ବଲାଙ୍ଗୀର/ଦେଓଗାଁ: ବିବାହ ସରିଥିଲା। ଭୋଜିର ଭବ୍ୟ ଆୟୋଜନରେ ସମ୍ପର୍କୀୟ ଓ ଅତିଥି ସାମିଲ ହୋଇଥିଲେ। ହେଲେ ହାତଗଣ୍ଠି ପଡ଼ି ସାରିଥିବା ବେଳେ ଶଙ୍ଖା ଓ ସିନ୍ଦୁରର ମୂଲ୍ୟ ବୁଝି ନପାରି ବିଦାୟ ପୂର୍ବରୁ ବରକୁ ଛାଡ଼ି ପ୍ରେମିକ ସହ କନ୍ୟା ଫେରାର ମାରିଛି। ବଲାଙ୍ଗୀର ସହରର ବ୍ରାହ୍ମଣପଡ଼ାରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଅଭିଯୋଗ ଅନୁସାରେ ବଲାଙ୍ଗୀର ଦେଓଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ପ୍ରେମ କୁମାର ମାଝୀଙ୍କ ବିବାହ ବଲାଙ୍ଗୀର ବ୍ରାହ୍ମଣପଡ଼ାର ସୁରେନ୍ଦ୍ର ମହାକୁଡଙ୍କ ଝିଅ ଲିଜା ମହାକୁଡଙ୍କ ସହିତ ବିବାହ ଠିକ୍ ହୋଇଥିଲା। ରୀତି ନୀତି ଅନୁସାରେ ଗତ ରାତିରେ କନ୍ୟାବାସଭବନରେ ବିବାହ ଅନୁଷ୍ଠିତ ହୋଇଥିଲା। କନ୍ୟାପିତା ପକ୍ଷରୁ ଭବ୍ୟ ଭୋଜିର ମଧ୍ୟ ଆୟୋଜନ ହୋଇଥିଲା। ସେପଟେ ବରପକ୍ଷ ଲୋକ ବରାତିରେ ନାଚ ଗୀତ କରି ଆସିଥିଲେ।
ତେବେ ରୀତିନୀତି ଅନୁସାରେ ବିବାହ ବେଦିରେ ବିବାହ ସମ୍ପନ୍ନ ହୋଇଥିଲା। କନ୍ୟା ଓ ବରଙ୍କ ହାତ ଗଣ୍ଠି ମଧ୍ୟ ପଡ଼ି ସାରିଥିଲା। ବାକି ଥିଲା କନ୍ୟା ବିଦାୟ। ହେଲେ ବିଦାୟ ସମୟରେ ଜଣା ପଡ଼ିଥିଲା କନ୍ୟା ଲିଜା ତାର ପ୍ରେମିକ ସହ ଫେରାର ମାରିଛି। ସେପଟେ ଉଭୟ କନ୍ୟା ଓ ବର ପକ୍ଷ ଏଥିରେ ଲୋକ ହସା ହେବା ସହ ଆର୍ଥିକ ଓ ସାମାଜିକ କ୍ଷତି ସହିଛନ୍ତି। ଏହାକୁ ନେଇ ବର ଓ କନ୍ୟାପିତା ପରିବାର ଲୋକେ ବଲାଙ୍ଗୀର ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ତେବେ ବର ପ୍ରେମ କୁମାର ମାଝୀ ରୀତିନୀତିରେ ବିବାହ ହୋଇଥିବାର କଥା କହିଛନ୍ତି। ବିବାହ ବେଦିରେ ଝିଅ ତାଙ୍କ ଠୁଁ ସିନ୍ଦୂର ପିନ୍ଧି ବିଦାୟ ସମୟରେ କନ୍ୟା ଫେରାର ମାରିଥିବର କହିଛନ୍ତି । ସେ ବିବାହ ପାଇଁ ସୁନା ଅଳଙ୍କାର ସହିତ ଭୋଜି ଓ ଅନ୍ୟାନ୍ୟ ପ୍ରକାରର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଏଭଳି ପରିସ୍ଥିତିରେ ସେ ଶେଷ ମୁହୂର୍ତ୍ତରେ ଫେରାର ମାରିବାକୁ ସେ ଭାଙ୍ଗି ପଡ଼ିଥିବାର କହିଛନ୍ତି। ପୁଲିସ୍ ପାଖରେ ସେ ଲିଖିତ ଭାବରେ ଅଭିଯୋଗ କରିବା ସହ ଆଗକୁ ଝିଅ ତାଙ୍କୁ କୌଣସି ମତେ ହଇରାଣ ନ କରିବ ତା ପାଇଁ ସେ ଲିଖିତ ଅଭିଯୋଗ କରିଛନ୍ତି।