ପ୍ରେମେନ୍ଦ୍ର ପରିଛ‌ା

Advertisment

ମାଲକାନଗିରି: ବାଲିମେଳା ଜଳଭଣ୍ଡାର ନିର୍ମାଣ ପରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳର ୯ଟି ପଞ୍ଚାୟତ ବିଚ୍ଛିନ୍ନ ହୋଇଗଲା। ବିଚ୍ଛିନ୍ନାଞ୍ଚଳର ୧୫୧ଟି ଗ୍ରାମ ନକ୍ସଲଙ୍କ କବ୍‌ଜାକୁ ଚାଲିଗଲା। ସ୍ଥାନୀୟ ଲୋକେ ମୌଳିକ ସୁବିଧା ପାଇବା‌ରୁ ବଞ୍ଚିତ ହେବା ସହ ମରି ମରି ଜିଉଁଥିଲେ। ଆଇନର ଶାସନ ବଦଳରେ ନକ୍ସଲଙ୍କ ଶାସନ ଚାଲିଲା। ଏହି ବିଚ୍ଛିନ୍ନାଞ୍ଚଳରୁ ମାଲକାନଗିରିର ତତ୍‌କାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କୁ ଅପହରଣ କରି ସରକାରଙ୍କ ସହ ମୂଲଚାଲ କରିଥିଲେ। ନକ୍ସଲଙ୍କ ଆଗରେ ଅସହାୟ ହୋଇପଡ଼ିଥିଲେ ସରକାର। ପରିସ୍ଥିତି ଏଭଳି ହୋଇଥିଲା ଯେ ସରକାର ଏଠି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବି କରାଇ ପାରିନଥିଲେ। ୯୦୦ ମିଟରର ସେତୁଟିଏ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ୩୬ବର୍ଷ ଲାଗିଗଲା। ହେଲେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଏଠକାର ସ୍ଥିତି ବଦଳିଛି। କମିଛି ନକ୍ସଲ ଉପଦ୍ରବ। ସ୍ବାଭାବିକ ହୋଇଛି ଜୀବନଯାପନ। ବାଲିମେଳା ଜଳଭଣ୍ଡାରକୁ ଘେରି ରହିଥିବା ଏହି ଅଞ୍ଚଳ ଏବେ ମୁଖ୍ୟସ୍ରୋତରେ ସାମିଲ୍ ହୋଇଛନ୍ତି। ଉନ୍ନୟନମୂଳକ କାର୍ଯ୍ୟ, ମତଦାନ, ଯାତାୟାତ, ଯାନିଯାତ୍ରା ପାଳନ ସବୁକିଛି ଏବେ ହୋଇପାରୁଛି। ଏଥିସହ ମାଓ ପ୍ରବଣ ଅଞ୍ଚଳରୁ ଅପସାରିତ ହେବାରେ ଲାଗିଛନ୍ତି ବିଏସ୍‌ଏଫ୍‌ ଯବାନ।

ବିଚ୍ଛିନ୍ନାଞ୍ଚଳକୁ ବିକାଶ ପଥରେ ଯୋଡ଼ିବାକୁ ୧୯୮୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଗୁରୁପ୍ରିୟା ସେତୁର ଶିଳାନ୍ୟାସ କରିଥିଲେ। ୮ କୋଟିରୁ ଆରମ୍ଭ ହୋଇଥିବା ସେତୁ ଶେଷ ବେଳକୁ ବ୍ୟୟ ଅଟ୍ଟକଳ ୧୭୨ କୋଟିରେ ପହଞ୍ଚିଥିଲା। ୨୦୧୮ ଜୁଲାଇ ୨୬ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରିୟା ସେତୁର ଶୁଭ ଉଦ୍‌ଘାଟନ କରି ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଭାବେ ଘୋଷଣା କରିଥିଲେ। ଏଥି ସହିତ ୧୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିଲେ। ଦଶନ୍ଧି ଦଶନ୍ଧି ଧରି ପରାଧୀନ ଜୀବନ ଯାପନ କରୁଥିବା ବିଚ୍ଛିନ୍ନାଞ୍ଚଳବାସୀ ଗୁରୁପ୍ରିୟା ସେତୁ ପାଇଁ ନୂଆ ଜୀବନ ପାଇଲେ। ୪୦ ବର୍ଷରୁ ଊର୍ଦ୍ଧ୍ବ ବର୍ଷ ଧରି ୧୫୧ଟି ଗ୍ରାମର ଲୋକ ନକ୍ସଲଙ୍କ ଦବାଦବା ଯୋଗୁଁ ମରି ମରି ବଞ୍ଚୁଥିଲେ। ଏଠି ନକ୍ସଲଙ୍କ ଆଇନ କାନୁନ୍‌ ଚାଲୁଥିଲା। ଲୋକେ ନକ୍ସଲଙ୍କ ବିନା ଅନୁମତିରେ ବାହାରକୁ ଯାଇପାରୁ ନଥିଲେ କିମ୍ବା ଭଲ ପୋଷାକ ବି ପିନ୍ଧିପାରୁ ନଥି‌ଲେ। ଭଲ ଘର ଖଣ୍ଡିଏ କରିବା, ଗାଈଗୋରୁ ପାଳନ ଓ ମୋବାଇଲ ବ୍ୟବହାର ଉପରେ ବି ଥିଲା ନକ୍ସଲଙ୍କ କଟକଣା।  ରାତି ହେଉ କି ଦିନ ସବୁବେଳେ ମୁଣ୍ଡ ଗଡ଼ାଉଥିଲେ ନକ୍ସଲ। ଲାଲ୍‌ ଆତଙ୍କରେ ଥରୁଥିଲା ଏହି ଅଞ୍ଚଳ। ୨୦୧୧ରେ ନକ୍ସଲ ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କୁ ମୁଣ୍ଡଜାମିନ ରଖି ସରକାରଙ୍କ ସହ ମୂଲଚାଲ କରିଥିଲେ।  ସଂପୂର୍ଣ୍ଣ ଅସହାୟ ହୋଇପଡ଼ିଥିଲେ ସରକାର। ବିଚ୍ଛିନ୍ନାଞ୍ଚଳରେ ପାଦ ପକାଇବାକୁ ଡରୁଥିଲେ ସରକାରୀ ବାବୁ। ଏହି ୯ଟି ପଞ୍ଚାୟତରେ ନିର୍ବାଚନ କରାଇ ଦେଉନଥିଲେ ନକ୍ସଲ। ଭୋଟ ଦେଲେ ଆଙ୍ଗୁଳି କାଟିଦେବାକୁ ଧମକ ଦେଉଥିଲେ। ତେବେ ସେତୁ ନିର୍ମାଣ ଯୋଗୁଁ ‌ଗୋଟିଏ ଦଶନ୍ଧିର ବ୍ୟବଧାନ ପରେ ୨୦୨୪ ସାଧାରଣ ନିର୍ବାଚନରେ ଅଞ୍ଚଳବାସୀ ଭୋଟ ଦେଇଛନ୍ତି। 

ଗୁରୁପ୍ରିୟା ସେତୁକୁ ସୁରକ୍ଷା ଦେବା ପାଇଁ ଦିନରାତି ବିଏସ୍‌ଏଫ୍‌ ଯବାନ ପଇଁତରା ମାରୁଛନ୍ତି। ସେତୁ ନିର୍ମାଣ ପରେ ଯନ୍ତ୍ରୀ, ଅଣ୍ଡ୍ରାପାଲି, ଧୂଳିପୁଟ, ପଣସପୁଟ, ପେପରମେଟଲା, ଯଡ଼ାମ୍ବ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଶେଷ ହୋଇଛି। ଲୋକଙ୍କ ସୁରକ୍ଷା ଲାଗି ତିନୋଟି ଥାନା, ୭ଟି ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ହୋଇଛି। ମୋବାଇଲ୍‌ ନେଟଵର୍କର ବ୍ୟବସ୍ଥା ସହ ପ୍ରତ୍ୟେକ ପରିବାରକୁ ତତ୍କାଳୀନ ସରକାର ମାଗଣାରେ ମୋବାଇଲ ଯୋଗାଇ ଦେଇଥିଲେ।  ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବା ନେଇ ଯୋଜନା ପ୍ରସ୍ତୁତ ସହ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ପାନୀୟ ଜଳ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ଯାତାୟାତ ଅସୁବିଧା ପାଇଁ ଆନ୍ଧ୍ର ଉପରେ ନିର୍ଭର କରୁଥିବା ଲୋକେ ଏବେ ଧୀରେ ଧୀରେ ଓଡ଼ିଶା ମୁହାଁ ହେଲେଣି। ନକ୍ସଲ ଉପଦ୍ରବ କମିବା ପରେ ବାଲିମେଳାରେ ନିୟୋଜିତ ୧୫୧ ବାଟାଲିୟନ୍‌ ଯବାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ୯୦୦ ମିଟରର ସେତୁଟିଏ ପାଇଁ କିଭଳି ହଜାର ହଜାର ଲୋକଙ୍କ ଜୀବନ ଶୈଳୀରେ ବ୍ୟାପକ ପରିବର୍ତ୍ତନ ଆସିଛି ‘ଗୁରୁପ୍ରିୟା’ ଏହାର ଜ୍ବଳନ୍ତ ଉଦାହରଣ।