ସେତୁ ଆଲୋକୀକରଣ କେଳେଙ୍କାରୀ : ଭୁବନେଶ୍ବର ପର୍ଯ୍ୟନ୍ତ ଚେର ଲମ୍ବିଛି

ରାଜମହଲ ଓଭର ବ୍ରିଜ୍‌ ଆଲୋକୀକରଣ କାର୍ଯ୍ୟ ବି ହାତେଇଥିଲା ଜିଅନ୍‌

ଯାଜପୁରରୋଡ୍/ଭୁବନେଶ୍ବର : କଟକ ଜୁଡିସିଆଲ ଏକାଡେମୀ ଛକ ଠାରୁ-ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ କାଠଯୋଡ଼ି ନଦୀ ଉପରେ ନବନିର୍ମିତ ନେତାଜୀ ସୁଭାଷ ବୋଷ ସେତୁ ଆଲୋକୀକରଣ କେଳେଙ୍କାରୀର ଚେର ଭୁବନେଶ୍ବର ପର୍ଯ୍ୟନ୍ତ ଲମ୍ବିଛି । ଭୁବନେଶ୍ବର ରାଜମହଲ ଓଭର ବ୍ରିଜ୍ ଆଲୋକୀକରଣ କାର୍ଯ୍ୟର ଅଭିଜ୍ଞତାକୁ ଭିତ୍ତି କରି ସୁଭାଷ ବୋଷ ସେତୁରେ ଆଲୋକୀକରଣ ପାଇଁ ଜି-ଅନ୍ ଠିକାସଂସ୍ଥାକୁ ଟର୍ଣ୍ଣକି ଟେଣ୍ଡର ଦିଆଯାଇଥିବା ଜଣାପଡ଼ିଛି। ଫଳରେ, ସୁଭାଷ ବୋଷ ସେତୁ ସହିତ ଭୁବନେଶ୍ବର ରାଜମହଲ ଓଭର ବ୍ରିଜ୍ ସେତୁ ଆଲୋକୀକରଣ ମଧ୍ୟ ଏବେ ବିବାଦ ଘେରକୁ ଟାଣି ହୋଇଆସିଛି।

ସୁଭାଷ ବୋଷ ସେତୁ ଆଲୋକୀକରଣ ଟେଣ୍ଡରର ସର୍ତାବଳୀ ଅନୁଯାୟୀ ଠିକାସଂସ୍ଥା ୫ବର୍ଷ ମଧ୍ୟରେ ଏନର୍ଜି ଏଫିସିଏଣ୍ଟ ସୋଲାର ହାଇବ୍ରିଡ ଷ୍ଟ୍ରିଟ୍ ଲାଇଟିଂ ସିଷ୍ଟମ୍‌ର କାର୍ଯ୍ୟ କରିଥିବା ଆବଶ୍ୟକ। ଷ୍ଟେନଲେସ୍ ଷ୍ଟିଲ୍ ଖୁଣ୍ଟରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରିଥିବାର ଅଭିଜ୍ଞତା ଥିବା ଜରୁରି । ଏମିତିକା କିଛି ଚତୁର ସର୍ତାବଳୀ ଯୋଗୁ ଟେଣ୍ଡରରେ ପ୍ରତିଷ୍ଠିତ ଠିକା ସଂସ୍ଥା ଭାଗ ନେଇପାରିଲେ ନାହିଁ। ମାତ୍ର ୨ଜଣ ଭାଗ ନେଇଥିଲେ ହେଁ ଜିଅନ୍ ସହଜରେ ସିଙ୍ଗିଲ ଟେଣ୍ଡର ଭାବେ ଠିକା କାମ ହା‌େତଇ ନେଲା। ଏହି କାରବାରରେ ଅଧିକାରୀ ବେଶ୍‌ ଚତୁରତା ସହିତ ହସ୍ତକ୍ଷେପ କରି ଜିଏନ୍ ଠିକା ସଂସ୍ଥାକୁ ଟେଣ୍ଡର ଟେକି ଦେଲେ ବୋଲି ଅଭିଯୋଗ ହେଉଛି । ଜିଏନ୍ ଠିକାସଂସ୍ଥା ଟେଣ୍ଡର ହାତେଇବା ପାଇଁ ଦେଇଥିବା ଅଭିଜ୍ଞତାପତ୍ରରେ ସୋଲାର ହାଇବ୍ରିଡ୍ ଷ୍ଟ୍ରିଟ୍ ଲାଇଟିଂ ସିଷ୍ଟମ୍‌ର ସେ କୌଣସି କାମ କରିଥିବା ଅଭିଜ୍ଞତା ନାହିଁ। ପୂର୍ତ୍ତ ବିଭାଗ କେମିତି ଏତେ ସବୁ ଖିଲାପୀ ଥିବା ସଂସ୍ଥା ଜିଅନ୍‌କୁ କୋଟି କୋଟି ଟଙ୍କାର ଏହି କାର୍ଯ୍ୟ ଭାର ଟେକି ଦେଲେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭୁବନେଶ୍ବର ରାଜମହଲ ଓଭର୍ ବ୍ରିଜ୍‌ରେ ଷ୍ଟେନଲେସ୍ ଷ୍ଟିଲ୍ ପୋଲ୍‌ରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇ ଥିବାରୁ ସୁଭାଷ ବୋଷ ସେତୁରେ ଜି-ଅନ୍ ଟେଣ୍ଡର ପାଇଥିଲା। ସଂପୃକ୍ତ ଠିକାସଂସ୍ଥା ଷ୍ଟେନଲେସ୍ ଷ୍ଟିଲ୍ ପୋଲ୍ କିମ୍ବା ଏଲଇଡ଼ି ଷ୍ଟ୍ରିଟ୍ ଲାଇଟ୍ ତିଆରି କରୁନଥିବା ବେଳେ ଏହି ସଂସ୍ଥା କେଉଁଠୁ ଏସବୁ ଆ‌ଣି ରାଜମହଲ ଓଭର ବ୍ରିଜ୍ ରେ ଲଗାଇଲେ, ତାହା ତଦନ୍ତ ସାପେକ୍ଷ। ‌

ଅନ୍ୟପଟେ ସୁଭାଷ ବୋଷ ସେତୁର ଆଲୋକୀକରଣ ପାଇଁ ୧୦୦ କେଭିର ଏକ ସବଷ୍ଟେସନ୍ ବସାଯାଇଛି। ଏଥିରୁ ସେତୁକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି। କେବଳ ସେତିକି ନୁହେଁ ଅନ୍ୟ ଏକ ଉପାୟରେ ମଧ୍ୟ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ବ୍ୟାଟେରି ବ୍ୟାକଅପ୍‌ ପାଇଁ ଏକ ସୋଲାର ପାୱାର ପ୍ଲାଣ୍ଟ ବସାଯାଇଛି। ଏକକାଳୀନ ‌ସୁଭାଷ ବୋଷ ସେତୁ ଆଲୋକୀକରଣ ପାଇଁ ଦୁଇ ଦୁଇଟି ବ୍ୟବସ୍ଥା କରିବାର କି ଆବଶ୍ୟକତା ଥିଲା ବୋଲି ବିବାଦ ଉଠିଛି। ସଂପୃକ୍ତ କଂପାନି ଏସବୁ ପ୍ରତିଷ୍ଠା କରିବାକୁ ଦକ୍ଷତା ରଖିଛି କି ନାହିଁ, ସେ ନେଇ ସରକାରୀ ସ୍ବୀକୃତି ପାଇଛି କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନଭିଜ୍ଞ ଠିକା ସଂସ୍ଥାକୁ ଏସବୁ କାର୍ଯ୍ୟ କରିବା ପାଇଁ ବିଭାଗୀୟ ଅଧିକାରୀ ଟର୍ଣ୍ଣକି ଟେଣ୍ଡର ଟେକିଦେବା ପଛରେ କି ରହସ୍ୟ ରହିଛି, ସେ ନେଇ ଖୋଳତାଡ଼ ହେବାର ଆବଶ୍ୟକତା ରହିଛି। ସରକାରୀ ଅର୍ଥକୁ ହଡ଼ପ କରିବା ପାଇଁ ଏଭଳି ସୁଚିନ୍ତିତ ଯୋଜନା କରାଯାଇଥିବା ଏଥିରୁ ଆଭାସ ମିଳୁଛି। ଏ ସଂପର୍କରେ ପୂର୍ତ୍ତ ବିଭାଗ କଟକ ଡିଭିଜନ-୧ର ନିର୍ବାହୀ ଯନ୍ତ୍ରୀ ଏମଆର ଖାନଙ୍କ ପ୍ରତିକ୍ରିୟା ଚାହିବାରୁ ତାହାକୁ ସେ ଏଡ଼ାଇ ‌ଯାଇଥିଲେ।

ସମ୍ବନ୍ଧିତ ଖବର