ଦଶରଥପୁର: କାର୍‌ କିଣିବାକୁ ବାପଘର ଟଙ୍କା ଦେଇ ନପାରିବାରୁ ଜଣେ ମହିଳାଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିଂଝାରପୁର ଥାନାରେ ଏନେଇ ଏକ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ମଙ୍ଗଳପୁର ଥାନା ନିଜାମପୁର ଗ୍ରାମର ସରୋଜ କୁମାର ବାଇଙ୍କ ଝିଅ ତପସ୍ୱିନୀ(୨୬) ବିଂଝାରପୁର ଥାନା ଉତ୍ତରକୂଳ ଗ୍ରାମର ଅଭିମନ୍ୟୁ ନାଥଙ୍କ ପୁଅ ବିଜୟ(୩୨)ଙ୍କୁ ୨୦୧୮ ମସିହା ମେ ମାସରେ ବିବାହ କରିଥିଲେ। କିଛିଦିନ ପରେ ବାପଘରୁ କାର୍‌ ପାଇଁ ଟଙ୍କା ଆଣିବାକୁ ତପସ୍ୱିନୀଙ୍କ ଉପରେ ଶାଶୂଘର ଲୋକେ ଚାପ ପକାଇଥିଲେ।

Advertisment

ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ବାପଘର ଲୋକେ ଝିଅ ଶାଶୂଘର ଲୋକଙ୍କ ଦାବି ପୂରଣ କରିପାରିନଥିଲେ। ଏହାପରେ ତପସ୍ୱିନୀଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ଗତ ୨୫ ତାରିଖରେ ମାଡ଼ଗାଳି ଅତିଷ୍ଠ ହେବାରୁ ତପସ୍ୱିନୀ ତାଙ୍କୁ ନେଇଯିବାକୁ ବାପାଙ୍କୁ ଅନୁରୋଧ କରିଥିଲେ। ହେଲେ ସେଦିନ ମଧ୍ୟାହ୍ନରେ ଦେଢ଼ଶୁର ରାଜେନ୍ଦ୍ର ତପସ୍ୱିନୀଙ୍କ ବାପାଙ୍କୁ ମୋବାଇଲ୍‌ରେ ଫୋନ୍‌କରି ତୁମ ଝିଅର ଦେହ ଅସୁସ୍ଥ ଓ ସେ ଏବେ ଯାଜପୁର ଡାକ୍ତରଖାନାରେ ଚିକିତ୍ସା ହେଉଥିବା କହିଥିଲେ।

ଝିଅ ଡାକ୍ତରଖାନାରେ ଥିବା ଶୁଣି ବାପା ସରୋଜ ଓ ସାନବାପା ଜନ୍ମେଜୟ ଯାଜପୁର ଡାକ୍ତରଖାନାରେ ପହଞ୍ଚିଥିଲେ। ହେଲେ ତପସ୍ବିନୀ ଆତ୍ମହତ୍ୟା କରିଥିବା ସେଠାରେ ଥିବା ଦେଢ଼ଶୁର ରାଜେନ୍ଦ୍ର ସେମାନଙ୍କୁ କହିଥିଲେ। ଏହା ଶୁଣିବା ପରେ ଝିଅକୁ ଶାଶୂଘର ଲୋକେ ମାରିଦେଇ ଆତ୍ମହତ୍ୟା ରୂପ ଦେଉଥିବା ତାଙ୍କ ବାପା ସରୋଜ ବିଂଝାରପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ପରେ ପୁଲିସ ତଦନ୍ତ ଚଳାଇଛି।