ଯାଜପୁର: ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ ଛକ ନିକଟରେ ଥିବା ଏକ ପୋଲ ଭୁଶୁଡ଼ିବା ଘଟଣାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଏନଏଚ ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ଜି.ପି ବର୍ମା। ଏହାପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ନିର୍ମାଣଗତ ତ୍ରୁଟି ଯୋଗୁଁ ପୋଲ ଭୁଶୁଡ଼ିଛି। ବିଶେଷଜ୍ଞ ଟିମ୍ ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳକୁ ଆସୁଛନ୍ତି। ଚୂଡ଼ାନ୍ତ ରିପୋର୍ଟ ପରେ ଭୁଶୁଡ଼ିବାର ପ୍ରକୃତ କାରଣ ଜଣାପଡ଼ିବ। ୨୦୦୮ରେ ବ୍ରିଜର ନିର୍ମାଣକାମ ହୋଇଥିଲା, ୫୦ ବର୍ଷ ସୁରକ୍ଷିତ ରହିବା କଥା। ହେଲେ ୧୫ ବର୍ଷ ପରେ କିପରି ବ୍ରିଜଟି ଭୁଶୁଡ଼ିଲା ସେନେଇ ଏନଏଚ ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ଚିନ୍ତା ପ୍ରକଟ କରିଛନ୍ତି।
ସୂଚନାଯୋଗ୍ୟ, ଆଜି ଭୋର ସମୟରେ ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ ଛକ ନିକଟରେ ଥିବା ଏକ ପୋଲ ଭୁଶୁଡ଼ି ପଡ଼ିଛି। ତେବେ ଏଥିରୁ ଅଳ୍ପକେ ବର୍ତିଛନ୍ତି ଏକାଧିକ ବସ ଓ ଟ୍ରକ। ପୋଲର କୁଆଖିଆ ଛକ ଆଡ଼କୁ ଶେଷ ପିଲାର ଯୋଡ଼ ନିକଟରୁ ଖସିଯାଇଛି। ବାଲେଶ୍ବର ଓ ଯାଜପୁରରୁ କଟକକୁ ସଂଯୋଗ କରୁଥିବା ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି।
୭୦ ବର୍ଷର ପୁରୁଣା ପୁରୁଣା ପୋଲ ସୁଦୃଢ଼ ଥିବା ବେଳେ ମାତ୍ର ୧୫ ବର୍ଷ ପୁରୁଣା ପୋଲ ଭୁଶୁଡ଼ି ଯାଇଥିବା ହେତୁ ସ୍ଥାନୀୟ ଲୋକମାନେ ଠିକାଦାରକୁ ଦାୟୀ କରିଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ଖବର ପାଇ କୁଆଖିଆ ପୁଲିସ ରାସ୍ତାକୁ ସିଲ୍ କରିଥିବା ବେଳେ ଜମା ହୋଇଥିବା ଲୋକମାନଙ୍କୁ ନିୟନ୍ତ୍ରଣ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/96e201fd-6b7e-4589-9dcb-d81c4232c458.jpg)