ଭୁବନେଶ୍ବର : ନବରଙ୍ଗପୁର ଜିଲ୍ଲାର ତାଳପଦରରେ ବିଜୁ ସେତୁ ଭୁଶୁଡ଼ିବା ଘଟଣାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। ଏହି ଘଟଣାରେ ଦୁଇ ଜଣ ଯନ୍ତ୍ରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଅସିତ ପାତ୍ରଙ୍କୁ ଉନ୍ନୟନ କମିସନର୍ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି କେ ଜେନା ନିଲମ୍ବନ କରିଛନ୍ତି। ଏପରି ଅଘଟଣ ପାଇଁ ଏହି ଦୁଇ ଯନ୍ତ୍ରୀ କାମରେ ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ରୁରାଲ୍ ୱାର୍କସ୍ ଇଆଇସି ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ମୁଖ୍ୟଯନ୍ତ୍ରୀଙ୍କ ତଦନ୍ତ ରିପୋର୍ଟ ଭିତ୍ତିରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେହିପରି ଘଟଣାସ୍ଥଳକୁ ଯାଇ ଏ ସମ୍ପର୍କରେ ଅଧିକ ତଦନ୍ତ କରି ସରକାରଙ୍କୁ ଆଉ ଏକ ରିପୋର୍ଟ ଦେବା ପାଇଁ ଇଆଇସିଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ପୋଲ ଭୁଶୁଡ଼ିବା ପରେ ଠିକାଦାର ଆଶିଷ ବିଶ୍ବାଳ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅସିତ ପାତ୍ର ଓ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ସାହୁଙ୍କ ନାମରେ ଏତଲା ଦିଆଯାଇଥିଲା। ଶ୍ରୀ ପାତ୍ରଙ୍କୁ ପୁଲିସ୍ ଗିରଫ କରିଥିଲା ବେଳେ ସେ ଏବେ ଜେଲ୍ରେ ଅଛନ୍ତି। ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ଫେରାର ଅଛନ୍ତି।