ମାହାଙ୍ଗାରେ ଇଟା ମାଫିଆଙ୍କ ଉତ୍ପାତ: ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ, ପୂର୍ବତନ ସରପଞ୍ଚଙ୍କୁ ମାଡ଼

ମାହାଙ୍ଗା: ମାହାଙ୍ଗାରେ ଇଟା, ବାଲି ଓ ମାଟି ମାଫିଆଙ୍କ ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛିଦିନ ତଳେ ଜଣେ ରାଜସ୍ବ ନିରୀକ୍ଷକଙ୍କୁ ବାଲି ମାଫିଆ ଆକ୍ରମଣ କରିଥିବା ବେଳେ ଆଜି ଇଟା ମାଫିଆମାନେ ମାହାଙ୍ଗାର ଅତିରିକ୍ତ ତହସିଲଦାରଙ୍କ ସମେତ ତହସିଲ କର୍ମଚାରୀଙ୍କୁ ଆକ୍ରମଣ ଉଦ୍ୟମ କରିବା ସହିତ ଜଣେ ପୂର୍ବତନ ସରପଞ୍ଚଙ୍କୁ ମାଡ଼ ମାରିଛନ୍ତି। ଏହି ଘଟଣାର ଏକ ଭିଡିଓ ଭାଇରାଲ୍‌ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ଦିଲୀପ କୁମାର ନାୟକ ଓ ମାହାଙ୍ଗାର ପୂର୍ବତନ ସରପଞ୍ଚ ତ୍ରିଲୋଚନ ମିଶ୍ର ପୃଥକ୍‌ ଭାବେ ମ‌ାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ ଆଜି ପୂର୍ବାହ୍ଣ ସାଢ଼େ ୧୦ଟାରେ ମାହାଙ୍ଗା ଅତିରିକ୍ତ ତହସିଲଦାର ଶ୍ରୀ ନାୟକ, ଗୌଡ଼ପଡ଼ା ରାଜସ୍ବ ନିରୀକ୍ଷକ ଶଙ୍କର୍ଷଣ ପ୍ରଧାନଙ୍କ ସମେତ ତହସିଲ କର୍ମଚାରୀମାନେ ମାହାଙ୍ଗା ପଞ୍ଚାୟତର ପର୍ଶୁରାମପୁର ଗ୍ରାମରେ ଥିବା ଏକ ବେଆଇନ ଇଟାଭାଟି ଉପରେ ଚଢ଼ଉ କରିଥିଲେ। ଏହି ସମୟରେ ଇଟା ମାଫିଅମାନେ ସଂଘବଦ୍ଧ ଭାବେ ଅତିରିକ୍ତ ତହସିଲଦାରଙ୍କୁ ଗାଳିଗୁଲଜ କରିବା ସହିତ ଟେକାପଥର ଫୋପାଡ଼ି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଅତିରିକ୍ତ ତହସିଲଦାର ନିଜ ବୋଲେରୋ ଗାଡ଼ି ଭିତରକୁ ପଶିଯାଇଥିଲେ। ଏହି ସମୟରେ ଘଟଣା ସ୍ଥଳରେ ଉପସ୍ଥିତ ମାହାଙ୍ଗାର ପୂର୍ବତନ ସରପଞ୍ଚ ତ୍ରିଲୋଚନ ମିଶ୍ରଙ୍କୁ ମାଫିଆମାନେ ମାଡ଼ ମାରିଥିଲେ।

ପରେ ସେମାନେ ତହସିଲ ଗାଡ଼ିକୁ ଠେଙ୍ଗା ଓ ପଥରରେ ଆକ୍ରମଣ କରିଥିଲେ। ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରୁ ଫେରିବା ପରେ ଏ ନେଇ ତହସିଲଦାର ମଧୁସୂଦନ ନାୟକଙ୍କୁ ଅବଗତ କରିଥିଲେ। ଏଥିସହ ଅତିରିକ୍ତ ତହସିଲଦାର ଶ୍ରୀ ନାୟକ ବେଆଇନ ଭାବେ ଇଟା ପକାଇଥିବା ଓ ଆକ୍ରମଣ ଉଦ୍ୟମ କରିବା ନେଇ ପର୍ଶୁରାମପୁର ଗ୍ରାମର ବିଭୂତିଭୂଷଣ ପ୍ରଧାନ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହା ସହ ଆକ୍ରମଣର ଶିକାର ‌ହୋଇଥିବା ପୂର୍ବତନ ସରପଞ୍ଚ ଶ୍ରୀ ମିଶ୍ର ଗ୍ରାମର ବିଭୁତି ଭୂଷଣ ପ୍ରଧାନ, ନୀଳାଦ୍ରି ବିହାରୀ ମିଶ୍ର ଓ ପୁରୁଷୋତ୍ତମ ପ୍ରଧାନ ପ୍ରମୁଖଙ୍କ ବିରୋଧରେ ଥାନାରେ ଅନ୍ୟ ଏକ ଏତଲା ଦେଇଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର