ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ତେନ୍ତୁଳିପଦରକୁ ସଂଯୋଗ କରୁଥିବା ରାସ୍ତାର ସାନନାଲା ଉପରେ ନିର୍ମିତ ସେତୁର ଉଭୟ ପାର୍ଶ୍ବ ଧୋଇଗଲା

ଜୟପାଟଣା : ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ପାଇଁ ପ୍ରଶାସନ ସାମାନ୍ୟ ତତ୍ପରତା ଦେଖାଇ ଆସୁଥିଲେ ମଧ୍ୟ ପ୍ରକୃତି ବାଧକ ସାଜିଛି। ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ତେନ୍ତୁଳିପଦରକୁ ସଂଯୋଗ କରୁଥିବା ରାସ୍ତାର ସାନନାଲା ଉପରେ ନିର୍ମିତ ସେତୁର ଦୁଇ ପଟ ସୁରକ୍ଷା କାନ୍ଥ ଧୋଇ ଯାଇଛି। ଫଳରେ ଜଳବନ୍ଦୀ ଅଞ୍ଚଳ ପାଇଁ ଦୁର୍ଦ୍ଦଶା ବଢିଛି।

ସୂଚନା ମୁତାବକ, ତଳନାଗୀ ପଞ୍ଚାୟତ ବିଭାଜନ ହେବା ପରେ ଜଳବନ୍ଦୀ ଅଞ୍ଚଳର ପୋଡ଼ାପଦର ଠାରେ ନୂତନ ପଞ୍ଚାୟତ ପ୍ରତିଷ୍ଠା ହେଲା। ଏହି ପଞ୍ଚାୟତର ସମସ୍ତ ଅଞ୍ଚଳ ପାଇଁ ଜଳ ଭଣ୍ଡାର ବାଧକ ସାଜି ଥିବାବେଳେ କେ. ଚେପଟାଘାଟ ଠାରୁ ତେନ୍ତୁଳିପଦର ମଧ୍ୟରେ କାଶୀପୁର ଅଞ୍ଚଳରୁ ବୋହି ଆସିଥିବା ସାନ ନାଲା ଉପରେ ଏକ ସେତୁ ନିର୍ମାଣ କରାଯାଇ ଥିଲା। ଫଳରେ ଲୋକେ କୋଡ଼ିକୋଡ଼ାଚେପଟାଘାଟ, ତେନ୍ତୁଳିପଦର, ଭିତରଡ଼ଙ୍ଗା ଦେଇ ପୋଡ଼ାପଦର ପର୍ଯ୍ୟନ୍ତ ପାହାଡ଼ିଆ ରାସ୍ତାରେ ଯାତାୟତ କରିପାରୁଥିଲେ। ହେଲେ ଗତ ବନ୍ୟାରେ ସେତୁର ଉଭୟପଟ ଆପ୍ରୋଚ୍ ରାସ୍ତାର ସୁରକ୍ଷା କାନ୍ଥ ସହ ଧୋଇଯାଇଛି।

ଗତ ୨୦୦୭ ମସିହାରେ ଭୟାବହ ଡାଇରିଆଜନିତ ମୃତ୍ୟୁର ତାଣ୍ଡବ ଚାଲିଥିବା ବେଳେ ତତ୍କାଳୀନ କଳାହାଣ୍ଡି ଜିଲ୍ଳାପାଳ ପ୍ରମୋଦ ପଟ୍ଟନାୟକ ତେନ୍ତୁଳିପଦର ଅଞ୍ଚଳ ଗସ୍ତ କରିଥିଲେ। ଏହି ସମୟରେ ଲୋକେ ସାନ ନାଲା ଉପରେ ସେତୁ ନିର୍ମାଣ ପାଇଁ ଦାବି କରିଥିଲେ। ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୨ କୋଟି ଟଙ୍କା ସେତୁ ପାଇଁ ମଞ୍ଜୁର କରାଯାଇ ଆଇଟିଡିଏ ଦ୍ୱାରା ସାନ ନାଲା ଉପରେ ବ୍ରିଜ ନିର୍ମାଣ କରାଗଲା । ଗତ ବନ୍ୟାରେ ସେତୁର ଉଭୟ ପାର୍ଶ୍ବ କ୍ଷତିଗ୍ରସ୍ତ ହେବା ଫଳରେ ଲୋକେ ସ୍ଥଳଭାଗରେ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ କରିଦେଇ ପୁଣିଥରେ କାଠ ଡଙ୍ଗାର ଆଶ୍ରୟ ନେଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ପଚାରିବାରୁ ତୁରନ୍ତ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର