାନ୍‌ ଅଲ୍ଲୀ ଓରଫ୍‌ ଟିଟୋକୁ ମଧ୍ୟ ଭୁବନେଶ୍ବର ଝାରପଡ଼ା ଜେଲ୍‌ରୁ ବ୍ରହ୍ମପୁର ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ଜେଲ୍‌ ମାନୁଆଲ୍‌ ଅନୁସାରେ ଅନ୍ତେବାସୀମାନେ କିପରି ସମସ୍ତ ସୁବିଧା ପାଇ ପାରିବେ ସେ ଦିଗରେ ସରକାର ଧ୍ୟାନ ଦେଉଛନ୍ତି। ଜେଲ୍‌ରେ ଅନ୍ତେବାସୀଙ୍କ ପାଢ଼ ପଢ଼ିବା ଠାରୁ ଆରମ୍ଭ କରି ରୋଜଗାର, ଚିକିତ୍ସା ବ୍ୟବସ୍ଥା ଭଳି ସମସ୍ତ ପ୍ରକାର ସୁବିଧା ଉପଳବ୍ଧ କରାଯାଇଛି। ଏହି ଧାରାରେ ଅନ୍ତେବାସୀଙ୍କୁ ରୋଜଗାର ପ୍ରଦାନ କରିବା ଉଦ୍ଦେଶ୍ୟ ନେଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଏକ ଇଟାଭାଟି (ଫ୍ଲାଏଆସ୍‌) କରିବାକୁ ଯୋଜନା ରଖାଯାଇଛି। ଏଥିପାଇଁ ସ୍ଥାନ ନିରୂପଣ ପ୍ରକ୍ରିୟା ସମାପ୍ତ ହୋଇଛି। ଖୁବ୍‌ଶୀଘ୍ର ଏହା ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ଅନ୍ତେବାସୀଙ୍କୁ ରୋଜଗାର ପ୍ରଦାନ କରିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ସରକାରଙ୍କ ତରଫରୁ ଜେଲ୍‌ ପରିସରରେ ହସ୍ତତନ୍ତ ଶିଳ୍ପ କାର୍ଯ୍ୟକାରୀ କରୁଛି। ଏହି ଶିଳ୍ପ ଜରିଆରେ ଅନ୍ତେବାସୀମାନେ ହାତବୁଣା ଦରି, ଗାମୁଛା, ସାର୍ଟ କପଡ଼ା ପ୍ରଭୃତି ତିଆରି କରୁଛନ୍ତି। ରାଜ୍ୟ ସରକାର ଏଥିପାଇଁ କଞ୍ଚାମାଲ୍‌ ଯୋଗାଉଛନ୍ତି। ଅନ୍ତେବାସୀଙ୍କ ଦ୍ବାରା ପ୍ରସ୍ତୁତ କରାଯାଇ ବଜାରରେ ବିକ୍ରି କରାଯାଉଛି। ସେହି କାମରେ ନିୟୋଜିତ ଅନ୍ତେବାସୀଙ୍କୁ ପାରିଶ୍ରମିକ ମିଳୁଛି।

ଠିକ୍‌ ସେହିପରି ଜେଲ୍‌ରେ ଗହମ, ଡାଲି, ବିରି, ଚାଉଳ, କଞ୍ଚା ହଳଦୀ ଗୁଣ୍ଡ କରାଯାଉଛି। ଏଥିପାଇଁ ଜେଲ୍‌ ତରଫରୁ ବ୍ରହ୍ମପୁର ବଜାରରୁ କଞ୍ଚାମାଲ୍‌ କ୍ରୟ କରାଯାଇଥାଏ। ତାହା ଅନ୍ତେବାସୀଙ୍କ ଦ୍ବାରା ମିଲ୍‌ରେ ଗୁଣ୍ଡ କରିବା ପରେ ପ୍ୟାକେଟ୍‌ କରି ବିକ୍ରି କରାଯାଇଥାଏ। ଏହି ସାମଗ୍ରୀ ବିକ୍ରି କରିବା ପାଇଁ ଜେଲ୍‌ର ପ୍ରବେଶ ପଥରେ ଏକ ସ୍ବତନ୍ତ୍ର କାଉଣ୍ଟର୍‌ ରହିଛି। ସେଠାରେ ଏହି ସବୁ ସାମଗ୍ରୀ ମିଳିଥାଏ। ଏଥିରୁ ଆଦାୟ ହେଉଥିବା ଟଙ୍କାରୁ ଅନ୍ତେବାସୀଙ୍କୁ ପାରିଶ୍ରମିକ ଦିଆଯାଇଥାଏ। ଠିକ୍‌ ସେହିପରି କିଛି ପରିମାଣ ଟଙ୍କା ପ୍ରିଜନ୍‌ ୱେଲ୍‌ଫେୟାର୍‌ ଫଣ୍ଡ୍‌‌ରେ ରହିଥାଏ ବୋଲି ସୂଚନା ଦିଆଯାଇଛି।

ଏଭଳି କାର୍ଯ୍ୟ ଫଳପ୍ରଦ ହେଉଥିବାରୁ ବ୍ରହ୍ମପୁର ଜେଲ୍‌ ପରିସରରେ ଏକ ଇଟାଭାଟି (ଫ୍ଲାଏଆସ୍‌) କରିବାକୁ ବିଗତ ବର୍ଷରେ ଯୋଜନା କରାଯାଇଥିଲା। ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ଦ୍ବାରା ଜିଲ୍ଲା ଶିଳ୍ପ କେନ୍ଦ୍ର(ଡିଆଇସି) ଜରିଆରେ ଏହା ସ୍ଥାପନ ପାଇଁ ଯୋଜନା ହୋଇଥିଲା। ସଂସ୍ଥାର ସାମାଜିକ ଦାୟିତ୍ବବୋଧ କାର୍ଯ୍ୟ ଅନ୍ତର୍ଗତ ଏହି ଇଟାଭାଟି ସ୍ଥାପନ କରାଯିବ। ଏଥିପାଇଁ ଜେଲ୍‌ ପରିସରରେ ସ୍ଥାନ ନିରୂପଣ ହୋଇ ସାରିଛି। ଇଟାଭାଟି ପାଇଁ ପାଣି ସମସ୍ୟା ରହିଥିବାରୁ କାମ ଆଗେଇ ପାରୁନାହିଁ। ଏହି ସମସ୍ୟା ସମାଧାନ କରି ଖୁବ୍‌ଶୀଘ୍ର ଇଟାଭାଟି ସ୍ଥାପନ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏହାଦ୍ବାରା ଜେଲ୍‌ର ଅନ୍ତେବାସୀମାନେ ରୋଜଗାର ପାଇ ପାରିବେ।

ଜେଲ୍‌ରେ କାମ କରୁଥିବା ଅନ୍ତେବାସୀଙ୍କୁ ତାଙ୍କର ପାରିଶ୍ରମିକ ପ୍ରଦାନ ପାଇଁ ଏବେ ବ୍ୟାଙ୍କ ଆକାଉଣ୍ଟ୍‌ ବାଧ୍ୟତାମୂଳକ କରାଯାଇଛି। ଯେଉଁ ଅନ୍ତେବାସୀଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ୍‌ ନାହିଁ ସେମାନଙ୍କ ନିମନ୍ତେ ବ୍ୟାଙ୍କ ଖାତା ଖୋଲିବା ପାଇଁ ଜେଲ୍‌ କର୍ତ୍ତୃପକ୍ଷ ପଦକ୍ଷେପ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ କିଛି ଅନ୍ତେବାସୀଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ ଖୋଲିବା ପାଇଁ ଆବଶ୍ୟକ କାଗଜପତ୍ର ସଂଗ୍ରହ କରାଯାଇଛି। ବ୍ୟାଙ୍କ ଖାତା ଖୋଲିବା ପରେ ଜେଲ୍‌ ତରଫରୁ ସମ୍ପୃକ୍ତ ଅନ୍ତେବାସୀଙ୍କ ଆକାଉଣ୍ଟର୍‌ରେ ସିଧାସଳଖ ପାରିଶ୍ରମିକ ଟଙ୍କା ଜମା କରାଯିବ ବୋଲି ଜେଲର୍‌ ସତ୍ୟନାରାୟଣ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର