ପୁରୀ: ସାତପଡ଼ାରୁ କୃଷ୍ଣପ୍ରସାଦ ବ୍ଲକ୍‌ର ଜହ୍ନିକୁଦା ପର୍ଯ୍ୟନ୍ତ ଚିଲିକା ଉପରେ ପୋଲ ନିର୍ମାଣ ହେବ। ଆଉ ‘ଭସାପୋଲ’ କି ‘ଫେରି ଡଙ୍ଗା’ରେ ବିପଜ୍ଜନକ ଭାବରେ କେହି ଯିବେନି। ଏଥିପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଜୋର୍‌ଦାର୍‌ କରିଛନ୍ତି। ଏହି ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରି ସମ୍ଭାବ୍ୟ (ଫିଜିବିଲିଟି) ରିପୋର୍ଟ ପ୍ରସ୍ତୁତ କରିଛି ଦାୟିତ୍ବରେ ଥିବା ସବ୍‌କମିଟି। ତେବେ ଚିଲିକାରେ ପୋଲ ହେଲେ ବଡ଼ ବଡ଼ ଖମ୍ବ ବା ପିଲର୍‌ ପାଣି ଭିତରେ ରହିବ। ଫଳରେ ବିରଳ ଡଲ୍‌ଫିନ୍‌ ଓ ସାମୁଦ୍ରିକ ଜୀବଙ୍କର ଅବାଧ ବିଚରଣରେ ଏହା ବାଧକ ସାଜିବ। ତେଣୁ ଏହି ପୋଲକୁ କମ ଖମ୍ବ କିମ୍ବା ବିନା ଖମ୍ବରେ ନିର୍ମାଣ କରିବାକୁ କମିଟି ପରାମର୍ଶ ଦେଇଛି। ପରିବେଶକୁ ନଷ୍ଟ ନ କରି ବା ଜୈବ ବିବିଧତା ଅକ୍ଷୁଣ୍ଣ ରଖି କାମ କରିବାକୁ ସୁପାରିସ୍‌ କରିଛି। 

Advertisment

ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ସାତପଡ଼ାରୁ ଜହ୍ନିକୁଦା ପର୍ଯ୍ୟନ୍ତ ୭.୭୪୦ କିମି ଲମ୍ବ ପୋଲ ନିର୍ମାଣ କରିବାକୁ ଯୋଜନା ହୋଇଛି। ୪ ଲେନ୍‌ ବିଶିଷ୍ଟ ଏହି ବ୍ରିଜ୍‌ର ଗୋଟିଏ ପାର୍ଶ୍ବରେ ପାଦଚଲା ରାସ୍ତା ରହିବ। ଏହାର ସମ୍ଭାବ୍ୟ ଦିଗକୁ ପରୀକ୍ଷା କରି ରିପୋର୍ଟ ପ୍ରସ୍ତୁତ କରିବା ଲାଗି ଏକ ସବ୍‌କମିଟି ଗଠନ ହୋଇଛି। ଏଥିରେ ଏକ୍ସପର୍ଟ ଆପ୍ରାଇଜଲ୍‌ କମିଟି (ଇଏସି)ର ଅଧ୍ୟକ୍ଷ ତଥା ଅତିରିକ୍ତ ଏଡିଜି (ବନ୍ୟପ୍ରାଣୀ) ଏମ୍‌.ଏସ୍‌ ନେଗୀ, ଇଏସି ସଦସ୍ୟମାନଙ୍କ ମଧ୍ୟରେ ଏସ୍‌. ଜୟକ୍ରିଷ୍ଣନ୍‌, ନୀରଜ ଶର୍ମା, ପ୍ରକାଶ ତିୱାରୀ ପ୍ରମୁଖ ରହିଛନ୍ତି। ଏହି କମିଟି କ୍ଷେତ୍ର ପରିଦର୍ଶନ କରିବା ସହ ଯେଉଁ ବାଟେ ପୋଲ ହେବ ସେହି ରାସ୍ତାରେ ଚିଲିକାରେ ଡଙ୍ଗାରେ ବୁଲିବା ସହ ଇକୋ ସେନ୍‌ସିଟିଭ୍‌ ଜୋନ୍‌ ନଳବଣ ପକ୍ଷୀ ଅଭୟାରଣ୍ୟ ପରିଦର୍ଶନ କରିଥିଲେ। ତାଙ୍କ ସହିତ ପୁରୀ ଏଡିଏମ୍‌, ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ବନ୍ୟପ୍ରାଣୀ), ଚିଲିକା ଡିଏଫ୍‌ଓ ଓ କୃଷ୍ଣପ୍ରସାଦ ତହସିଲ୍‌ଦାର ରହିଥିଲେ। 

କ୍ଷେତ୍ର ପରିଦର୍ଶନ କଲା ସବ୍‌କମିଟି
ପ୍ରଭାବିତ ହୋଇପାରେ ଡଲ୍‌ଫିନ୍‌ଙ୍କ ଅବାଧ ବିଚରଣ
‘ବିନା ଖମ୍ବରେ ପୋଲ କର, ଜୈବ ବିବିଧତା ଅକ୍ଷୁଣ୍ଣ ରଖ’ 

ସାତପଡ଼ାରୁ ବ୍ରହ୍ମପୁରକୁ ଯେଉଁ ପୋଲ ସଂଯୁକ୍ତ ହେଉଛି ତାହାର ଢାଞ୍ଚା ଯୋଗୁ ଅଧିକ ଲମ୍ବା ହୋଇଯାଉଛି। ଏଣୁ ଏହାର ଆକାରରେ ପରିବର୍ତ୍ତନ କରିବାକୁ କମିଟି ପରାମର୍ଶ ଦେଇଛି। ସେହିଭଳି ଭବାନୀପୁର-ଜହ୍ନିକୁଦା ପୋଲ ଆକାରରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକତା ଥିବା କମିଟି ଦର୍ଶାଇଛି। ପୋଲ ତିଆରି ହେଲେ ଏହାର ଖମ୍ବରେ ଧୀବରମାନେ ଜାଲ ବାନ୍ଧି ମାଛ ଧରିବେ। ଏହା ଦ୍ବାରା ଡଲ୍‌ଫିନ୍‌ ଓ ଅନ୍ୟାନ୍ୟ ବିରଳ ପ୍ରଜାତିର ସାମୁଦ୍ରିକ ଜୀବ ପ୍ରଭାବିତ ହେବେ। ଏହି ଜୀବମାନଙ୍କ ଅବାଧ ବିଚରଣ ନେଇ ଯେଭଳି କୌଣସି ପରିସ୍ଥିତିରେ ବୁଝାମଣା ହେବ ନାହିଁ, ସେ ସଂକ୍ରାନ୍ତରେ ବ୍ୟବସ୍ଥା କରିବାକୁ କମିଟି ପରାମର୍ଶ ଦେଇଛି। ଅନ୍ୟପକ୍ଷରେ ପୋଲ ନିର୍ମାଣ ପରେ ଦୁଇଟି ରାଜପଥ ସହ ଏହା ସିଧାସଳଖ ସଂଯୁକ୍ତ ହେବ।

ରାସ୍ତା ଉପରେ ଟ୍ରାଫିକ୍‌ ଚାପ ପଡ଼ିବ, ତା’ ସହିତ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢ଼ିବ। ଏଥିପାଇଁ ଏନ୍‌ଏଚ୍‌ଏଆଇ ଓ ରାଜ୍ୟ ସରକାର କିଛି ସ୍ବତନ୍ତ୍ର ଯୋଜନା କରିବାକୁ କମିଟି ପରାମର୍ଶ ଦେଇଛି। ଯେମିତିକି ଅନ୍ତଃରାଜ୍ୟ ବାଣିଜ୍ୟିକ ଯାନବାହନ ନିଷିଦ୍ଧ, ମୋଟାଅଙ୍କର ଟୋଲ୍‌ ଟ୍ୟାକ୍ସ, ଅତିରିକ୍ତ ପରିବେଶ ଟିକସ ଲାଗୁ, ଭାରୀଯାନ ପ୍ରବେଶ ଉପରେ କଟକଣା ଇତ୍ୟାଦି। ବ୍ରହ୍ମପୁରକୁ ସଂଯୋଗୀକରଣ ହେଲେ ସେଠାରେ ବିନା ଯୋଜନାରେ ଏକାଧିକ ନିର୍ମାଣ ହୋଇପାରେ। ଯାହା ଚିଲିକାର ଜୈବ ବିବିଧତାକୁ ବିଗାଡ଼ି ଦେବ। ପୋଲ ଜରିଆରେ ସଂଯୋଗୀକରଣ ହେବା ପରେ ଏଠାରେ ବେଆଇନ ନିର୍ମାଣ ଉପରେ କଡ଼ା ନଜର ରଖିବା ସହ ଏକ ଆଇଲ୍ୟାଣ୍ଡ ବିକାଶ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛି। 

କୃଷ୍ଣପ୍ରସାଦ ବ୍ଲକ୍‌ରେ ଦେଢ଼ଲକ୍ଷ ଲୋକ ଅଛନ୍ତି। ଚିଲିକାରେ ଦୈନିକ ୪ ଶହରୁ ୬ ଶହ ଡଙ୍ଗା ଚାଲୁଛି। ପର୍ଯ୍ୟଟନ ଋତୁରେ ଏହି ସଂଖ୍ୟା ୧୨୦୦ରେ ପହଞ୍ଚୁଛି। ଏବେ ଦୁଇଟି ଫେରି ଡଙ୍ଗା ଚାଲୁଛି। ଏଥିରେ କାର୍‌, ବସ୍‌, ଦୁଇଚକିଆ ଯାନ ଅଣାଯାଉଛି। ସିଡିଏ ଏବେ ଦୁଇଟି ନୂଆ ଫେରି ମଧ୍ୟ କିଣିଛି। ଏହି ଫେରି ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ସିଡିଏ (ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ) ଯୋଜନା କରୁଥିବା କହିଛନ୍ତି। ଏହା କେତେଦୂର ପୋଲର ବିକଳ୍ପ ହୋଇପାରିବ ସେ ନେଇ ରିପୋର୍ଟ ପ୍ରସ୍ତୁତ କରିବାକୁ କମିଟି ପରାମର୍ଶ ଦେଇଛି।