ନିରାକାରପୁର : ଦୀର୍ଘ ୬ ବର୍ଷ ଧରି କଚ୍ଛପଗତିରେ ଚାଲିଛି ପୋଲ ନିର୍ମାଣ। ନିର୍ମାଣ ପ୍ରତି ଗୁରୁତ୍ବ ଦେଉନାହାନ୍ତି ଅଧିକାରୀ। ଫଳରେ ସ୍ଥାନୀୟ ୫/୬ଟି ପଞ୍ଚାୟତବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ବାଧ୍ୟ ହୋଇ ମରଣଯନ୍ତା ପାଲଟିଥିବା ମଲାଗୁଣୀ ପୋଲ ଉପରେ ଗମନାଗମନ କରିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ସ୍ଥାନୀୟ ବିଧାୟକଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏପରିକି ଭୁବନେଶ୍ବର ସାଂସଦଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଭେଟି ବାରମ୍ବାର ଅବଗତ କରାଇବା ସ‌ତ୍ତ୍ବେ ଏଥିପ୍ରତି କେହି ଦୃଷ୍ଟି ନଦେବା ବିଡମ୍ବନାର ବିଷୟ।

Advertisment

publive-image

ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ରାମେଶ୍ବର ପଞ୍ଚାୟତ ଅଧୀନସ୍ଥ ତାଳପଡ଼ା ସନ୍ନିକଟ ଅମିନତୋଟାଠାରେ ମଲାଗୁଣି ନଦୀରେ ନିର୍ମାଣାଧୀନ ପୋଲ କ୍ଷେତ୍ରରେ। ଏହି ପୋଲ ଉପରେ ରାମେଶ୍ବର, ନିରାକାରପୁର, ଓରବରସିଂହ, ନରଣଗଡ଼, ଗୋଳବାଇ, ଦିବ୍ୟସିଂହପୁର ଆଦି ପଞ୍ଚାୟତର ହଜାର ହଜାର ଜନସାଧାରଣ ନିର୍ଭର କରିଥାନ୍ତି। ନିରାକାରପୁର ଲେବୁଲ୍ କ୍ରସିଂଠାରୁ ଉକ୍ତ ପୋଲ ଦେଇ ଗମନାଗମନ କଲେ ଏହା ଗୋଳବାଇ ଛକ ଓ ମଳିପଡ଼ାକୁ ୧୬ନମ୍ବର ଜାତୀୟ ରାଜପଥରେ ସଂଯୋଗ କରୁଛି। ଏହା ସିଧା ବାଟ ହୋଇଥିବାରୁ ପଞ୍ଚାୟତବାସୀଙ୍କ ଅଭିଯୋଗ କ୍ରମେ ଏଠାରେ ବିଭାଗ ତରଫରୁ ପୋଲ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଅନୁସାରେ ବିଭାଗ ପକ୍ଷରୁ ୫କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୧୬ ମସିହା ଡିସେମ୍ବର ୪ତାରିଖରେ ପୋଲର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା।

publive-image

ଇତିମଧ୍ୟରେ ୬ବର୍ଷ ବିତିଗଲାଣି। ହେଲେ ପୋଲ ନିର୍ମାଣ କାର୍ଯ୍ୟ ସରୁନି। ଫଳରେ ପୂର୍ବଭଳି ଜୀବନକୁ ବାଜି ଲଗାଇ ଖରା ୪ମାସ ପରେ ଲୋକେ ରେଳ ପୋଲ ଉପରେ ଗମନାଗମନ କରୁଛନ୍ତି। ଏପରିକି ବର୍ଷାଋତୁରେ ଅଞ୍ଚଳର ଅଧିବାସୀମାନେ ଅତି ଦୟନୀୟ ଭାବେ ବିବାହକାର୍ଯ୍ୟଠାରୁ ଆରମ୍ଭ କରି ମେଡିକାଲ ପର୍ଯ୍ୟନ୍ତ ମରଣଯନ୍ତା ପାଲଟିଥିବା ପୋଲ ଉପରେ ଯିବାକୁ ବାଧ୍ୟ ହୋଇଥାନ୍ତି। ବେଳେବେଳେ ଟ୍ରେନ୍ ଆସିଗଲେ ଛାନିଆ ହୋଇ କେତେକ ପୋଲ ଉପରୁ ପାଣିକୁ ଡେଇଁପଡ଼ି ଜୀବନ ବଞ୍ଚାଇଥିବା‌ ମଧ୍ୟ ଦେଖିବାକୁ ମିଳିଛି। ତେଣୁ ଅର୍ଦ୍ଧ ନିର୍ମିତ ପୋଲକୁ ତୁରନ୍ତ ଶେଷ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ଦାବି ହେଉଛି।