ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ପୋଲ : ଜଣେ ମୃତ, ୩ ଶ୍ରମିକ ଗୁରୁତର

ଠିକାଦାର, ଅଧିକାରୀଙ୍କୁ ବାନ୍ଧିବାକୁ ନିର୍ଦେଶ
ପୁରୀ ଶ୍ରମିକ ସକାଳେ ପକାଇଥିଲେ ଛାତ
ଉପସ୍ଥିତ ଥିଲେ ଯନ୍ତ୍ରୀ ଓ ଠିକାଦାର

ଉମରକୋଟ/ ଭୁବନେଶ୍ବର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ନାଗି ନଦୀରେ ନିର୍ମାଣ ଚାଲିଥିବା ପୋଲର ଗୋଟିଏ ପାର୍ଶ୍ବ ଆଜି ସଂଧ୍ୟାରେ ଭୁଶୁଡ଼ି ଯାଇଛି। ଏଥିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ ଏବଂ ପୁଲିସ ପହଞ୍ଚିଥିବା ବେଳେ ଜିଲ୍ଲାପାଳ ଡ. ଅଜିତ କୁମାର ମଧ୍ୟ ରାତି ପ୍ରାୟ ସାଢ଼େ ୭ଟାରେ ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ।

ଅନ୍ୟପକ୍ଷରେ ରାଜ୍ୟ ସରକାର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇଛନ୍ତି। ଉନ୍ନୟନ କମିସନର୍‌ ପ୍ରଦୀପ କୁମାର ଜେନା ନବରଙ୍ଗପୁର ଜିଲ୍ଲାପାଳଙ୍କ ସହ କଥା ହୋଇ ଠିକାଦାର ଆଶିଷ ବିଶ୍ବାଳ, ସଂପୃକ୍ତ ନିର୍ବାହୀ ଯନ୍ତ୍ରୀ ଓ ଏସ୍‌ଡିଓଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ନି‌େର୍ଦ୍ଦଶ ଦେଇଛନ୍ତି। ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ କୁହାଯାଇଛି।

କେବଳ ସେତିକି ନୁହେଁ, ସୁନାବେଡ଼ା ଅଧୀକ୍ଷଣ ଯନ୍ତ୍ରୀଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ ସର୍‌ଜମିନ୍ ତଦନ୍ତ କରିବାକୁ ଶ୍ରୀ ଜେନା ନିର୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଯନ୍ତ୍ରୀ ମଧ୍ୟ ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାକୁ କୁହାଯାଇଛି। ଏହା ସହ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ସହ ତୁରନ୍ତ ସରକାରଙ୍କୁ ରିପୋର୍ଟ ପଠାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।

ମିଳିଥିବା ଖବର ଅନୁସାରେ, ଉମରକୋଟ ବ୍ଲକ ବଡ଼କୁମାରୀ ପଞ୍ଚାୟତର ଜାନିଗୁଡ଼ା ଓ ତାଲାପଦର ଗାଁକୁ ସଂଯୋଗ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିଲା। ପୁରୀର ଠିକାଦାର ଆଶିଷ କୁମାର ବିଶ୍ବାଳ ଏହି କାମ କରୁଥିଲେ। ଆଜି ସକାଳେ ପୋଲର ୪ନମ୍ବର ପିଲରରେ ଛାତ ପଡ଼ିଥିଲା। ଛାତ ପଡ଼ିବା ସମୟରେ ଠିକାଦାରଙ୍କ ସହ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ନିରଞ୍ଜନ ସାହୁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ତେବେ ଛାତ ପଡ଼ିବାର କିଛି ଘଣ୍ଟା ପରେ ଅର୍ଥାତ ସଂଧ୍ୟାରେ ହଠାତ୍ ସେଣ୍ଟ୍ରିଂରେ ଦିଆ ଯାଇଥିବା ଲୁହା ପୋଲ ସବୁ ଦବି ଯିବା ସହ ପ୍ରଚଣ୍ଡ ଶବ୍ଦ କରି ତଳକୁ ଖସି ପଡ଼ିଥିଲା ସିମେଣ୍ଟ ଢଳେଇ ଏବଂ ଲୁହା ଛଡ଼।

ଏହି ସମୟରେ ପୋଲ ଉପରେ ରହି ନିରୀକ୍ଷଣ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଚତୁର୍ଥ ଶ୍ରେଣୀ କର୍ମଚାରୀ ମହେନ୍ଦ୍ର ମାଳିଙ୍କ ସହ ୩ ଶ୍ରମିକ ପ୍ରକାଶ କାଣ୍ଡି (୫୦), ରମେଶ ଭୋଇ (୫୦) ଏବଂ ସନ୍ତୋଷ ଭୋଇ (୨୮) ତଳକୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉମରକୋଟ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନାରେ ମହେନ୍ଦ୍ରଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ଅନ୍ୟମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆହତ ଶ୍ରମିକମାନେ ପୁରୀରୁ ଆସି ଏଠାରେ କାମ କରୁଥିଲେ ବୋଲି ଜଣାପଡ଼ିଛି। ଆଜି ଛାତ ପଡ଼ୁଥିବାରୁ ବହୁ ସଂଖ୍ୟାରେ ଶ୍ରମିକ ଏହି କାମରେ ନିୟୋଜିତ ହୋଇଥିଲେ। ତେବେ ଛାତ ପଡ଼ି ସାରିଥିବାରୁ ସମସ୍ତେ ଆଖପାଖ ଅଞ୍ଚଳ ଛାଡ଼ି ସାରିଥିଲେ। ଯାହାଫଳରେ ବଡ଼ଧରଣର କ୍ଷୟକ୍ଷତି ହୋଇ ନଥିବା କୁହାଯାଉଛି।

ଖବର ପାଇ ଉମରକୋଟ ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଉ କିଛି ଶ୍ରମିକ ଭୁଶୁଡ଼ି ପଡ଼ିଥିବା ଛାତ ତଳେ ରହିଥିବା ଆଶଙ୍କା କରି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଦୁର୍ବଳ ଲୁହା ପାଇପକୁ ସେଣ୍ଟ୍ରିଂ ପାଇଁ ଦିଆଯାଇଥିବାରୁ ଏହି ଅଘଟଣ ଘଟିଲା ବୋଲି ତାଲାପଦର ଗାଁର ପବିତ୍ର ଗରଡ଼ା କହିଛନ୍ତି। କେଉଁ ପରିସ୍ଥିତିରେ ଏତେବଡ଼ ଅଘଟଣ ଘଟିଲା ଓ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଯେଉଁମାନେ ବି ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର