ଭୁଶୁଡ଼ିଲା ପୋଲ ପାଚେରି, ୨ ମୃତ; ମୁଖ୍ୟମନ୍ତ୍ରୀ ଦେଲେ ଆରଡିସି ତଦନ୍ତ ନିର୍ଦ୍ଦେଶ

ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ସହାୟତ, ନବୀନ ଓ ଧର୍ମେନ୍ଦ୍ରଙ୍କ ଶୋକ

କଟକ : କଟକ ଛତ୍ରବଜାରରେ ବଡ଼ଧରଣର ଅଘଟଣ ଘଟିଛି। ବ୍ରିଟିସ୍ ଅମଳର ଛତ୍ରବଜାର ପୋଲକୁ ଲାଗି ଏକ ପାଚେରି ଖସି ପଡ଼ିଛି। ତାଳଦଣ୍ଡା କେନାଲ ଭିତରକୁ ପାଚେରି ଖସି ପଡ଼ିବାପରେ ତଳେ ଥବା ତିନି ଜଣ କର୍ମଚାରୀ ଅତଡ଼ା ତଳେ ଚାପି ହୋଇ ଯାଇଛନ୍ତି। ସେମାନଙ୍କ ମଧ୍ୟରୁ କେନ୍ଦୁଝରର ଅଜିତ ଚନ୍ଦ୍ର ଓ ପ୍ରୀତମ ଦେହୁରିଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ବଡ଼ ଡାକ୍ତରଖାନା ଆଇସିୟୁରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଆରଆଣ୍ଡବି ପକ୍ଷରୁ ରାଣୀହାଟରୁ ମାତୃଭବନ ଯାଏ ତାଳତଣ୍ଡା କେନାଲ୍ ସମ୍ପ୍ରସାରଣ କାମ ଚାଲିଥିବା ବେଳେ ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ଛତ୍ରବଜାରରେ ଥିବା ବ୍ରିଟିସ୍ ଅମଳର ପୋଲର ଆରମ୍ଭରେ ଥିବା କାନ୍ଥ କେନାଲ ଭିତରକୁ ଖସି ପଡ଼ିଥିଲା। କେନାଲରେ ଏହି ସମୟରେ କାମ କରୁଥିବା ୩ଜଣ ଶ୍ରମିକଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା। ପାଚେରି ସହିତ ବାଲିର ଅତଡ଼ା ବି ଖସିଥିଲା। ଏହି ଘଟଣା
ଚାରିଆଡ଼େ ବ୍ୟାପିଯିବା ପରେ ଘଟଣାସ୍ଥଳରେ ବାଦାମବାଡ଼ି ଥାନା ପୁଲିସ ସମେତ ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପାଖାପାଖି ଦେଢ଼ ଘଣ୍ଟା ଭିତରେ ତିନି ଜଣ ଶ୍ରମିକଙ୍କୁ ଅତଡ଼ା ତଳୁ ଉଦ୍ଧାର କରାଯାଇଥିଲା। ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଆରଆଣ୍ଡବି ପକ୍ଷରୁ କେନାଲ ଖୋଳା କାମ ଚାଲିଥିବା ବେଳେ ଅପରାହ୍ନ ପ୍ରାୟ ୫ଟା ୩୦ ବେଳେ ପୋଲ ତଳେ ପାଖାପାଖି ୧୫ ଜଣ ଶ୍ରମିକ କାମ କରୁଥିଲେ। ଠିକା କାମର କିଛି ଯନ୍ତ୍ରାଂଶ ଗାଡ଼ିରେ ଲୋଡ଼ିଂ କରିବାକୁ କର୍ମଚାରୀମାନେ ବନ୍ଧ ଉପରକୁ ଯାଇଥିବା ବେଳେ ବ୍ରିଜ ତଳେ ତିନି ଜଣ କର୍ମଚାରୀ ରହିଯାଇଥିବା କୁହାଯାଉଛି।

ଛତ୍ରବଜାର ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ରନାଥ ସାହୁ କହିଛନ୍ତି ଯେ ତାଳଦଣ୍ଡା କେନାଲ ସମ୍ପ୍ରସାରଣ କାମରେ ନିୟୋଜିତ ଠିକା ସଂସ୍ଥା ନିହାତି ବେପରୁଆ ଭାବେ କାମ କରୁଥିଲା। କେନାଲର ଦୁଇ ପାର୍ଶ୍ବରେ କୌଣସି ପ୍ରକାର ସପୋର୍ଟିଂ ବ୍ୟବସ୍ଥା କରାଯାଇନଥିଲା। ଯାହାଫଳରେ ମାଟି ଅତଡ଼ା ଖସିପଡ଼ିଲା।

ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ଯେ କେଉଁ ଠିକା ସଂସ୍ଥା କାମ କରୁଥିଲା ସେ ନେଇ କୌଣସି ସୂଚନା ନାହିଁ। ଏଭଳି ଘଟଣା କାହିଁକି ଘଟିଲା ସେ ନେଇ ତଦନ୍ତ କରାଯିବ। ସିଏମସି କମିସନର ଅନନ୍ୟା ଦାସ କହିଛନ୍ତି ଯେ ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୁରକ୍ଷା ବ୍ୟବସ୍ଥା କ’ଣ ଥିଲା, ସେ ନେଇ ଅନୁଧ୍ୟାନ କରାଯିବ। ସୁରକ୍ଷା ବ୍ୟବସ୍ଥାକୁ କିଭଳି ଅଧିକ କଡ଼ାକଡ଼ି କରାଯିବ, ସେ ନେଇ ଧ୍ୟାନ ଦିଆଯିବ। ଅନ୍ୟପଟେ ଘଟଣାସ୍ଥଳରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିସନର ଅନନ୍ୟା ଦାସ, ଡିସିପି ପ୍ରତୀକ ସିଂହ, ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ବିଜେପି ନେତା ନୟନ ମହାନ୍ତି, କଂଗ୍ରେସ ନେତ୍ରୀ ତଥା କର୍ପୋରେଟର ପ୍ରାର୍ଥୀ ଗିରିବାଳା ବେହେରା, ଶ୍ରୀତମ ଦାସ, ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ସହାୟତ, ନବୀନ ଓ ଧର୍ମେନ୍ଦ୍ରଙ୍କ ଶୋକ

କଟକ : ଛତ୍ରବଜାର ପୋଲ ଭୁଶୁଡ଼ି ୨ ଜଣଙ୍କ ଜୀବନ ଯିବା ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏହି ଘଟଣାର ଆରଡିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଅନ୍ୟପଟେ ଏହି ଦୁର୍ଘଟଣାରେ ଆହତମାନଙ୍କୁ ଆବଶ୍ୟକ ସମସ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଶିଘ୍ର ସୁସ୍ଥତା କାମନା କରିଛନ୍ତି।

ଅନ୍ୟପଟେ ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରିବା ସହିତ ସେ ଏଥିରେ ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହିତ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର