ବଲାଙ୍ଗୀର ପାଟଣାଗଡରେ ନିର୍ମାଣାଧୀନ ବ୍ରିଜ ଭୁଶୁଡିଲା, ୨ ଶ୍ରମିକଙ୍କର ମୃତ୍ୟୁ!

ପାଟଣାଗଡ଼: ବଲାଙ୍ଗୀରର ପାଟଣାଗଡ଼ଠାରେ ସୁକତେଲ ନଦୀ ଉପରେ ନିର୍ମାଣ ହେଉଥିବା ଏକ ପୋଲ ଭୁଶୁଡି ପଡିଛି | ବ୍ରିଜର ଭଗ୍ନାଂଶ ତଳେ ଚାପି ହୋଇ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି | ମୃତ ଦୁଇ ଶ୍ରମିକ ରାଜ୍ୟ ବାହାରର ବୋଲି ଜଣାପଡିଛି | ମିଳିଥିବା ସୂଚନା ମୁତାବକ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆ ଓ ମୁଦଲସର ଗ୍ରାମ ମଝିରେ ପ୍ରବାହିତ ହେଉଥିବା ସୁକତେଲ ନଦୀ ଉପରେ ୫ ବର୍ଷ ତଳେ ବ୍ରିଜ ନିର୍ମାଣ ହୋଇଥିଲା |

ତେବେ ବର୍ତ୍ତମାନ ସୁଦ୍ଧା ଠିକା ସଂସ୍ଥାର କୌଣସି କର୍ମଚାରୀ ପହଞ୍ଚିନଥିବାବେଳେ ତହସିଲଦାର ଡ.ପୁଷ୍ପାଞ୍ଜଳି ପଣ୍ଡା, ସବକଲେକ୍ଟର ପଦ୍ମନାଭ ପୁରୋହିତ, ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହର, ଏସଡିପିଓ ସୁରେଶ କୁମାର ନାଏକଙ୍କ ସହ ଅଗ୍ନିଶମ ଓ ପୁଲିସ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏଠାରେ ସୂଚନା ଥାଉ କି ୨୦୧୫ ମସିହା ଜୁଲାଇ ୩ ତାରିଖରେ ଏହି ବ୍ରିଜକୁ ତତ୍କାଳୀନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଉଦଘାଟନ କରିଥିଲେ |

୬ କୋଟି ୯୯ ଲକ୍ଷ ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ ହୋଇଥିବାବେଳେ ନିର୍ଦ୍ଧାରିତ ସମୟର ୬ ମାସ ପୂର୍ବରୁ କାମ ସାରିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୪୦ ଲକ୍ଷ ଟଙ୍କାର ପୁରସ୍କାର ଠିକାସଂସ୍ଥାକୁ ମିଳିଥିଲା । ତେବେ ନିମ୍ନମାନର କାମ ଯୋଗୁଁ ୨ରୁ ତିନି ମାସ ମଧ୍ୟରେ ଏହି ବ୍ରିଜ ଦବିବାକୁ ଲାଗିଥିଲା | ଯାହାକୁ ନେଇ ରାସ୍ତା ଓ ଗୃହନିର୍ମାଣ ବିଭାଗ ପକ୍ଷରୁ ବ୍ରିଜ ମରାମତି ପାଇଁ ସମ୍ପୃକ୍ତ ଠିକାଦାରଙ୍କୁ କୁହାଯାଇଥିଲା |ଠିକାଦାର ଜଣକ ବ୍ରିଜ ମରାମତି କରାଇବାକୁ ରାଜ୍ୟ ବାହାରୁ ଶ୍ରମିକଙ୍କୁ କାମରେ ନିୟୋଜିତ କରିଥିଲେ | ତେବେ ଆଜି ମରାମତି କାମବେଳେ ହଠାତ ବ୍ରିଜ ଭୁଶୁଡିପଡିଥିଲା |

ସମ୍ବନ୍ଧିତ ଖବର