ଭୁଶୁଡ଼ିବ ଇଟା ମନ୍ଦିର! : ଜରାଜୀର୍ଣ୍ଣ ଅବସ୍ଥାରେ ସୂର୍ଯ୍ୟ ମନ୍ଦିର ପରିସରରେ ଆଉ ଏକ କୀର୍ତ୍ତି

କୋଣାର୍କ : ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିରର ମୁଖଶାଳାର ଜରାଜୀର୍ଣ୍ଣ ଅବସ୍ଥା ଚର୍ଚାରେ ରହିଛି। ମନ୍ଦିରର କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତି କଢ଼ାଯାଇ ସାଧାପଥର ଖଂଜାଯିବାକୁ ନେଇ ହଟଚମଟ ଲାଗିରହିଛି। ଏଭଳି ପରିସ୍ଥିତିରେ ସୂର୍ଯ୍ୟମନ୍ଦିର ପରିସରରେ ରହିଥିବା ଏକ ପ୍ରାଚୀନ ଇଟା ମନ୍ଦିର ମଧ୍ୟ ତାର ଅସ୍ତିତ୍ବ ହରାଇବାର ଦ୍ବାର ଦେଶରେ ଉପନୀତ ହୋଇଥିବା ଦେଖାଯାଇଛି। ଉକ୍ତ ଇଟା ମନ୍ଦିର ନିର୍ମାଣ ସୂର୍ଯ୍ୟ ମନ୍ଦିରର ଦୀର୍ଘ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବାର ପ୍ରମାଣ ରହିଛି। ଏହି ମନ୍ଦିରଟି ସୂର୍ଯ୍ୟ ମନ୍ଦିରର ବ୍ଳୁପ୍ରିଣ୍ଟ ଭାବେ ବିବେଚିତ ହୋଇଥାଏ। କାରଣ ସୂର୍ଯ୍ୟମନ୍ଦିର ନିର୍ମାଣ ପୂର୍ବରୁ ଦଶମ ଶତାଦ୍ଦୀରେ ପ୍ରଥମେ ସୂର୍ଯ୍ୟମନ୍ଦିରର ମଡେଲ ସଦୃଶ ମନ୍ଦିର ପରିସରରେ ଏହି ଇଟା ମନ୍ଦିର ରହିଥିବାର ଜଣାପଡ଼େ। ମନ୍ଦିରଟି ନିର୍ମାଣ ସମୟରେ ବ୍ୟବହୃତ ଇଟାଗୁଡ଼ିକୁ ଚୁନରେ ମିଶ୍ରିତ ଅଠାଳିଆ ସାମଗ୍ରୀରେ ଯୋଡ଼େଇ କରାଯାଇଥିବାର ଦେଖିବାକୁ ମିଳେ। ମନ୍ଦିରରେ ବ୍ୟବହୃତ ହୋଇଥିବା ଇଟାଗୁଡ଼ିକ ବର୍ତମାନର ଇଟାଠାରୁ ଅଧିକ ଚଉଡ଼ା ଓ ଲମ୍ବ। ମାତ୍ର ସମୟକ୍ରମେ ଏହି ଇଟାଗୁଡ଼ିକ ନିୟମିତ ବ୍ୟବଧାନରେ ଖସି ଭାଙ୍ଗିଯାଇଥିବା ଦେଖାଯାଇଛି। ଏପରିକି ୧୯୫୫ ଓ ୧୯୬୦ ମସିହାରେ ମନ୍ଦିର ପରିସର ଖନନ ସମୟରେ ଏହି ଇଟା ମନ୍ଦିର ନିକଟରୁ ତିନୋଟି ପାର୍ଶ୍ୱ ଦେବତା ବରାହ, ନରସିଂହ ଓ ତ୍ରିବିକ୍ରମଙ୍କ ମୂର୍ତ୍ତି ମିଳିଥିବାର ସୂଚନା ରହିଛି। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରାଚୀନ ମନ୍ଦିରଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ବର୍ତମାନ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କୁ ଏହି ମନ୍ଦିରଟି ସୂର୍ଯ୍ୟଙ୍କ ପତ୍ନୀ ମାୟାଦେବୀଙ୍କର ବୋଲି ଅବଗତ କରାଯାଉଛି। ଦଶମ ଶତାଦ୍ଦୀରୁ ଆଜି ପର୍ଯ୍ୟନ୍ତ ଉତ୍କଳୀୟ କଳାଭାସ୍କର୍ଯ୍ୟର ମୁଖସାକ୍ଷୀ ଭାବେ ରହିଥିବା ଏହି ମନ୍ଦିରର ରକ୍ଷଣାବେକ୍ଷଣ ଏବେ ଜରୁରୀ ହୋଇପଡ଼ିଛି। ମନ୍ଦିରଟିକୁ ସୁରକ୍ଷା ଦେବାପାଇଁ ଏବେ ବିଭିନ୍ନ ମହଲରୁ ଦାବି ହେଉଛି। ମାତ୍ର ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ପ୍ରତ୍ନତ୍ତତ୍ବ ବିଭାଗ ଏ ଦିଗରେ ଉଦାସୀନ ଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର