ତିର୍ତ୍ତୋଲ : ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ଏବେ ଜୋର ଧରିଛି ସେତୁ ରାଜନୀତି। ରାଜ୍ୟ ସରକାର ଦୁଇ ଦିନ ତଳେ ମହାନଦୀରେ ତିର୍ତ୍ତୋଲ-ପୋସଲ ସେତୁ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା ପରେ ଏବେ ମହାନଦୀରେ କୋଟକଣା-ବାନାମ୍ବର ସେତୁ ପାଇଁ ଦାବି ଜୋର ଧରିଛି। ୨୦୦୫ରୁ ଏହି ସେତୁ ପାଇଁ ଦାବି ହୋଇ ଆସୁଥିଲେ ବି ଏଯାଏ ଏହା ପୂରଣ ହୋଇ ନଥିବାରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଥିପାଇଁ ଆନ୍ଦୋଳନ ଚେତାବନୀ ଦିଆଯାଇଛି।

Advertisment

ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଂଚାୟତ କୋଟକଣା କାଳି ପଡ଼ିଆଠାରେ କୋଟକଣା–ବାନାମ୍ବର ସେତୁ କମିଟି ପକ୍ଷରୁ ଆବାହକ ଇଂ ବେଦଦ୍ୟୁତି ପୃଷ୍ଟିଙ୍କ ନେତୃତ୍ବରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସ ଯୁବନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ, ବିଜେପି ନେତା ପ୍ରଫେସର ରମାକାନ୍ତ ଭୋଇ, ତରଜଙ୍ଗା ସରପଞ୍ଚ ବସନ୍ତ କୁମାର ସେଠୀ, ସୁବର୍ଣ୍ଣ ପଣ୍ତା, ସ୍ବାଧୀନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ମହାନଦୀ କୋଟକଣା – ବାନାମ୍ବର ସେତୁ ପାଇଁ ୨୦୦୫ ମସିହାରୁ ଦାବି ହୋଇ ଆସୁଥିବାବେଳେ ୨୦୧୩ ମସିହାରେ ଏହାକୁ ନେଇ ସଂଗଠିତ ଦାବି ଉପସ୍ଥାପିତ ହୋଇଥିଲା। ଏଠାରେ ସେତୁ ନିର୍ମାଣ କରାଗଲେ ଝଙ୍କଡ଼ର ମା ଶାରଳାଙ୍କ ପୀଠ, ଗୋରଖନାଥ ପୀଠ, ମା ଦିଗବାରୁଣୀ ପୀଠ, ସିଦ୍ଧ ବାନାମ୍ବର ପୀଠ ଓ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ବଳଦେବ ଜୀଉ ମନ୍ଦିର ସହିତ ସିଧାସଳଖ ଗମନା ଗମନର ସୁବିଧା ହେବ। ଦୁଇଟି ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ, ବାଣିଜ୍ୟ ବିକାଶ ହେବା ସହିତ ବିଭିନ୍ନ ଦେବାଦେବୀ ମନ୍ଦିରକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ମିଳିପାରିବ ବୋଲି କୁହାଯାଇଛି। ୨୦୧୫ ମସିହାରେ କୋଟକଣା – ବାନାମ୍ବର ସେତୁ କମିଟି ନାମରେ ଏକ କମିଟି ଗଠନ କରାଯାଇ ଏହି ସ୍ଥାନରେ ପୋଲ ନିର୍ମାଣ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା। କନିମୂଳ ପଂଚାୟତ କିଲିପାଳ ଛକରେ ସେତୁ କମିଟିର ଆବାହକ ବେଦଦ୍ୟୁତି ପୃଷ୍ଟି, ପ୍ରକାଶ ଚନ୍ଦ୍ର ଜେନା, ପ୍ରଶାନ୍ତ ଦାଶ ପ୍ରମୁଖ ୪ ଦିନ ଧରି ଆମରଣ ଅନଶନ କରିଥିଲେ। ସେତେବେଳର ଜଗତସିଂପୁର ଅତିରିକ୍ତ ଜିଲ୍ଲାପାଳ ଶରଣ କୁମାର ଜେନା ଅନଶନସ୍ଥଳରେ ପହଞ୍ଚି ସେତୁ ନିର୍ମାଣ ସମ୍ପର୍କରେ ନିର୍ଭର ପ୍ରତିଶ୍ରୁତି ଦେବାପରେ ଅନଶନ ପ୍ରତ୍ୟାହୃତ ହୋଇଥିଲେ। ତତ୍କାଳୀନ ଜିଲ୍ଲାପାଳ ଡ. ବିଜୟ କେତନ ଉପାଧ୍ୟାୟ ସ୍ଥାନୀୟ ମୁରବିମାନଙ୍କ ସହିତ ସେତୁ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। କିନ୍ତୁ କାର୍ଯ୍ୟ ଆଗକୁ ନ ବଢ଼ିବାରୁ ୨୦୧୬ ମସିହାରେ ତରଜଙ୍ଗା ପଂଚାୟତର ପୂର୍ବତନ ସରପଂଚ ସ୍ବର୍ଗତ ରମାକାନ୍ତ ରାଉତରାୟ, ବସନ୍ତ କୁମାର ସେଠୀଙ୍କ ନେତୃତ୍ବରେ କୋଟକଣା ଛକରେ ଏକ ଗଣଧାରଣା କରାଯାଇଥିଲା। ଗଣଧାରଣା ସମୟରେ ବିଧାନସଭା ଗୃହ କମିଟି ମୁଖ୍ୟ ଡ. ନୃସିଂହ ଚରଣ ସାହୁ ଓ କର୍ମକାରମାନେ ପାରାଦୀପ ଅଭିମୁଖେ ଯାଉଥିବାବେଳେ ସେତୁ କମିଟି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ପରେ ସେତୁ କମିଟି ପକ୍ଷରୁ ୨୦୧୬ ଫେବ୍ରୁଆରିରେ ସ୍ଥାନୀୟ ଅଞ୍ଚଳର ୫୦ ହଜାରରୁ ଅଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବା ସହିତ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ଏ ଯାଏ ବି ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ତାରପୁର ଓ ତାରୋତଲ ମହାନଦୀରେ ହୋଇଥିବା ସେତୁର ମଧ୍ୟସ୍ଥଳୀ ହେଉଛି କଟକ –ପାରାଦୀପ ରାସ୍ତାର ମହାନଦୀ କୋଟକଣା–ବାନାମ୍ବର। ଏବେ ପାଇକା ନଦୀର ଲଙ୍କାପଡ଼ାଠାରେ ମଧ୍ୟ ଏକ ପୋଲ ନିର୍ମାଣ ଚାଲିଛି। ପାଇକା ନଦୀ ପୋଲଠାରୁ ଏହାର ଦୂରତା ୪ କିଲୋମିଟର। କିନ୍ତୁ ଏହାକୁ ଅଣଦେଖା କରି ରାଜ୍ୟ ସରକାର କାହା ସ୍ବାର୍ଥରେ ତିର୍ତ୍ତୋଲ-ପୋସଲ ସେତୁ ନିର୍ମାଣ ପାଇଁ ଘୋଷଣା କଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଞ୍ଚଳବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ବାସ୍ତବ ସ୍ଥିତିର ଅନୁଧ୍ୟାନ କରି ନିଷ୍ପତ୍ତି ନ ନେଲେ କଟକ–ପାରାଦୀପ ରାସ୍ତା କୋଟକଣା ଛକରେ ଆସନ୍ତା ୨୯ ତାରିଖରେ ଆନ୍ଦୋଳନ ହେବ ବୋଲି ସେତୁ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସମ୍ମିଳନୀରେ ଚିକନ ପରିଜା, ରବୀନ୍ଦ୍ର ମଲ୍ଲିକ, ଆଶିଷ କୁମାର ମଲ୍ଲିକ, ସତ୍ୟଜିତ୍ ରାଉତରାୟ, ଶିବପ୍ରସାଦ ମହାନ୍ତି, ଶିବକାନ୍ତ ମଲ୍ଲିକ, ବାବୁଲି ଦାସ, କୁନା ସାହୁ, ରବି ନାରାୟଣ ଦାସ, ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।