ଭୁବନେଶ୍ବର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ତମିଆଁ- ମୁଦଲସର ସୁକତେଲ୍ ସେତୁ ଭୁଶୁଡ଼ି ପଡ଼ିବା ଘଟଣାକୁ ନେଇ ଆଲୋ଼ଡ଼ନ ସୃଷ୍ଟି ହୋଇଛି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା,ସେ ନେଇ ତଦନ୍ତ ନିର୍ଦେଶ ଦେଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ବିଭାଗର ଦୁଇଜଣ ମୁଖ୍ୟଯନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ସେମାନେ ଆସନ୍ତାକାଲି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୌଣସି ପରିସ୍ଥିତିରେ ଦୋଷୀକୁ ଛଡାଯିବ ନାହିଁ।
ଶ୍ରୀ ଜେନା କହିଛନ୍ତି ଯେ ସେତୁର ଏହି ଅଂଶ ଦୁର୍ବଳ ଥିବା ଜଣାପଡିଥିଲା। ଜଣେ ବିଶେଷଜ୍ଞଙ୍କୁ ମଧ୍ୟ ଅନୁଧ୍ୟାନ କରିବା ପାଇଁ କୁହାଯାଇଥିଲା। ସେ ରିପୋର୍ଟ ଦେଇଥିଲେ ଯେ ଏହି ଅଂଶକୁ ଭାଙ୍ଗିବାକୁ ପଡ଼ିବ, କାରଣ ଏହା ନିମ୍ନମାନର। ସଂପୃକ୍ତ ଠିକାଦାର ନିଜ ଖର୍ଚ୍ଚରେ ଏହାର ପୁନଃ ନିର୍ମାଣ କରିବାକୁ ରାଜି ହେଉଥିଲେ। ହେଲେ ଭାଙ୍ଗିବା ବେଳେ ସମ୍ଭବତଃ ଆବଶ୍ୟକ ପଦକ୍ଷେପ ନ ନେଇଥିବା କାରଣରୁ ଏଭଳି ଦୁର୍ଘଟଣା ଘଟିଛି। ରିପୋର୍ଟକୁ ସରକାର ଅପେକ୍ଷା କରିଛନ୍ତି।
ଏହି ଘଟଣା ପରେ କିନ୍ତୁ ରାଜ୍ୟରେ ଗତ କିଛି ଦିନ ମଧ୍ୟରେ ବିଭିନ୍ନ ବିଭାଗ ଓ ରେଳବାଇ ଆଦିରେ ପୋଲ ଭୁଶୁଡିବା ଘଟଣାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। କାହିଁକି ଓ କେଉଁ ପରିସ୍ଥିତିରେ ଓଡ଼ିଶାରେ ସେତୁ ଦୁର୍ଘଟଣା ବାରମ୍ବାର ସାମ୍ନାକୁ ଆସୁଛି, ଏଥିପାଇଁ କିଏ ଦାୟୀ, ବାସ୍ତବରେ ନିର୍ମାଣ ବେଳେ ତ୍ରୁଟି ରହୁଛି ନା ଆଉ କିଛି କାରଣ ଦାୟୀ, ସେ ନେଇ ଏକ ବଡ଼ ଧରଣର ଅନୁଧ୍ୟାନ ଅପେକ୍ଷା କଲାଣି। ରାଜ୍ୟ ସରକାରଙ୍କ ପୂର୍ତ, ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗ ଏହା ଉପରେ ସ୍ବତନ୍ତ୍ର ଧ୍ୟାନ ଦେବା ସହିତ ଆଉଥରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ଼ିଓର ସଂପର୍କରେ ନିର୍ଦେଶନାମା ଜାରି କରିବା ଦରକାର ବୋଲି ମତପ୍ରକାଶ ପାଇଛି।
/sambad/media/post_attachments/wp-content/uploads/2020/04/balangir-bridge-2-300x225.jpg)
ସ୍ମରଣଯୋଗ୍ୟ, ୨୦୧୪-୧୫ରେ ମହାନଦୀ ଉପରେ ଜାତମୁଣ୍ଡିଆ ପୋଲ ଭୁଶୁଡ଼ିପଡ଼ିଥିଲା। ଏହି ଘଟଣା ଛାତି ଥରାଇ ଦେବା ଭଳି ପରିସ୍ଥିତି ସୃଷ୍ଟି କରିଥିଲା। ଖୋଦ୍ ରାଜଧାନୀରେ ବମିଖାଲ-ସହିଦନଗର ରେଳ ଓଭରବ୍ରିଜ୍ ଭୁଶୁଡ଼ିବା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ଗୋଟିଏ ଘଟଣା ଏମିତି ଥିଲା ଯେଉଁଥିରେ ଜଣେ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିଲା। କିଛି ଦିନ ପରେ ପୁଣି ଥରେ ଏହି ବ୍ରିଜକୁ ନେଇ ଦୁର୍ଘଟଣା ଘଟିିଲା ଓ ପୁଣି ଜଣେ ପ୍ରାଣ ହରାଇଲେ। ସରକାର ଏଥିରେ ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରିବା ସହିତ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରାଷ୍ଟ୍ରକଚର୍ର ମାଲିକଙ୍କୁ ଗିରଫ କରାଯାଇଥିଲା। ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ, ଉପନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ବି ଗିରଫ ହୋଇଥିଲେ। ସେହିଭଳି ପୋଖରୀପୁଟରେ ନିର୍ମାଣ ହୋଇଥିବା ରେଳ ଓଭରବ୍ରିଜ୍ର ସ୍ଲାବ୍ ଖସିପଡ଼ିଥିଲା। ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ୱେଜ୍ ପ୍ରାଇଭେଟ୍ ଲିମିଟେଡ କାମ କରୁଥିବା ରସୁଲଗଡ଼ ଓଭରବ୍ରିଜ୍ର ସ୍ଲାବ୍ ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। କିଛି ମାସ ତଳେ ଭୁବନେଶ୍ବର ବିମାନବନ୍ଦରର ଟି-୧ ଓ ଟି-୨ ଟର୍ମିନାଲ କୋଠାର ସଂଯୋଗୀକରଣ ବ୍ରିଜ୍ ଭୁଶୁଡ଼ିପଡ଼ିବାରୁ ଏହାର ସେଣ୍ଟ୍ରିଂ ମିସ୍ତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃ୍ତ୍ୟୁ ଘଟିଥିଲା। ଏହି ଘଟଣାରେ ପୁଲିସ ଠିକା ସଂସ୍ଥାର ମାଲିକଙ୍କୁ ବାନ୍ଧିଥିଲା।
କେବଳ କଟକ-ଭୁବନେଶ୍ବର ନୁହେଁ, ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍ ଜୀରା ନଦୀ ଉପରେ ଡୁମେର୍ପାଲି-ଜାଣ୍ଡୋଲ ରାସ୍ତାରେ ବ୍ରିଜ୍ ଭୁଶଡ଼ି ପଡ଼ିଥିଲା। ଗତ ଜାନୁଆରି ମାସରେ ପାଇକମାଳ ବ୍ଲକ୍ ଜାମ୍ସେଠ୍-ପାଇକମାଳ ରାସ୍ତା (ଅଂଗନଦୀ ବ୍ରିଜ୍ର ଗାର୍ଡ ୱାଲ୍) ଖସି ପଡ଼ିଥିଲା।
ସେହିଭଳି ପୂର୍ବରୁ ରାୟଗଡ଼ାରେ ଗୁମୁଡ଼ା ସେତୁ ଭୁଶୁଡ଼ିପଡ଼ିଥିଲା। ୨୦୧୭ରେ ରାୟଗଡ଼ାରେ ବନ୍ୟା ଆସି ଧୋଇ ନେଇଥିଲା କଲ୍ୟାଣ ସିଂହ ବ୍ରିଜ। ଜାତୀୟ ରାଜପଥ ୪୯ ନମ୍ବରରେ ଦେବଗଡ଼ ବାଇପାସ୍ ନିକଟରେ ଏକ ବିମ୍ ଦବିଯାଇଥିଲା ଓ ୫ଟି ଗାର୍ଡର ଭାଙ୍ଗିଯାଇଥିଲା।
ସେହିଭଳି ବହୁ ଚର୍ଚ୍ଚିତ ଗୁରୁପ୍ରିୟା ସେତୁ ବି ଏକାଧିକ ବାର ଚର୍ଚ୍ଚାକୁ ଆସିଛି। ୨୦୧୬ରେ ୨ଥର ଗୁରୁପ୍ରିୟା ବ୍ରିଜ ଭୁଶୁଡିବା ସହ ୨୦୧୭ରେ ପୁଣି ଥରେ ଅନୁରୂପ ଘଟଣା ଘଟିଥିଲା। ଏହାବ୍ୟତୀତ େଛାଟ ମୋଟ ସେତକୁ ବିଚାରକୁ ନେଲେ ଏହି ସଂଖ୍ୟା କେତେ ଗୁଣ ବଢ଼ିଯିବ। ସରକାର ସେ ସମୟରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, କିନ୍ତୁ ବାରମ୍ବାର ଏଭଳି ପରିସ୍ଥିତି ଅନ୍ୟତ୍ର ଘଟୁଛି। ସରକାରୀ ଅର୍ଥ ତ ଅପଚୟ ହେଉଛି, ଏହା ସହିତ ଲୋକେ ନାହିଁ ନଥିବା ଦୁର୍ଦଶାର ସମ୍ମୁଖୀନ େହଉଛନ୍ତି ଓ ପ୍ରକଳ୍ପ ବିଳମ୍ବିତ ହେଉଥିବା କାରଣରୁ ମୂଲ୍ୟ ବଢୁଛି।
ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଓଭରବ୍ରିଜ୍ ନିର୍ମାଣ ସମୟରେ ଲୁହା ପାଇପ୍ ଦ୍ବାରା ସେଣ୍ଟ୍ରିଂ କରିବାକୁ ନିୟମ ରହିଛି। ହେଲେ ଠିକା ସଂସ୍ଥା ଖର୍ଚ୍ଚ କମ୍ ହେବ ବୋଲି ଲୁହା ପାଇପ୍ ନକିଣି କାଠ ବହ୍ଲାରେ ସେଣ୍ଟ୍ରିଂ କରୁଛନ୍ତି। ଫଳରେ ଏହା ବୋଝ ସମ୍ଭାଳିନପାରି ଭୁଶୁଡ଼ି ପଡ଼ୁଛି।
ଏହାବାଦ୍ ଯେଉଁଠି ଓଭରବ୍ରିଜ୍ କାମ ହେଉଛି ସେଠାରେ ମାଟି ପରୀକ୍ଷା କରି କାମ ଆରମ୍ଭ କରିବାକୁ କୁହାଯାଉଛି। କିନ୍ତୁ କେତେକ ଠିକା ସଂସ୍ଥା ଯେଉଁଠି ପିଲାର୍ ନିର୍ମାଣ ହେଉଛି ସେଠାରେ ମାଟି ପରୀକ୍ଷା କରୁନାହାନ୍ତି। ଫଳରେ ପିଲାର୍ ନିର୍ମାଣ ହେବାର କିଛି ଦିନ ପରେ ଏହା ସାମାନ୍ୟ ଦବୁଛି। ସେଣ୍ଟ୍ରିଂବେଳେ ଦୁଇ ପିଲାର ମଧ୍ୟରେ ସମାନତା ରହୁନଥିବାରୁ ଗୋଟିଏ ପାର୍ଶ୍ବରେ ଅଧିକ ଚାପ ପଡ଼ୁଛି। ସେଣ୍ଟ୍ରିଂ ପରେ କଙ୍କ୍ରିଟ୍ ଢଳା ହେଲେ ବୋଝ ସମ୍ଭାଳି ନପାରି ଭୁଶୁଡ଼ି ପଡ଼ୁଛି।
ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ଓଭରବ୍ରିଜ୍ ଛାତ ପକାଇବାକୁ ଯେଉଁ ରଡ୍ ବନ୍ଧା ହେଉଛି ସେଥିରେ ଅଧିକ ଗ୍ୟାପ୍ ରହିଯାଉଥିବାରୁ ଏବଂ ତଳେ କାଠ ବହ୍ଲାରେ ସେଣ୍ଟ୍ରିଂ ହେଉଥିବାରୁ କଙ୍କ୍ରିଟ ବୋଝ ସମ୍ଭାଳିପାରୁନି। ଯେଉଁଥିପାଇଁ ଓଭରବ୍ରିଜ୍ ଭୁଶୁଡ଼ୁଛି। ଦୁର୍ବଳ ସେଣ୍ଟ୍ରିଂ ହିଁ ଓଭରବ୍ରିଜ୍ ଭୁଶୁଡ଼ିବାର ପ୍ରମୁଖ କାରଣ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି। ଯଦି ପୂର୍ତ୍ତ ବିଭାଗର ଯନ୍ତ୍ରୀମାନେ କାମ ସମୟରେ ଏହା ଉପରେ ନଜର ରଖନ୍ତେ ତେବେ ଏହାକୁ ଏଡ଼ାଯାଇପାରନ୍ତା।
ପୂର୍ତ ବିଭାଗର ଜଣେ ପୂର୍ବତନ ସଚିବ କହିଛନ୍ତି, ଏଭଳି ଘଟଣା ପାଇଁ ବିଭାଗର ଭୁଲକୁ ଆଦୌ ଅଣଦେଖା କରାଯାଇପାରିବ ନାହିଁ। ଯନ୍ତ୍ରୀମାନେ ଠିକଣା ଭାବେ ପ୍ରକଳ୍ପ ଅନୁଧ୍ୟାନ ନ କରିବା ତଥା ଏସଓପି ପାଳନ ନ ହେବା ଯୋଗୁଁ ଦୁର୍ଘଟଣା ଘଟୁଛି। ହେଲେ ପ୍ରଶ୍ନ ଉଠୁଛି, ଆଉ କେତେ ଲୋକ ପ୍ରାଣ ହରାଇଲେ,ଏସବୁ ବ୍ୟବସ୍ଥାରେ ସୁଧାର ଆସିବ? ସମୁଦାୟ ଘଟଣା ପାଇଁ କାହାକୁ ଉତ୍ତରଦାୟୀ କରାଯିବ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/balangir-bridge.jpg)