ତମିଆଁ-ମୁଦଲସର ସୁକ୍‌ତେଲ ସେତୁ ଭୁଶୁଡ଼ିଲା, ୨ ଶ୍ରମିକ ମୃତ, ଜଣେ ଗୁରୁତର

ନିମ୍ନମାନର ଅଭିଯୋଗ ଥିଲା

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ତମିଆଁ- ମୁଦଲସର ସୁକ‌ତେଲ୍‌ ସେତୁ ଆଜି ମରାମତି ଚାଲିଥିବାବେଳେ ଭୁଶୁଡ଼ି ଯାଇଛି। ଫଳରେ ଭଙ୍ଗା ସ୍ଲାବ୍ ତଳେ ଚାପି ହୋଇ ୨ ଜଣ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଶ୍ରମିକମାନେ ହେଲେ ମନିଷ କସୱା(୧୭), ରାଜଭାନ କସୱା(୩୮) ଓ ସୋନୁ କସୱା(୨୨)। ଏମାନେ ‌ସମସ୍ତେ ମଧ୍ୟପ୍ରଦେଶର ବୋଲି ଜଣାପଡ଼ିଛି। ମୃତ ମନିଷର ବାପା ମାୟାରାମ କସୱା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କାରଣ ନିର୍ମାଣ ‌ହେବା ଦିନଠାରୁ ଏହି ସେତୁର କାମ ନିମ୍ନମାନର ବୋଲି ଅଭିଯୋଗ ହୋଇ ଆସୁଥିଲା। କିନ୍ତୁ ଅଞ୍ଚଳବାସୀଙ୍କ ଅଭିଯୋଗକୁ ଶୁଣି ନଥିଲେ କର୍ତ୍ତୃପକ୍ଷ। ବରଂ ଧାର୍ଯ୍ୟ ସମୟ ମଧ୍ୟରେ ସେତୁ ନିର୍ମାଣ ଶେଷ କରିଥିବାରୁ ନିର୍ମାଣକାରୀ ସଂସ୍ଥାକୁ ପୁରସ୍କୃତ କରିଥିଲେ।

ଦିନ କେଇଟା ପରେ ସେତୁର ଅସଲ ରୂପ ପଦାରେ ପଡ଼ିଥିଲା। ସେତୁର ୬ଟି ପିଲର ମଧ୍ୟରୁ ଗୋଟିଏ ଦବି ଯାଇଥିଲା। ଏହାର ମରାମତି ଚାଲିଥିବା ବେଳେ ଆଜି ସକାଳେ ସେତୁଟି ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଥିଲା।

ମିଳିଥିବା ସୂଚନା ଅନୁଯାୟୀ ଏହି ପୋଲର ୬ଟି ପିଲର୍‌ ମଧ୍ୟରୁ ଗୋଟିଏ ଦବି ଯାଇଥିବାରୁ ଭାଇବ୍ରେଟର ଜରିଆରେ ଏହାର ମରାମତି କାମ ଚାଲିଥିଲା ଏବଂ ‌ସେଇ କାମରେ ପୋଲ ଉପରେ ୬ ଜଣ ଶ୍ରମିକ ନିୟୋଜିତ ଥିଲେ। ପୋଲ ଉପରେ ମଧ୍ୟ କେତେ ଜଣ ଶ୍ରମିକ ଥିଲେ ବୋଲି କୁହାଯାଉଛି। ତେବେ ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଏହି ଅଘଟଣ ଘଟିଥିଲା। ଖବର ପାଇ ଅଗ୍ନଶମ ଅଧିକାରୀ ଜୀବନ ଟ‌ପ୍ପୋଙ୍କ ନେତୃତ୍ବ ଓଡ୍ରାଫ୍‌ ଟିମ୍‌ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପୋଲ ତଳେ ମୃତ ଶ୍ରମିକ ଦୁଇଜଣ ଚାପି ହୋଇ ରହିଥିବାରୁ ଦୀର୍ଘ ୬ ଘଣ୍ଟାରୁ ଅଧିକ ସମୟ ଧରି ଅକ୍ଳାନ୍ତ ପରିଶ୍ରମ ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଦୁଇ ମୃତ ଶ୍ରମିକଙ୍କ ମଧ୍ୟରୁ ରାଜଭାନଙ୍କ ଶବ ଅପରାହ୍ନ ୧ଟା ବେଳେ ଏବଂ ମନିଷଙ୍କ ଶବ ପ୍ରାୟ ସାଢ଼େ ୩ଟାବେଳେ ଉଦ୍ଧାର କରାଯାଇଥିଲା। ସେହିପରି ଗୁରୁତର ଆହତ ସୋନୁଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆ ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ତିନି ଜଣ ଶ୍ରମିକ ମାୟାରାମ କୁସୱା, ରାଜୁ ସିଂ କସୱା ଓ ରବି କୁସୱା ରକ୍ଷା ପାଇ ଯାଇଥିଲେ।
ଘଟଣାସ୍ଥଳରେ ବିଧାୟକ ସରୋଜ ମେହେର, ସହକାରୀ ଜିଲ୍ଲାପାଳ ପଦ୍ମନାଭ ପୁରୋହିତ, ତହସିଲଦାର ଡ. ପୁଷ୍ପାଞ୍ଜଳି ପଣ୍ଡା, ପୁଲିସ ଏସଡିପିଓ ସୁରେଶ ନାଏକ, ପଂଚାୟତ ସମିତି ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ ପ୍ରମୁଖ ପହଞ୍ଚିଥିବାବେଳେ ଅପରାହ୍ନରେ ଡିଆଜି ହିମାଂଶୁ ଲାଲ ଏବଂ ବଲାଙ୍ଗୀର ଏସ୍‌ପି ଏମ୍‌. ସନ୍ଦୀପ ସମ୍ପତ୍‌ ମଧ୍ୟ ପହଞ୍ଚ ସ୍ଥିତି ଅନୁଧ୍ୟାନ କରିଥିଲେ।

ପ୍ରକାଶଥାଉ କି, ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆଁ ଓ ମୁଦଲସର ମଝିରେ ପ୍ରବାହିତ ସୁକତେଲ ନଦୀ ଉପରେ ୫ ବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୮୨.୧୬ ମିଟର ଦୀର୍ଘ ଏହି ସେତୁ ନିର୍ମାଣ ହୋଇଥିଲା। ଏଥିପାଇଁ ବ୍ୟୟ ବରାଦ ହୋଇଥିଲା ୬ କୋଟି ୬୭ ଲକ୍ଷ ଟଙ୍କା। ୨୦୧୩-୨୦୧୪ ଆର୍ଥିକ ବର୍ଷରେ ଟେଣ୍ଡର ହୋଇଥିଲା। ବଲାଙ୍ଗୀରର ରାମ କୁମାର ଅଗ୍ରୱାଲ ଇଞ୍ଜିନିୟରର୍ସ ପ୍ରା‌ଇଭେଟ ଲିମିଟେଡ୍ ଏହି ନିର୍ମାଣ କାମ ପାଇଁ ୨୬ ଫେବ୍ରୁଆରୀ ୨୦୧୪ରେ ଚୁକ୍ତି ସ୍ବାକ୍ଷର କରିଥିଲା। ନିର୍ମାଣ ଶେଷର ଅବଧି ରଖା ଯାଇଥିଲା ୨୦୧୬ ଫେବ୍ରୁଆରି ୨୫ ତାରିଖ। ମାତ୍ର ଅବଧିର ପ୍ରାୟ ୬ ମାସ ପୂର୍ବରୁ ୨୦୧୫ ଅଗଷ୍ଟ ୮ରେ କାମ ସାରି ଦିଆଯାଇଥିଲା। ଏଥିପାଇଁ ସଂସ୍ଥାକୁ ପୁରସ୍କୃତ ମଧ୍ୟ କରାଯାଇଥିଲା।

ଅନ୍ୟପକ୍ଷରେ ନିର୍ମାଣ କାମ ଚାଲିଥିବା ସମୟରେ ଅଞ୍ଚଳବାସୀ ନିମ୍ନମାନର ଦର୍ଶାଇ ବାରମ୍ବାର ଅଭିଯୋଗ କରିଥିଲେ। ଏହାକୁ କେହି ଶୁଣି ନଥିଲେ। ତେବେ, ଗତ ବର୍ଷରୁ ଏହି ସେତୁଟି ଦବିବାରେ ଲାଗିଥିବା ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ମଧ୍ୟ ନିର୍ମାଣକାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ‘ସମ୍ବାଦ’ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସେତୁର ପିଲର ଓ ସ୍ଲାବ ତଳକୁ ଦବିଥିବା, ଛାତ ଲୁହା ରଡ୍‌ ମାନ ବାହାରକୁ ବାହାରି ପଡ଼ିଥିବା ଦର୍ଶାଇ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା। ଏ ସଂପର୍କରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ଅଂଚଳବାସୀ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜାଣି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚେତା ପଶିଥିଲା। କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଗତ ମାର୍ଚ୍ଚ ମାସରେ ମରାମତି କାମ ଆରମ୍ଭ ହୋଇଥିଲା। ଶେଷରେ ଆଜି ସକାଳେ ଏହି ସେତୁ ଭୁଶୁଡ଼ି ପଡ଼ିଥିଲା।

ସମ୍ବନ୍ଧିତ ଖବର