ପାତ୍ରପୁର: ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ନିକଟରେ ଗଂଜାମ-ଆନ୍ଧ୍ର ରାଜପଥ ସଂଯୋଗ ନିମନ୍ତେ ବାହୁଦା ନଦୀ ଉପରେ ନିର୍ମିତ ୯୪ ବର୍ଷ ପୁରୁଣା ପୋଲ ଆଜି ଭୁଶୁଡ଼ିପଡ଼ିଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ନାମରେ ନାମିତ ଏହି ପୋଲ ୧୯୨୯ ମସିହା ଫେବ୍ରୁଆରି ମାସରେ କାର୍ଯ୍ୟକ୍ଷମ ହୋଇଥିଲା। ତେବ‌େ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ କିଛିବର୍ଷ ହେଲା ଏହା ବିପଦସଙ୍କୁଳ ଅବସ୍ଥାରେ ଥିଲା। ଆଜି ଭୋର୍ ପ୍ରାୟ ସାଢ଼େ ୫ଟାରେ ଏକ ଗ୍ରାନାଇଟ୍ ବୋଝେଇ ଟ୍ରକ୍ ପୋଲ ଅତିକ୍ରମ କରୁଥିବା ସମୟରେ ତାହା ଭୁଶୁଡ଼ିପଡ଼ିଥିଲା। ଟ୍ରକ୍‌ ସହ ପୋଲର ଗୋଟିଏ ଅଂଶ ନଦୀଗର୍ଭକୁ ଦବି ଯାଇଥିଲା। ଚାଳକ ଓ ହେଲପର୍ ସାମାନ୍ୟ ଆହତ ହୋଇଥିଲେ।

Advertisment

ତେବ‌େ ପୋଲ ଭାଙ୍ଗିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ଏହି ପୁରୁଣା ପୋଲର ମରାମତି ଲାଗି ତୁରନ୍ତ ପଦକ୍ଷେପ ନେବାକୁ ବିଭିନ୍ନ ମହଲ‌ରେ ଦାବି ହୋଇ ଆସୁଥିଲା। କିନ୍ତୁ ଆନ୍ଧ୍ର ସରକାର ଓ ଶ୍ରୀକାକୁଲମ୍ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଇ ନଥିଲେ। ଫଳରେ ଆଜି ଏଭଳି ଏକ ଅଘଟଣ ଘଟିଛି। ଯଦି ଟ୍ରକ୍ ବଦଳରେ କୌଣସି ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥା’ନ୍ତା, ତା’ହେଲେ ବଡ଼ ବିପତ୍ତିକୁ ଏଡ଼ାଇ ଦିଆଯାଇ ପାରି ନଥା’ନ୍ତା।
ସେହିପରି ପୋଲ ବିପଦସଙ୍କୁଳ ଅବସ୍ଥାରେ ଥିବା ସତ୍ତ୍ବେ ଭାରୀଯାନ ଚଳାଚଳ ଉପରେ କୌଣସି ପ୍ରକାର ଅଙ୍କୁଶ ଲାଗି ନଥିଲା। ଏହି ପୋଲ ଇଚ୍ଛାପୁର ସହରର ଜୀବନରେଖା ହୋଇଥିବା ବେଳେ ଏହା ଉପର ଦେଇ ସ୍କୁଲ୍ ଛାତ୍ରଛାତ୍ରୀଙ୍କଠୁ ଆରମ୍ଭ କରି ବିଭିନ୍ନ ଗାଡ଼ିମୋଟର ଯିବାଆସିବା କରୁଥିଲା।

ସେହିପରି ଏହି ପୋଲ ଗଞ୍ଜାମ ଜିଲ୍ଲାର ପାତ୍ରପୁରକୁ ଆନ୍ଧ୍ରପ୍ରଦେଶ ସହ ସଂଯୋଗ କରୁଥିଲା। ଜନସାଧାରଣଙ୍କ ସୁବିଧାକୁ ନଜରରେ ରଖି ଏହି ପୋଲ ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ଏହା ଭାଙ୍ଗିଯିବାରୁ ଇଚ୍ଛାପୁର ଓ ବ୍ରହ୍ମପୁରକୁ ଯାତାୟାତରେ ସମସ୍ୟା ଉପୁଜୁଛି। ବର୍ତ୍ତମାନ ଲୋକଙ୍କୁ ନର୍ବନିର୍ମିତ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଇଚ୍ଛାପୁର ଯିବାକୁ ହେବ। ଏହାସହ ସୀମାନ୍ତ ଚିକିଟି ଓ ପାତ୍ରପୁର ବ୍ଲକ୍‌ର ଲୋକଙ୍କୁ ଅନ୍ୟ ଗ୍ରାମ ଅତିକ୍ରମ କରିବାକୁ ପଡ଼ିବ। ଫଳରେ ଆନ୍ଧ୍ରପ୍ରଦେଶ ସରକାର ତୁରନ୍ତ ଏହାର ମରାମତି ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।